ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍): ଭୁବନେଶ୍ୱର ନିଳାଦ୍ରୀବିହାର ହତ୍ୟାକାଣ୍ଡ ଘଟଣାକୁ ପୋଲିସ ତନାଘନା କରୁଥିବା ବେଳେ ମଙ୍ଗଳବାର ହତ୍ୟାକାରୀ କୁହାଯାଉଥିବା ପ୍ରେମିକ ଦିନେଶ ଓରଫ ଦିନବନ୍ଧୁ ନାୟକ ଆତ୍ମସମର୍ପଣ କରିଛି। ପୋଲିସ ତାକୁ ହେପାଜତକୁ ନେଇ ମାରାଥର ଜେରା କରୁଛି। ତେବେ ହତ୍ୟାର ପ୍ରକୃତ କାରଣ କ’ଣ ତାକୁ ନେଇ ପୋଲିସ ଛାନଭିନ କରୁଥିବା ବେଳେ ସିସିଟିଭି ଫୁଟେଜ ରହସ୍ୟ ଉପରୁ ପରଦା ଉଠାଇଛି।
ଭାଇରାଲ ସିସିଟିଭି ଫୁଟେଜରେ ତ୍ରିକୋଣୀୟ ପ୍ରେମ କାହାଣୀର ୩ଟି ଯାକ ଚରିତ୍ର ଦୀନେଶ, ଲିଜା ଓ ସତ୍ୟବ୍ରତ କଏଦ ହୋଇଛନ୍ତି। ଫେବ୍ରୁଆରୀ ୯ ତାରିଖ ରାତି ସାଡେ ଗୋଟାଏ। ଜଣେ ଯୁବକ ରକ୍ତାକ୍ତ ହୋଇ ସୌଡି ଯାଉଛନ୍ତି। ସେ ହେଉଛନ୍ତି ହତ୍ୟାର ଶିକାର ହୋଇଥିବା ପ୍ରେମିକ ସତ୍ୟବ୍ରତ ପ୍ରଧାନ। ବେକରେ ଗଭୀର କ୍ଷତ ଆଉ ପଛରେ ଭୟର ବାତାବରଣ। ଦଉଡୁଛନ୍ତି ଆଉ ପଛକୁ ବି ଚାହୁଁଛନ୍ତି। ହୁଏତ ସେ କାହାକୁ ଡରିଡରି ପ୍ରାଣ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ରାତିର କିଟିମିଟି ଅନ୍ଧାର ଓ କୁକୁର ବିକଟାଳିଆ ରଢି ଭିତରେ ନିଳାଦ୍ରୀ ବିହାର ଅଞ୍ଚଳର ଏକ ନିସ୍ତବ୍ଧ ଗଳି ଭିତରୁ ସେ ଜୀବନ ବଞ୍ଚାଇ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଯାଉଛନ୍ତି।
ଆଉ ଏହାର ଠିକ୍ କିଛି ସମୟ ପରର ଆଉ ଗୋଟିଏ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଆକ୍ରମଣ ବେଳେ ଲିଜା ଆଉ ତାଙ୍କ ପ୍ରେମିକ ଦୀନେଶ ବି ଘଟଣାସ୍ଥଳରେ ଅଛନ୍ତି। ଏ ଦୌଡା ଦୌଡି ଭିତରେ ସେମାନେ ସତ୍ୟବ୍ରତଙ୍କୁ ପିଛା କରିଥାଇ ପାରନ୍ତି। କାରଣ ଘଟଣାର କିଛି ସମୟ ଭିତରେ ହିଁ ସତ୍ୟବ୍ରତ ରାସ୍ତାରେ ପଡି ଜୀବନ ହରାଇଥିବା ବେଳେ ଏ ଦୁଇଜଣ ବେଧଡକ୍ ଭାବେ ଯେଉଁ ଗଳି ଦେଇ ସତ୍ୟବ୍ରତ ଦୌଡି ଯାଇଥିଲେ ସେହି ଗଳି ଦେଇ ଲେଉଟି ଆସୁଛନ୍ତି।
ରାତି ଗୋଟାଏ ୪୨। ଆଗେ ଆଗେ ଧଳା ଟି-ସର୍ଟ ଆଉ ଜିନ୍ସ ପିନ୍ଧି ଲିଜା ଯାଉଥିବା ବେଳେ ତାଙ୍କ ପଛରେ ଯାଉଛନ୍ତି ପ୍ରେମିକ ଦୀନେଶ। ତା’ମାନେ ଘଟଣାରେ ଏମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଅଟକ ଥିବା ପାର୍ଲରବାଲି ପ୍ରେମିକା ଲିଜା ସତ ମାନୁ ନ ଥିବା ବେଳେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ଦିନେଶକୁ ମାରାଥନ ଜେରା ଚାଲିଛି।
କଥା ଏଇଠି ସରୁନି, ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ ପ୍ରଶ୍ନ ପୁଣି ଉଙ୍କି ମାରିଛି। ଯାହା ରାତିରେ ଏଇଠି ଥିଲା, ଆଉ ସକାଳୁ ଅନ୍ୟ ଗୋଟାଏ ଡ୍ରାଇଭର ହାତରେ ଗଲା ବେଳେ କେଦାରପଲ୍ଲୀ ବସ୍ତି ଉପରେ ଗଳି ପଡିଥିଲା। ତେବେ ରାତିରେ ଘଟଣା ଘଟିବା ପରେ ମାଲିକାଣୀ କେମିତି ଜାଣିଲେ, ଏହି ଜାଗାରେ ଘଟଣା ଘଟିଛି ବୋଲି? ଆଉ ପୋଲିସକୁ ଖବର ନ ଦେଇ କ’ଣ ପାଇଁ ଗାଡି ନେଇ ଫେରାର ମାରୁଥିଲା ତାଙ୍କ ଡ୍ରାଇଭର, ପୋଲିସ ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି।

