ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ଧାନ ଲାଗି ରାଜ୍ୟ ସରକାର ବର୍ଡର (ସୀମା) ସିଲ୍ କରିଛନ୍ତି । ଓଡ଼ିଶାକୁ ଲାଗି ରହିଥିବା ଦୁଇ ରାଜ୍ୟର ସୀମାକୁ ସିଲ୍ କରାଯାଇଛି । ଏଥିସହିତ ଯାଞ୍ଚକୁ ମଧ୍ୟ ଜୋରଦାର କରାଯାଇଛି । ରାଜ୍ୟରେ ଏବେ ୨୦୨୫-୨୬ ଖରିଫ ଧାନ ସଂଗ୍ରହ ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ୍ ପିଛା ଅଧିକ ଟଙ୍କା ମିଳୁଛି । ଫଳରେ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଧାନ ଚାଲାଣର ଆଶଙ୍କା ରହିଛି ।
ଯାହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ସତର୍କ ପଦକ୍ଷେପ ନେଇଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାରେ ଅସ୍ଥାୟୀ ଚେକ୍ ପୋଷ୍ଟ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ଏସ୍ପିଙ୍କୁ ଚିଠି କରାଯାଇଛି । ସୀମାନ୍ତରେ ଚେକ୍ ପୋଷ୍ଟ କରି ବେଆଇନ୍ ଭାବେ ଧାନ ଚାଲାଣ ରୋକିବାକୁ ଜିଲ୍ଲାପାଳ ଚିଠି ଲେଖିଛନ୍ତି ।
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଚିଠି ଅନୁସାରେ, ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସମସ୍ତ ଗ୍ରାମ୍ୟ ବିଭାଗ ରାସ୍ତାରେ ଚେକ୍ ପୋଷ୍ଟ କରାଯିବ । ଉକ୍ତ ରାସ୍ତାରେ ପୂର୍ବରୁ ସିସିଟିଭି କ୍ୟାମେରା ଲଗାଯାଇ ପ୍ରଶାସନ ନଜର ରଖିଛି । ଏବେ ଅସ୍ଥାୟୀ ଚେକ୍ ପୋଷ୍ଟ କରି ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବ ।
ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ମୟୂରଭଞ୍ଜକୁ ଯୋଡ଼ୁଥିବା ପଳାସମୁଣ୍ଡଳି-ତୁଟପଳାସିଆ, ଧୁମସାହି/ସିରସା- ଜାମଶୋଳା/ସାରସକଣା, ପାକଟିଆ/ଦେଉଳି-ଚାକସୁଳିଆପଦା/ଚାନ୍ଦୁଆ, ବାନ୍ଦଭା/ତିରିଂ-ଯଦୁନାଥପୁର, ତିରିଂ/ବାହଳଦା-ନନ୍ଦାବସା, ଭାଲୁପାଣି-ରରୁଆଁ-ବେଣୀସାଗର-ଚିରୁହାଟୁ ରାସ୍ତାରେ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯିବ ।
ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ଓଡ଼ିଶା ବିଜେପିର ପ୍ରତିନିଧି ଦଳ ଭେଟିଥିଲେ । ଉଷୁନା ଚାଉଳ ଉଠାଣ ପରିମାଣ ୨୦ରୁ ୨୫ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ପୂର୍ବରୁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିଥିବାରୁ ଧନ୍ୟବାଦ ଦେଇଛନ୍ତି ।
ଓଡ଼ିଶାରେ ଅଧିକ ପରିମାଣର ଉଷୁନା ଚାଉଳ ଉତ୍ପାଦନ ହେଉଛି । ବଳକା ଉଷୁନା ଚାଉଳର ଶୀଘ୍ର ଉଠାଣ ଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ।
ଏସମ୍ପର୍କିତ ଏକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ୨୦୨୪-୨୫ ବର୍ଷ ପାଇଁ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରାଯାଇଛି । ଏଥିପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଏହି ଧାନ ସଂଗ୍ରହ ପରିମାଣ ବୃଦ୍ଧି ରାଜ୍ୟର ଚାଷୀ ସମାଜର ଆତ୍ମବିଶ୍ୱାସକୁ ବଢାଇବା ସହ ସୁରୁଖୁରୁରେ ସଂଗ୍ରହ କାର୍ଯ୍ୟକୁ ସୁନିଶ୍ଚିତ କରିଛି ।

