କୋଲକାତା, ୦୭।୦୨: ଚଳିତ ଟିି-୨୦ ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ୍ରେ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ୩୫ ରନ୍ରେ ସ୍କଟଲାଣ୍ଡ୍କୁ ହରାଇ ଦେଇଛି। ତା’ ସହିତ ଆତ୍ମବିଶ୍ୱାସର ସହ ନିଜ ଅଭିଯାନ ଆରମ୍ଭ କରିଛି। ବ୍ୟାଟିଂ ବେଳେ ସିମରନ୍ ହେଟମାୟରଙ୍କ ୨୨ ବଲ୍ ଅର୍ଦ୍ଧଶତକ ଏବଂ ବୋଲିଂରେ ରୋମାରିଓ ସେପାର୍ଡଙ୍କ ହ୍ୟାଟ୍ରିକ୍ ୱେଷ୍ଟଇଣ୍ଡିଜ୍ ଦୃଷ୍ଟିକୋଣରୁ ଏହି ମ୍ୟାଚ୍କୁ ଅଧିକ ସ୍ମରଣୀୟ କରିଛି।
ହେଟମାୟାର ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ସେପାର୍ଡ ବ୍ୟକ୍ତିଗତ ଭାବେ ଚଳିତ ବିଶ୍ୱକପ୍ର ପ୍ରଥମ ଏବଂ ମାସକ ଭିତରେ ଦ୍ୱିତୀୟ ଥର ଲାଗି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ସେ ମଧ୍ୟ ନିଜ ଜୀବନର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ହାସଲ କରିଛନ୍ତି। ଶନିବାର ୱେଷ୍ଟଇଣ୍ଡିଜ୍ ୧୮୩ ରନ୍ର ଲକ୍ଷ୍ୟ ଦେବା ପରେ ଶେଷ ମୁହୂର୍ତ୍ତରେ ବାଂଲାଦେଶର ସ୍ଥାନ ନେଇଥିବା ସ୍କଟଲାଣ୍ଡ୍ର ପଶ୍ଚାତଧାବନ ଥିଲା ବେଶ୍ ନାଟକୀୟ।
ଏହି ୟୁରୋପୀୟ ଦଳ ୧୩.୧ ଓଭରରେ ୩ ୱିକେଟ୍ ହରାଇ ୧୧୫ ରନ୍ କରିବା ସହ ଏକପ୍ରକାର ସୁବିଧାଜନକ ସ୍ଥିତିରେ ରହିଥିଲା। ତେବେ ହଠାତ୍ ଦିଗ ହରାଇ ବସିଥିଲା। ଶେଷ ୭ ୱିକେଟ୍ ମାତ୍ର ୩୨ ରନ୍ରେ ହରାଇ ଇଣ୍ଡିଜ୍କୁ ସହଜ ବିଜୟ ପ୍ରଦାନ କରିଥିଲା। ସେପାର୍ଡ ସପ୍ତଦଶ ଓଭରର ଲଗାତାର ତିନିଟି ଏବଂ ମୋଟ ଉପରେ ଚାରିଟି ୱିକେଟ୍ ନେଇ ସ୍କଟଲାଣ୍ଡ୍ର ଏଭଳି ଅପ୍ରତ୍ୟାଶିତ ବିପର୍ଯ୍ୟୟ ଘଟାଇଥିଲେ। ସେହିଭଳି ଅଲ୍ରାଉଣ୍ଡର୍ ଜାସନ ହୋଲ୍ଡର ମଧ୍ୟ ୩ଟି ବହୁମୂଲ୍ୟ ୱିକେଟ୍ କରାୟତ୍ତ କରି ଅନ୍ତର୍ଜାତୀୟ ଟି-୨୦ରେ ୧୦୦ ୱିକେଟ୍ ପୂରଣ କରିଥିଲେ। ହେଟମାୟର ତାଙ୍କ ୩୬ ବଲ୍ରୁ ୬୪ ରନ୍ର ବିସ୍ଫୋରକ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପୂର୍ବରୁ ସ୍କଟଲାଣ୍ଡ୍ ଟସ୍ ଜିତି ଇଣ୍ଡିଜ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରତିପକ୍ଷ ଅଧିନାୟକ ସାଇ ହୋପ୍ଙ୍କୁ ବି ୧୯ ରନ୍ରେ ଶିକାର କରି ନେଇଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ନେବା ସତ୍ତ୍ବେ ଇଣ୍ଡିଜ୍ର ରନ୍ ସଂଗ୍ରହ ହାରକୁ କମାଇ ପାରି ନଥିଲା। ଫଳରେ ଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୨ ରନ୍ କରି ନେଇଥିଲା। ଜବାବରେ ସ୍କଟଲାଣ୍ଡ୍ ୭ ବଲ୍ ପୂର୍ବରୁ ମାତ୍ର ୧୪୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର୍: ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ-୧୮୨/୫ (ସିମରନ୍ ହେଟମାୟର ୬୪, ବ୍ରାଣ୍ଡନ୍ କିଙ୍ଗ୍ ୩୫, ସେରଫାନ ରଦରଫୋର୍ଡ ୨୬, ବ୍ରାଡ୍ କ୍ୟୁରି ୨/୨୩)। ସ୍କଟଲାଣ୍ଡ୍ ୧୮.୫ ଓଭରରେ-୧୪୭ (ରିଚି ବାରିଙ୍ଗଟନ୍ ୪୨, ଟମ୍ ବ୍ରୁସ୍ ୩୫, ରୋମାରିଓ ସେପାର୍ଡ ୫/୨୦, ଜାସନ ହୋଲ୍ଡର ୩/୩୦)।

