ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ : ସରକାରଙ୍କ ଫୋକ୍ସରେ ସହରାଞ୍ଚଳ ବିକାଶ ଓ ଜଳସମ୍ପଦ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବସିଥିବା ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକରେ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।

ଅର୍ଥ ବିଭାଗ, ଆଇନ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ (ଏସଟି/ଏସସି) ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଗୃହୀତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ଟି ଏବଂ ଜଳସମ୍ପଦ ବିଭାଗର ସର୍ବାଧିକ ୫ଟି ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏହିପରି ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକ ଅନୁମୋଦନ ମିଳିଛି ।

ସହରାଞ୍ଚଳରେ ଗୃହହୀନ ଏବଂ ଯୋଗ୍ୟ ପରିବାରଙ୍କୁ ୨୦୨୯ ସୁଦ୍ଧା ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ‘ପିଏମଏୱାଇ(ୟୁ) ବନ୍ଧୁ’ ଯୋଜନାକୁ ମଞ୍ଜୁରି ଦେଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ୨.୦ର ପରିପୂରକ ରାଜ୍ୟ ଯୋଜନା ଭାବେ କାର୍ଯ୍ୟକାରୀ ହେବ । ଏହା ମାଧ୍ୟମରେ ଚଗଇଣ-ଟ ୨.୦ର ସୁବିଧାକୁ ଆହୁରି ସୁଦୃଢ଼ କରି ସମସ୍ତ ଯୋଗ୍ୟ ସହରାଞ୍ଚଳ ପରିବାରଙ୍କୁ ଆବାସ ସହାୟତା ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

୨୦୨୫ରେ ସହରାଞ୍ଚଳରେ ପକ୍କା ଘରର ପରିମାଣ ୫୯ ପ୍ରତିଶତ ଥିବାବେଳେ ୨୦୨୯ ସୁଦ୍ଧା ଏହାକୁ ୯୦ ପ୍ରତିଶତରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବଧିରେ ପ୍ରାୟ ୩ରୁ ୩.୫ ଲକ୍ଷ ସହରାଞ୍ଚଳ ପରିବାର ଚଗଇଣ-ଟ ୨.୦ ଅଧୀନରେ ଆବାସ ସହାୟତା ପାଇବେ । ଏହି ଯୋଜନାରେ ମୋଟ ୧,୬୧୫ କୋଟି ଟଙ୍କା ବ୍ୟୟ ହେବ । ଏଥିରେ ସୁଲଭ ଆବାସ ପ୍ରକଳ୍ପ, ଆର୍ଥିକ ପ୍ରୋତ୍ସାହନ, ସ୍ୱଳ୍ପ ସୁଧରେ ଗୃହଋଣ ସୁବିଧା ଏବଂ ବିଶେଷ ପରିସ୍ଥିତିରେ ବିସ୍ଥାପିତ ପରିବାରଙ୍କୁ ଆର୍ଥିକ ସହାୟତା ଭଳି ଚାରିଟି ପ୍ରମୁଖ ଉପାଦାନ ରହିଛି । ବିଭିନ୍ନ ଉପାଦାନ ପାଇଁ ଯଥାକ୍ରମେ ୬୭୫ କୋଟି, ୬୮୫ କୋଟି, ୧୦୦ କୋଟି ଓ ୧୨୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଏଥିସହ ସୁଲଭ ସୁଧରେ ଗୃହଋଣ, ସୁଧ ରିହାତି, ନିଜ ଶ୍ରମଦାନ ପାଇଁ ପ୍ରୋତ୍ସାହନ ଏବଂ ଶୀଘ୍ର ଘର ନିର୍ମାଣ ଶେଷ କରୁଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପଗୁଡ଼ିକରେ ସବୁଜ ଓ ଟିକାଉ ବିକାଶକୁ ଗୁରୁତ୍ୱ ଦିଆଯିବ । ଖୋଲା ସ୍ଥାନ, ସୌର ଶକ୍ତି, ବର୍ଷାଜଳ ସଂରକ୍ଷଣ, ଅଙ୍ଗନୱାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶିଶୁ ଖେଳ ପଡ଼ିଆ ଓ ଚଊଝ କେନ୍ଦ୍ର ଭଳି ସାମାଜିକ ଭିତ୍ତିଭୂମି ସୁବିଧା ଉପଲବ୍ଧ କରାଯିବ । ମହିଳା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କୁ ଘର ବଣ୍ଟନରେ ପ୍ରାଥମିକତା ଦିଆଯିବ ।

ଅନୁସୂଚିତ ଅଞ୍ଚଳ ପାଇଁ ପେସା ଆଇନ ନିୟମାବଳୀକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏସି/ଏସଟି ଲୋକଙ୍କୁ ସ୍ଥାନୀୟ ସ୍ୱାୟତ୍ତ ଶାସନରେ ଅଧିକ ଅଧିକାର ମିଳିବ । ଗ୍ରାମସଭାକୁ ସର୍ବୋଚ୍‌ଚ କ୍ଷମତା ପ୍ରଦାନ କରାଯିବ । ସ୍ଥାନୀୟ ଲୋକେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ ।

ପ୍ରାକୃତିକ ସମ୍ପଦର ପରିଚାଳନା ଓ ସୁରକ୍ଷା ପାଇଁ ଗ୍ରାମସଭାର ମଞ୍ଜୁରୀ ବାଧ୍ୟତାମୂଳକ ହେବ । କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ, ବ୍ୟବହାର ଓ ବିକ୍ରି ଅଧିକାର ପାଇବେ ଗ୍ରାମବାସୀ । ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ପରାମର୍ଶ ନେବା ଜରୁରୀ ହେବ । ଗ୍ରାମାଞ୍ଚଳରେ ଉନ୍ନୟନ କାର୍ଯ୍ୟ ଓ ଯୋଜନା ଚୟନରେ ଗ୍ରାମସଭାର ମତ ଚୂଡ଼ାନ୍ତ ହେବ ।

କ୍ୟାବିନେଟ୍‌ରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦କୁ ଅନୁମୋଦନ ମିଳିଛି । ଅନୁସୂଚିତ ଜନଜାତି ତଥା ବିଶେଷ ଭାବ ଅନୁନ୍ନତ ଜନଜାତି ପରିବାରମାନଙ୍କର ଆୟ ବୃଦ୍ଧି ଓ ସାମଗ୍ରିକ ଜୀବନ ଧାରଣର ମାନରେ ଉନ୍ନତି ଘଟିବ ।

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ ରାଜ୍ୟର ସମସ୍ତ ଜନଜାତି ଉପ-ଯୋଜନ ବ୍ଲକ ଏବଂ ଅଣୁ ପ୍ରକଳ୍ପ କ୍ଷେତ୍ର ଗୁଡ଼ିକରେ କାର୍ଯ୍ୟକାରୀ ହେବ । ଏହା ଅଧିନରେ ରାଜ୍ୟର ୮ ଲକ୍ଷ ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ସମ୍ପ୍ରଦାୟର ହିତାଧିକାରୀ ଉପକୃତ ହୋଇପାରିବେ ।

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ ଆଗାମୀ ୫ ବର୍ଷ (୨୦୨୬ରୁ ୨୭ରୁ ୨୦୩୦-୩୧) ଅବଧି ପାଇଁ ରାଜ୍ୟର ୧୯ଟି ଜିଲ୍ଲାର ୨୩ଟି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ୨୦ଟି କ୍ଷୁଦ୍ର ପ୍ରକଳ୍ପ କ୍ଷେତ୍ର ମାଧ୍ୟମରେ ୧୩୪ଟି ବ୍ଲକରେ କାର୍ଯ୍ୟକାରୀ ହେବ । ଏଥିପାଇଁ ସରକାର ୨୯୯୫ କୋଟି ଟଙ୍କା ବ୍ୟୟବରାଦ ଅନୁମୋଦନ କରିଛନ୍ତି । ଏଥିସହ ପିଭିଟିଜିମାନଙ୍କ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ୫୦୦ କୋଟି ଟଙ୍କା ବ୍ୟୟ ଅଟକଳର ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇଛି ।


Reporterspen