ନୂଆଦିଲ୍ଲୀ: ଗୁରୁବାର ରୁଷ-ୟୁକ୍ରେନ ଯୁଦ୍ଧ ସ୍ଥିତି ପୁଣି ଥରେ ଉଗ୍ର ରୂପ ନେଇଛି । ୟୁକ୍ରେନର ଖେରସନ ଅଞ୍ଚଳର ଏକ ରୁଷ ଅଧିକୃତ ଗାଁରେ ନୂଆ ବର୍ଷ ପାଳନ କରୁଥିବା ଲୋକଙ୍କୁ ଟାର୍ଗେଟ କରି ଏକ ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ରୁଷ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଖେରସନ ଅଞ୍ଚଳର ରୁଷ ସମର୍ଥକ ପ୍ରଶାସକ ଭ୍ଲାଦିମିର ସାଲଡୋ ଟେଲିଗ୍ରାମରେ କହିଛନ୍ତି ଯେ, ‘ବ୍ଲାକ ସି’ ରିସର୍ଟ ସହର ଖୋର୍ଲିରେ ଏକ କାଫେ ଏବଂ ଏକ ହୋଟେଲକୁ ୟୁକ୍ରେନ ପକ୍ଷରୁ ଟାର୍ଗେଟ କରାଯାଇଛି । ସେ କହିଛନ୍ତି ,ଗୋଟିଏ ଡ୍ରୋନ୍ ଜ୍ୱଳନଶୀଳ ସାମଗ୍ରୀ ବହନ କରୁଥିଲା, ଯାହା ଫଳରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଅନେକ କ୍ଷତି ଏବଂ ମୃତାହତ ସଂଖ୍ୟା ବଢି ଯାଇଛି ।
ଏହି ଘଟଣା ଉପରେ ବରିଷ୍ଠ ରୁଷିଆନ୍ ରାଜନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସଂସଦର ଉଚ୍ଚ ସଦନ ଫେଡେରେସନ୍ କାଉନସିଲର ବାଚସ୍ପତି ଭାଲେଣ୍ଟିନା ମାଟଭିୟେଙ୍କ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରି କହିଛନ୍ତି, ଏପରି ଘଟଣା ରୁଷର ସାମରିକ ଉଦ୍ଦେଶ୍ୟକୁ ଶୀଘ୍ର ହାସଲ କରିବା ପାଇଁ ସଂକଳ୍ପକୁ ମଜବୁତ କରେ । ତଥାପି, ଡ୍ରୋନ୍ ଆକ୍ରମଣ ସମ୍ପର୍କରେ ୟୁକ୍ରେନ ପକ୍ଷରୁ ତୁରନ୍ତ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ ।
ଏହି ସମୟରେ ରୁଷ ଏହା ମଧ୍ୟ ଦାବି କରିଛି ଯେ ୟୁକ୍ରେନ ଉତ୍ତର-ପଶ୍ଚିମ ରୁଷରେ ଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରୀ ବାସଭବନକୁ ଏକ ଦୂରଗାମୀ ଡ୍ରୋନ ସାହାଯ୍ୟରେ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ, ଡ୍ରୋନର ନାଭିଗେସନ୍ ସିଷ୍ଟମରୁ ମିଳିଥିବା ତଥ୍ୟ ସୂଚାଇଛି ଯେ, ପୁଟିନଙ୍କ ବାସଭବନ ଟାର୍ଗେଟ ଥିଲା, ଯଦିଓ ଏହି ଦାବି ସମର୍ଥନରେ କୌଣସି ପ୍ରମାଣ ସାର୍ବଜନୀନ କରାଯାଇ ନାହିଁ ।
କିଭ ଏହି ଅଭିଯୋଗଗୁଡ଼ିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । କହିଛି, ଚାଲିଥିବା ଶାନ୍ତି ଆଲୋଚନାକୁ ବିଫଳ କରିବା ପାଇଁ ଏକ ଷଡ଼ଯନ୍ତ୍ର । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ନୂତନ ବର୍ଷର ବାର୍ତ୍ତାରେ କହିଛନ୍ତି ଯେ ଶାନ୍ତି ଚୁକ୍ତିନାମା ପ୍ରାୟ୯ ୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି, କିନ୍ତୁ କ୍ଷେତ୍ରୀୟ ବିବାଦ ସମେତ ବାକି ୧୦ ପ୍ରତିଶତ ପ୍ରସଙ୍ଗ ୟୁକ୍ରେନ ଏବଂ ସମଗ୍ର ୟୁରୋପର ଭବିଷ୍ୟତ ନିର୍ଣ୍ଣୟ କରିବ ।
ଏହି ସମୟରେ, ୟୁକ୍ରେନୀୟ ବାୟୁସେନା ରାତାରାତି ରୁଷ ଦ୍ୱାରା ଉଡ଼ାଣ କରାଯାଇଥିବା ୨୦୫ ଡ୍ରୋନ ମଧ୍ୟରୁ ୧୭୬ ଟିକୁ ଖସାଇ ଦେଇଥିବା କିମ୍ବା ନିଷ୍କ୍ରିୟ କରିଥିବା ଦାବି କରିଛି । ରିପୋର୍ଟ ଅନୁଯାୟୀ, ୨୪ଟି ଡ୍ରୋନ ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ଖସି ପଡ଼ିଛି ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

