ଭୁବନେଶ୍ୱର, (ରିପୋର୍ଟର୍ସପେନ୍): କେନ୍ଦ୍ର ଗୃହମନ୍ତ୍ରଣାଳୟର ନକ୍ସଲ ବିରୋଧୀ ଅଭିଯାନରେ ଭୟଭୀତ ହୋଇଛି ଓଡ଼ିଶାର ନକ୍ସଲ କ୍ୟାମ୍ପ। ବିଭିନ୍ନ ସ୍ଥାନରେ ପୁଲିସ ସହାୟତାରେ ନକ୍ସଲପନ୍ଥୀ ଓ ସହାୟକମାନେ ମୁଖ୍ୟସ୍ରୋତକୁ ଫେରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଜି ପୁଲିସ ଡିଜିଙ୍କଠାରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏହାସହ ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳାକୁ ମଧ୍ୟ ପୁଲିସକୁ ପ୍ରଦାନ କରିଛନ୍ତି। ଏହା ବଦଳରେ ସେମାନଙ୍କୁ ଘୋଷିତ ଥଇଥାନ ପ୍ୟାକେଜ୍ ଓ ସହାୟତା ପ୍ରଦାନ କରାଯାଇଛି।
ମାଲକାନଗିରି ଜିଲ୍ଲାରେ ଏଥିଲାଗି ଏକ ଆୟୋଜନ କରାଯାଇଥିଲା। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଏଡିଜି ସଞ୍ଜିବ ପଣ୍ଡା, ଡିଆଇଜି ଏସଆଇଡବ୍ଲୁ ଅଖିଳେଶ୍ୱର ସିଂହଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି ଆତ୍ମସମର୍ପଣ ହୋଇଥିଲା। ଏହି ସହ ୦୧ଟି AK-୪୭ ରାଇଫଲ୍, ୦୨ଟି INSAS ରାଇଫଲ୍, ୭.୬୨ mm SLR ରାଇଫଲ୍, ୩ଟି .୩୦୩ ରାଇଫଲ୍ ଏବଂ ୦୨ଟି ସିଙ୍ଗଲ୍-ସଟ୍ ରାଇଫଲ୍, ୧୫୦ ରାଉଣ୍ଡ ଜୀବନ୍ତ ଗୁଳି, ୯ଟି ମାଗାଜିନ୍, ୨୦ କିଲୋ ବିସ୍ଫୋରକ, ୧୩ଟି ଆଇଇଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ନିକଟରେ ହସ୍ତାନ୍ତର କରିଥିଲେ।
ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଉଛନ୍ତି:- ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି(DKSZC)ର ଡିସିଏମ, କମାଣ୍ଡର ଲିଙ୍ଗେ ଓରଫ ମୁୟେ ମଡକାମ ଏବଂ ଏସିଏମ, କମାଣ୍ଡର, ବାମନ ମଡକାମ, ଏରିଆ କମିଟି ମେମ୍ବର (ଏସିଏମ), ସୁକ୍କା ମୁଚାକି, ଆଇତୁ ଆଉଲାମି,କୋସା କାବାସି, ବତି ମାଡ଼କାମ ଓରଫ ଅଞ୍ଜୁ, ଜୋଗି ମୁଚାକି, ରିତା ପୋଡିଆମ, ଜୋଗୀ ସୋଡି, ଭୀମେ କଲମୁ, ମଙ୍ଗଲି ବାଞ୍ଜାମି, ଜୋଗା ମୁଚାକି, ଆଡମେ ମୁଚାକି, ମାଡଭି କୋସା, କୁଞ୍ଜାମ ଉରା, ମାଡା ମାଡଭି, ମୁଚାକି ଆଡମା, ଦେବା ମାଡଭି, ଅର୍ଜୁନ ମାଡଭି, ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ୨ ଜଣ ସାଗର ଓରଫ ସନ୍ନା ପୁନେମ, ସୋମେୟ ମିଡିଆମ୍ ଏବଂ ଗଡଚିରଲି ଏରିୟା କମିଟିର ଅନିଲା ଓରଫ ବୁଦ୍ରି ମିଡିଆମ୍ ।
ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ତଥା ପୁନର୍ବାସ ନୀତି ଅନୁଯାୟୀ ୨୨ ଜଣ ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କୁ ୧ କୋଟି ୮୪ ଲକ୍ଷ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକଙ୍କୁ ୨୫ ,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର, ବାହାଘର ନିମନ୍ତେ ୨୫ ହଜାର ଟଙ୍କା, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ଵାସ୍ଥ ବୀମା, ମାଗଣାରେ ରାସନ କାର୍ଡ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସମସ୍ତ ଆଇନସମ୍ମତ ସୁବିଧା, ସୁରକ୍ଷା ଓ ପୁନର୍ବାସ ସହାୟତା ପ୍ରଦାନ କରାଯିବ।
ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ, ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ରାସ୍ତା ଓ ସରକାରୀ ସମ୍ପତ୍ତି ଧ୍ୱଂସ କରିବା ଭଳି କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଉପରେ ବିଭିନ୍ନ ଥାନାରେ ଗୁରୁତର ମାମଲା ମଧ୍ୟ ରୁଜୁ ଥିଲା।
ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଉପରେ ଆସ୍ଥା ରଖି ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନିଷ୍ପତ୍ତିକୁ ଡିଜିପି ଶ୍ରୀ ଖୁରାନିଆ ସ୍ଵାଗତ କରିଛନ୍ତି । ଏହା ସହ ସମାଜରେ ସମ୍ମାନଜନକ ଭାବେ ଜୀବନ ଯାପନ ପାଇଁ ସରକାର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ହିଂସାର ପଥ ପରିତ୍ୟାଗ କରି ପୋଲିସ ସମୁଖରେ ଆତ୍ମ ସମର୍ପଣ କରି ସାଧାରଣ ଜୀବନ ଯାପନ କରିବାକୁ ଡିଜିପି ଆହ୍ଵାନ ଦେଇଛନ୍ତି ।
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଡିଆଇଜି(ଏସଆଇଡବ୍ଲ୍ୟୁ) ଅଖୀଳେଶ୍ଵର ସିଂ, ଡିଆଇଜି( ଦକ୍ଷିଣାଞ୍ଚଳ) ଡ଼. କନୱର ବିଶାଲ ସିଂ,ଜିଲ୍ଲାପାଳ ମାଲକାନଗିରି, ସୋମେଶ ଉପାଧ୍ୟାୟ, ଏସପି ମାଲକାନଗିରି ବିନୋଦ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

