odisha assembly: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଓଡ଼ିଶା ବିଧାନସଭାର ଇତିହାସରେ ବୁଧବାର ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖାଯିବ। ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାକୁ ଆସି ସଦନକୁ ଉଦ୍ବୋଧନ ଦେବେ। ଅପରାହ୍ନ ୪ଟା ୩୦ରେ ଆରମ୍ଭ ହେବାକୁ ଥିବା ଏହି ଐତିହାସିକ ଅଭିଭାଷଣକୁ ସାଧାରଣ ଜନତା ସିଧାସଳଖ ଦେଖିପାରିବେ।
ବିଧାନସଭା ପରିସର ଫୁଲ, ରଙ୍ଗୀନ ଆଲୋକରେ ସଜ୍ଜିତ ହୋଇଛି ଏବଂ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଅପରାହ୍ନ ୪ଟା ୨୦ରେ ରାଷ୍ଟ୍ରପତି ବିଧାନସଭା ପହଞ୍ଚିବେ। ପ୍ରବେଶ ପୂର୍ବରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ। ଗୃହ ଭିତରେ ପ୍ରବେଶ କରିବା ସହିତ ଜାତୀୟ ସଙ୍ଗୀତର ଧୁନ ବାଜିବ। ବାଚସ୍ପତିଙ୍କ ଆସନ ପାଖରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ବାଚସ୍ପତିଙ୍କ ପାଇଁ ବିଶେଷ ତିନି ଆସନର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରାୟ ୩୦ ମିନିଟ୍ ଧରି ଚାଲିବ ବୋଲି ଆଶା କରାଯାଉଛି। ଏଥିରେ ସେ ଶୃଙ୍ଖଳିତ ସଂସଦୀୟ କାର୍ଯ୍ୟପ୍ରଣାଳୀ ଓ ବିଧାୟକମାନଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ ପରାମର୍ଶ ଦେଇପାରନ୍ତି। ରାଷ୍ଟ୍ରପତି ପ୍ରାୟ ଦେଢ଼ ଘଣ୍ଟା ଧରି ବିଧାନସଭା ପରିସରରେ ରହିବେ। ଅଭିଭାଷଣ ପରେ ସଦନର ସଦସ୍ୟମାନଙ୍କ ସହ ଗ୍ରୁପ୍ ଫଟୋ ଉଠାଇବେ।

ଏହାଛଡ଼ା ବିଧାନସଭାର ରୁମ୍ ନମ୍ବର-୧୧କୁ ମଧ୍ୟ ପରିଦର୍ଶନ କରିବେ, ଯେଉଁଠାରେ ୨୦୦୦- ୨୦୦୪ ମଧ୍ୟରେ ବିଜେପି-ବିଜେଡି ମେଣ୍ଟ ସରକାର ସମୟରେ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହି ଚେମ୍ବରକୁ ବିଶେଷ ଭାବେ ସଜାଯାଇଛି ଏବଂ ତାଙ୍କ ପୁରୁଣା ସ୍ମୃତି ସତେଜ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ବିଧାନସଭା କର୍ମଚାରୀଙ୍କ ସହ ମଧ୍ୟ ସୌଜନ୍ୟମୂଳକ ଆଲୋଚନା କରିବେ ରାଷ୍ଟ୍ରପତି। ଏହି ଐତିହାସିକ ଅବସରରେ ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ। ପ୍ରେସ୍ ଗ୍ୟାଲେରୀକୁ ନୂଆ ରୂପ ଦିଆଯାଇଛି। ରାଷ୍ଟ୍ରପତିଙ୍କୁ ସମ୍ମାନ ଜଣାଇ ଓଡ଼ିଶା ବିଧାନସଭା ତରଫରୁ ଉତ୍ତରୀୟ ଓ ତାରକାଶି କାରୁକାର୍ଯ୍ୟ ଉପହାର ସ୍ବରୂପ ଦିଆଯିବ ବୋଲି ଜଣାପଡିଛି । ସ୍ୱାଧୀନ ଭାରତରେ ଓଡ଼ିଶା ବିଧାନସଭାକୁ କୌଣସି ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ହେବାରୁ ଶାସକ ଓ ବିରୋଧୀ ଉଭୟ ଦଳ ମହଲରେ ଅପାର ଉତ୍ସାହ ଦେଖାଯାଉଛି। ଏହା ଓଡ଼ିଶାର ଗଣତାନ୍ତ୍ରିକ ଗୌରବକୁ ଆଉ ଏକ ନୂଆ ଉଚ୍ଚତା ଦେବ ବୋଲି ସମସ୍ତେ ଆଶାବାଦୀ।

