ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଗତକାଲି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ଗରିବଙ୍କ ବିକାଶ ପାଇଁ ଦାନ କରିବାକୁ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ନବୀନଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମରେ ଏହାର ଉତ୍ତର ରଖିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ଯେ, ବିଧାନସଭାରେ ବିରୋଧୀଦଳ ନେତା ନବୀନ ବାବୁଙ୍କୁ କହିବାର ସୁଯୋଗ ଥିଲା । ହେଲେ ସେ କାହିଁକି ଆସିଲେ ନାହିଁ ଏବଂ ନିଜ ମତ ରଖିଲେ ନାହିଁ? ଏହା ଆଉ କିଛି ନୁହେଁ, କେବଳ ରାଜନୀତି । ସେହିପରି ବିଧାୟକ ଜୟନାରାୟଣ ମିଶ୍ର ନବୀନଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ନବୀନ ବାବୁ ବହୁତ ଧନୀ ଲୋକ ତାଙ୍କ ଡ୍ରାମାକୁ ଲୋକମାନେ ସହଜରେ ଗ୍ରହଣ କରୁନାହାନ୍ତି । ବିଜୁ ବାବୁ ଟଙ୍କାଟିଏ ଦରମା ନେଉଥିଲେ ସେ ନାହାନ୍ତି ତେଣୁ ମୁଁ ତାଙ୍କ ବିଷୟରେ କହିବାକୁ ଚାହୁଁନି । ବିଧାନସଭାରେ ନବୀନ ବାବୁ ସେଦିନ କାହିଁକି ରହିଲେନି, ସେ ଚାହିଁଥିଲେ ବିଲ୍ କୁ ବିରୋଧ କରିପାରିଥାନ୍ତେ । ସେ କହିଦିଅନ୍ତୁ ନିଜ ଦଳର ବିଧାୟକମାନଙ୍କୁ କେହି ବର୍ଦ୍ଧିତ ଦରମା ନେବେନି ବୋଲି । ଦରମା ବୃଦ୍ଧି ନେଇ ବିଜେଡି ହିଁ ପୂର୍ବରୁ ଚାପ ସୃଷ୍ଟି କରିଥିଲେ ।
ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି ଏବଂ ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି ସେସବୁର ତଦନ୍ତ ହେବା ଦରକାର ବୋଲି ଜୟନାରାୟଣ କହିଛନ୍ତି । ରାଜନୀତି ଜୀବନରେ ଯେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି କୌଣସି ସରକାର ସେ ଟଙ୍କା ଦେଇପାରିବେନି । ନବୀନ ବାବୁ ହୁଏତ ଗ୍ରାଉଣ୍ଡକୁ ଯାଉନାହାନ୍ତି ଖର୍ଚ୍ଚ କରିବାକୁ ପଡିବନି ହେଲେ ତାଙ୍କ ବିଧାୟକମାନେ ତ ଖର୍ଚ୍ଚ କରୁଥିବେ ନା ।
ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ନବୀନ ବାବୁ ଦରମା ଉପରେ ନିର୍ଭରଶୀଳ ନୁହନ୍ତି ସେ ସେଥିପାଇଁ ମନା କରିଛନ୍ତି କିନ୍ତୁ ମୁଁ ଏବଂ ମୋ ଭଳି ଅନେକ ବିଧାୟକଙ୍କର ବର୍ଦ୍ଧିତ ଦରମା ଆବଶ୍ୟକ । ମୁଁ ପ୍ରତି ମାସରେ ଧାର କରୁଛି । ନବୀନ ବାବୁଙ୍କର ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ କିନ୍ତୁ ଦଳୀୟ ବିଧାୟକଙ୍କୁ ବର୍ଦ୍ଧିତ ଦରମା ନେବା ପାଇଁ ସେ ବାରଣ କରି ନାହାନ୍ତି । ବିଜେଡି ଦରମା ବୃଦ୍ଧି ପାଇଁ ଦାବି କରିବା ସହ ବିଲ୍କୁ ସମର୍ଥନ କରିଥିଲା । ତେଣୁ ଦରମା ବୃଦ୍ଧିକୁ ବିରୋଧ କରିବାର ପ୍ରଶ୍ନ କାହିଁକି ଉଠୁଛି । ବିଧାୟକମାନେ ବହୁ କଷ୍ଟରେ ଚଳୁଛନ୍ତି ସେକଥା ଲୋକେ ବୁଝିବା ଦରକାର ବୋଲି ଗଣେଶ୍ୱର କହିଛନ୍ତି ।
କଂଗ୍ରେସ ବିଧାୟକ ପବିତ୍ର ସାଉଁତା ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍କୁ ବିଜେଡି କାହିଁକି ସମର୍ଥନ କରିଥିଲା ? ବିରୋଧୀଦଳ ନେତା ନବୀନ ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି । ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି ଏବଂ ସେ ପଲିଟିକାଲ୍ ଷ୍ଟଣ୍ଟ ପାଇଁ ଦରମା ନେବି ନାହିଁ ବୋଲି ନବୀନ କହୁଛନ୍ତି । ନବୀନ ଦଳ ଭିତରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ କାରଣ ତାଙ୍କ ଦଳର ନେତା କହୁଛନ୍ତି ଦରମା ବଢିବା ଠିକ୍, କାରଣ ପଇସା ନାହିଁ ବୋଲି ପବିତ୍ର ସାଉଁତା କହିଛନ୍ତି ।
ସୂଚନାଯୋଗ୍ୟ, ବର୍ଦ୍ଧିତ ଦରମାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ପୋଷ୍ଟ କରିଛନ୍ତି ଯେ, ବର୍ଦ୍ଧିତ ଦରମାକୁ ଗରିବଙ୍କ ପାଇଁ ଦାନ କରିବାକୁ ମୁଁ ନିଷ୍ପତ୍ତି ନେଇଛି । ମୋ ଦରମା ଗରିବ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ ହେଉ ବୋଲି ନବୀନ ଉଲ୍ଲେଖ କରିଛନ୍ତି ।
ନବୀନ ଲେଖିଛନ୍ତି, ୨୫ ବର୍ଷରୁ ଅଧିକ ସମୟ ଧରି ମୁଁ ଓଡ଼ିଶାବାସୀଙ୍କ ସ୍ନେହ, ପ୍ରେମ ଏବଂ ସମର୍ଥନ ପାଇ ଆସିଛି । ମୋ ପ୍ରତି ଏବଂ ମୋ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତି ସେମାନଙ୍କର ପ୍ରେମ ପାଇଁ ଗଭୀର ଭାବେ କୃତଜ୍ଞ । ପୂର୍ବରୁ, ଆମର ପରିବାର କଟକରେ ଥିବା ଆମର ପୈତୃକ ସମ୍ପତ୍ତି ‘ଆନନ୍ଦ ଭବନ’ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ସମାନ ଭାବରେ ମୁଁ ବିରୋଧୀ ଦଳ ନେତା ଭାବେ ବର୍ଦ୍ଧିତ ଦରମା ଏବଂ ଭତ୍ତା ଦାନ କରିବାକୁ ଚାହୁଁଛି ।

