police control room: ଲାଇଫ ଲାଇନ ଏବେ ପାଲଟିଛି କଲେକ୍ସନ ଭ୍ୟାନ!

Reporterspen

police control room: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଦିନଥିଲା, କମିଶନରେଟ ପୋଲିସର ପିସିଆର ଭ୍ୟାନ ଲାଇଫ ଲାଇନ ପାଲଟିଥିଲା। ଖବର ପାଇବାର ୫ମିନିଟ ଭିତରେ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ସୁରକ୍ଷା ଯୋଗାଇବା ସହ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରୁଥିଲା। କମିଶନରେଟ ପୋଲିସର ଏଭଳି ବ୍ୟବସ୍ଥା ସାରାଦେଶରେ ପ୍ରଶଂସିତ ହେବା ଲୋକଙ୍କ ଆସ୍ଥା ଭାଜନ ହୋଇ ‘ଲାଇଫ ଲାଇନ’ର ଆଖ୍ୟା ପାଇଥିଲା। ମାତ୍ର ଏବେ ପିସିଆର ଭ୍ୟାନ ଟ୍ରାକ୍‌ ବଦଳି ଯାଇଛି। ଲାଇଫ ଲାଇନ ଆଖ୍ୟା ପାଇଥିବା ପିସିଆର ଏବେ କଲେକ୍ସନ ଭ୍ୟାନ ଭାବେ ପରିଚିତ ହେଲାଣି।

ସୂଚନା ଅନୁସାରେ, ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଓ ଦୁର୍ଘଟଣାଜନିତ ମୃତ୍ୟୁ ହାର ରୋକିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ମଡର୍ଣ୍ଣ କଣ୍ଟ୍ରୋଲ ରୁମ ଖୋଲା ଯାଇଥିଲା। ୨୦୧୧ରେ ପୋଲିସ କଣ୍ଟ୍ରୋଲ ରୁମକୁ ଅତ୍ୟାଧୁନିକରଣ କରାଯାଇ ମଡର୍ଣ୍ଣ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଥିଲା। ଯାହାକୁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହା ପରେ ସହରର ଗଳିକନ୍ଦିରେ ପିସିଆର ଭ୍ୟାନ ଘୂରି ବୁଲିଥିଲା। ଫୋନ କଲ ପାଇବାର ୩ରୁ ୫ମିନିଟ ଭିତରେ ପିସିଆର ପହଁଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଛୋଟମୋଟ ଗଣ୍ଡଗୋଳକୁ ପ୍ରସମିତ କରୁଥିଲା। ବିଶେଷ କରି ସେତେବେଳେ ପିସିଆର ଭ୍ୟାନ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା।

ପରବର୍ତ୍ତୀ ସମୟରେ ଅର୍ଥାତ ୩/୪ ବର୍ଷ ଠିକ୍‌ ଠାକ୍‌ ଚାଲିବା ପରେ ପିସିଆର ଭ୍ୟାନ ଲାଇନଚ୍ୟୁତ ହେବା ଆରମ୍ଭ କରିଥିଲା। ଧିରେ ଧିରେ ପିସିଆର ତ୍ୱରିସେବା ଯୋଗାଇବା ବନ୍ଦ କରିଦେଇଥିଲା। ଏବେ ଅର୍ଥାତ ୨୦୨୫ରେ ପିସିଆର ସମ୍ପୂର୍ଣ୍ଣ ଲାଇନଚ୍ୟୁତ ହୋଇ କଲେକ୍ସନ ଭ୍ୟାନରେ ପରିଣତ ହୋଇଯାଇଛି। ଏଣିକି ଫୋନ କଲେ ଅଧଘଣ୍ଟା ପରେ ଘଟଣାସ୍ଥଳକୁ ଯାଉଛି। ଏମିତି କି ଅନେକ ଜାଗାକୁ ଯାଉନଥିବା ମଧ୍ୟ ଅଭିଯୋଗ ହେଉଛି। ଏହା ଆମେ କହୁନାହୁଁ ବରଂ ଲୋକେ ପିସିଆରକୁ ନେଇ ଏଭଳି ମନ୍ତବ୍ୟ ଦେଉଛନ୍ତି।
ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଜଣେ ବ୍ୟବସାୟୀ କହିଛନ୍ତି, ପ୍ରାୟ ପ୍ରତିଦିନ ଶିଳ୍ପାଞ୍ଚଳର କଳିକନ୍ଦୀରେ ମଦୁଆମାନେ ଆସର ଜମାଉଛନ୍ତି। ଦୋକାନ ଆଗରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଏନେଇ ପିସିଆରକୁ ଫୋନ କଲେ ପୋଲିସ ଆସୁନାହାଁନ୍ତି। ଅନେକ ସମୟରେ ବହୁ ବିଳମ୍ବରେ ପିସିଆର ଭ୍ୟାନ ଆସିଛି, ସେତେବେଳକୁ ଅସାମାଜିକ ଯୁବକମାନେ ପଳାଇଯାଇଥାନ୍ତି। ଆଗଭଳି ଆଉ ପିସିଆର ଭ୍ୟାନ କାମ କରୁନି।

ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ହୋଟେଲ ବ୍ୟବସାୟୀ କହିଛନ୍ତି, ପିସିଆର ଭ୍ୟାନ କାମ କରୁନି, ହେଲେ ପ୍ରତିଦିନ କଲେକ୍ସନ କରୁଛି। ଦାଦା ବଟି ଭଳି ଚାନ୍ଦା ଆଦାୟ କରୁଛି। ଏପରିକି ହୋଟେଲରେ ଖାଇଲେ ପଇସା ଦେଉନାହାଁନ୍ତି। ଖାଲି ମୋ ଦୋକାନ ନୁହଁ, ମାର୍କେଟରେ ଥିବା ପ୍ରାୟ ସବୁ ଦୋକାନରୁ ପଇସା ଆଦାୟ କରୁଛନ୍ତି। ପଚାରିଲେ କହୁଛନ୍ତି, ଆମେ ତମ ଦୋକାନକୁ ସୁରକ୍ଷା ଦଉଛୁ, ତତେ କେଇଟା ପଇସା ଦବାକୁ ଏମିତି କାହିଁକି ହଉଛ।

ଖାଲି ଏହି ଗୋଟିଏ କି ଦୁଇଟି ଅଭିଯୋଗ ନୁହେଁ, ବରଂ ରାଜଧାନୀର ପ୍ରାୟ ଥାନା ଅଂଚଳରେ ପିସିଆର ଭ୍ୟାନ କଲେକ୍ସନ କରୁଥିବା ଅଭିଯୋଗ ହେଉଛି। ଖାଲି ଦୋକାନୀ କି ବ୍ୟବସାୟୀ ନୁହଁନ୍ତି, ବରଂ ଚୋରା ନିଶା ବେପାରୀଙ୍କୁ ପ୍ରୋତ୍ସାହନ ଦେଇ ସେମାନଙ୍କ ଠାରୁ କଲେକ୍ସନ କରୁଥିବା କୁହାଯାଉଛି। ଏଦିଗରେ ପୋଲିସ କମିଶନର ଓ ଡିଜି ପୋଲିସ ଦୃଷ୍ଟି ଦେବାକୁ ଦାବି ହେଉଛି।


Reporterspen