ନ୍ୟାୟ ଦାବିରେ କିନ୍ନରଙ୍କ ହୋ ହାଲ୍ଲା, ରାସ୍ତାରୋକ
ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ରାଜଧାନୀ ଉପକଣ୍ଠ ଉତ୍ତରା କୌଶଲ୍ୟାଗଙ୍ଗ ନିକଟରେ ଘଟିଥିବା କିନ୍ନର ସୋନାଲି ଅଞ୍ଜଳି ଓରଫ ବିନେଶ ରାଉତ ହତ୍ୟାକାଣ୍ଡକୁ ନେଇ ପିପିଲି ପୋଲିସ ଛାନଭିନ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହ ସ୍ୱତନ୍ତ୍ର ପୋଲିସ ଟିମ ଘଟଣାର ତଦନ୍ତ ଚଳାଇଛନ୍ତି। ହେଲେ ପୋଲିସ ହତ୍ୟାକାରୀଙ୍କ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇପାରିନାହିଁ। ହତ୍ୟାକାରୀ ମିଳିବା ପରେ ହତ୍ୟାର କାରଣ ସ୍ପଷ୍ଟ ବୋଲି ପୋଲିସ କହିଛି। ସେପଟେ ସିସିଟିଭି ଫୁଟେଜ ଓ ମୋବାଇଲ ଫୋନକୁ ଆଧାର କରି ପୋଲିସ ତନାଘନା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ସାଲେପୁରର ଅଞ୍ଜଳୀ ଓରଫ ସୋନା କିନ୍ନର ଗତ ଦୁଇ ଦୁଇଦିନ ତଳେ ଭୁବନେଶ୍ୱର ଆସିଥିଲେ। ବର୍ଷେ ପୂର୍ବରୁ ବିନେଶ ରାଉତ ନାମରେ ପରିଚିତ ଥିଲେ। ବାଣିଜ୍ୟରେ ସ୍ନାତକ ଯାଏଁ ପାଠପଢିଥିବା ବିନେଶ, ଜଣେ ମେଧାବୀ ଛାତ୍ର। କେବଳ ଏତିକି ନୁହେଁ, ସେ ଏକ ସ୍କୁଲର ଯୋଗ ଶିକ୍ଷକ ମଧ୍ୟ ଥିଲେ। ଗତ ବର୍ଷେ ହେଲା ବିନେଶଙ୍କ ମଧ୍ୟରେ ଅସମ୍ଭବ ପରିବର୍ତ୍ତନ ସହ ମହିଳାଙ୍କ ଭଳି ଆଚରଣ ଘର ଲୋକ ଦେଖିବାକୁ ପାଇଥିଲେ। ଯାହାକୁ ନେଇ ପରିବାର ମଧ୍ୟରେ ବିବାଦ ବି ଲାଗିରହିଥିଲା। ତେଣୁ ବର୍ଷେ ହେବ ଅଞ୍ଜଳୀ ଓରଫ ସୋନା ଘର ଲୋକଙ୍କଠୁ ଲୁଚି ରହୁଥିଲେ। କିନ୍ତୁ ରହସ୍ୟଜନକ କଥା ହେଉଛି, ପରିବାର ଲୋକ କିମ୍ବା ଯୋଗ ଛାତ୍ରଛାତ୍ରୀ ବିନେଶଙ୍କୁ ଜଣେ କିନ୍ନର ବୋଲି ଗ୍ରହଣ କରିପାରୁନାହାନ୍ତି।
ଲୋକେ କହିବାନୁସାରେ, ଦୁଇଦିନ ହେଲେ ସେ ରାସ୍ତା କଡରେ ଠିଆ ହେଉଥିଲେ। ରବିବାର ରାତି ରାତିରେ ସେ ପିପିଲି ଥାନା ଉତ୍ତରା ଛକ ସିଫା ନିକଟ ରାସ୍ତାକଡରେ ପହଞ୍ଚିବା କ୍ଷଣି କିଛି ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଯୁକ୍ତିତର୍କ ଆରମ୍ଭ କଲେ। ସୋନା ବିରୋଧ କରିବା ସହ ପୋଲିସର ଆଶ୍ରୟ ନେବାକୁ ଚେତାବନୀ ଦେବାରୁ ଦୁର୍ବୃତ୍ତମାନେ ଉତ୍କ୍ଷିପ୍ତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତ- ସୋନାଙ୍କ ଭିତରେ ବାଲିଗଦାରେ ବେଶ୍ କିଛି ସମୟ ଧସ୍ତାଧସ୍ତି ଚାଲିଲା। ଦୁର୍ବୃତ୍ତମାନଙ୍କୁ ସମ୍ଭାଳିବା ଅସହ୍ୟ ହେବାରୁ ସୋନା ଧାଇଁ ବିଲ ଆଡକୁ ପଳାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ। ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ଏନ୍ଏଚ୍ରେ ଯାଉଥିବା ଲୋକ ରୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ଛୁ ମାରିଥିଲେ। ସୋନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୋନାଙ୍କ ବାମ ଗୋଡ, ଜଙ୍ଘ, ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ଥିବା ଡାକ୍ତର କହିଛନ୍ତି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି। ବାଲିଗଦା ନିକଟରେ ନକଲି ଚୁଟି, ଅନ୍ତବସ୍ତ୍ର, ଚପଲ, ମେଞ୍ଚାଏ ରକ୍ତ ପଡି଼ଥିବା ପୋଲିସ ଦେଖିଛି।
ପୁଲିସ କହିବା ମୁତାବକ, ସୋନା ୩-୪ ଦିନ ଧରି ଉକ୍ତ କିନ୍ନର ଖଟିକୁ ଯାଉଥିଲେ। ପୂର୍ବରୁ ସେଠାରେ ଆଡ୍ଡା ଜମାଉଥିବା କିନ୍ନରଙ୍କ ବେପାର ମାନ୍ଦା ହେବା ଭୟ ଘାରିଥିଲା। ସେଠାକୁ ନ ଆସିବା ପାଇଁ ଅନ୍ୟ କିନ୍ନରମାନେ ସୋନାଙ୍କୁ ଚେତାଇଥିଲେ। ଏହା ହତ୍ୟା ପଛର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ହତ୍ୟାକାରୀଙ୍କୁ ଖୋଜାଚାଲିଛି।
ତେବେ ହତ୍ୟାକାଣ୍ଡସ୍ଥଳର କିଛି ଦୂରରେ ଥିବା ଏକ ଆପାର୍ଟମେଣ୍ଟରୁ ପୋଲିସକୁ କିଛି ସୁରାକ ମିଳିଥିବା କୁହାଯାଉଛି। କାରଣ ସନ୍ଧାନୀ କୁକୁର ସେହି ଆପାର୍ଟମେଣ୍ଟକୁ ବି ଯାଇଥିଲା। ତେବେ ଏହି ଆପାର୍ଟମେଣ୍ଟରେ ଲୁଚି ରହିଛି କି ହତ୍ୟାର ସବୁ ରହସ୍ୟ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପକ୍ଷରେ, କିନ୍ନର ହତ୍ୟା ଘଟଣାକୁ ନେଇ ରାଜଧାନୀରେ କିନ୍ନରମାନେ ହୋ ହାଲ୍ଲା, ରାସ୍ତା ରୋକ କରିଛନ୍ତି। ନ୍ୟାୟ ଦାବିରେ କିନ୍ନର ସଂଘ ଆଜି କ୍ୟାପିଟାଲ ହସପିଟାଲ ଛକ ରାସ୍ତା ଅବରୋଧ କରିଥିଲେ। ୫୦ରୁ ଅଧିକ କିନ୍ନର ରାସ୍ତା ଅବରୋଧ କରିବା ସହ ହୋହଲ୍ଲା କରିଥିଲେ। ଏପରିକି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଧାରଣରେ ବସିରହିଥିଲେ। ଖାଲିସେତିକି ନୁହେଁ ୧୦ ଲକ୍ଷ କ୍ଷତିପୂରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଦାବି କରାଯାଇଛି। ପରେ କମିଶନରେଟ ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

