ରାଜ୍ୟସଭାର ରୋଚକ ଘଟଣା : ମନେପଡେ ୨୦୦୨ ଓ ୨୦୧୪ର କାହାଣୀ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ନିକଟରେ ରାଜ୍ୟସଭା ଭୋଟ୍‌ ଶେଷ ହୋଇଛି। ଏଥିରେ ମନମୋହନ ସାମଲ, ସୁଜିତ କୁମାର, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ହେଲେ ଦିଲ୍ଲୀପଙ୍କ ବିଜୟୀ ପୁଣି ଇତିହାସ ସୃଷ୍ଟି କରିଛି। ଦଳୀୟ ହ୍ୟୁପ୍‌ ସତ୍ୱେ ବିଜେଡି ଓ କଂଗ୍ରେସ ବିଧାୟକ କ୍ରସଭୋଟିଂ କରିବାରୁ ଦିଲ୍ଲୀପ ବିଜୟୀ ଲାଭ କରିଥିଲେ। ତେବେ ଏହି ଘଟଣା ପରେ ୨୦୦୨ ଓ ୨୦୧୪ର କାହାଣୀକୁ ପୁଣି ଥରେ ମନେ ପକାଇଦେଇଛି।

କାରଣ ୨୦୦୨ ରାଜ୍ୟସଭା ନିର୍ବାଚନ ଫଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ଏକ ବଡ଼ ଧକ୍କା ଥିଲା।୨୦୦୨ରେ ବି ଓଡ଼ିଶାରୁ ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ। ଯେଉଁଥିଲେ ଏହି ଦିଲ୍ଲୀପ ରାୟ କଂଗ୍ରେସ ପ୍ରାର୍ଥୀ ମୋରିସ୍‌ କୁଜୁରଙ୍କୁ ପରାସ୍ତ କରି ନବୀନଙ୍କ ସବୁ ଅଙ୍କ ଭୁଲ କରିଦେଇଥିଲେ। ଦିଲ୍ଲୀପଙ୍କୁ ହରାଇବା ପାଇଁ ନବୀନ ସବୁପ୍ରକାର ଗୋଟି ଚାଳନା କରିଥିଲେ। ଏପରିକି କୁହାଯାଏ ବିଜେଡିର ବଳକା ଭୋଟ୍‌ ମୋରିସ କୁଜୁରଙ୍କୁ ଦେବା ଲାଗି କଂଗ୍ରେସ ସହ ନବୀନ କରିଥିଲେ ଭିତିରିଆ ଡିଲ। ବିଧାନସଭାରେ ବିଜେଡିର ୭୧ ବିଜେପିର ୩୮ ଏବଂ କଂଗ୍ରେସର ୨୬ ବିଧାୟକ ଥିଲେ। ୨୦୦୨ ରାଜ୍ୟସଭା ନିର୍ବାଚନରେ ୧୪୭ରୁ ୧୪୩ ଜଣ ବିଧାୟକ ଭାଗ ନେଇଥିଲେ। ବିଜେଡି ବିଧାୟକ ତଥା ଜଙ୍ଗଲ ମନ୍ତ୍ରୀ ଏ.ପି ସିଂଦେଓଙ୍କ ଭୋଟ୍‌ ନାକଚ ହୋଇଥିଲା। ପ୍ରଥମ ୩ଟି ଆସନରେ ବିଜେଡିର ୨ଜଣ ଓ ବିଜେପିର ଜଣେ ପ୍ରାର୍ଥୀ ସହଜରେ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀତା ହୋଇଥିଲା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ କଂଗ୍ରେସ ପ୍ରାର୍ଥୀ ମୋରିସ କୁଜୁରଙ୍କ ମଧ୍ୟରେ। ତେବେ ନବୀନଙ୍କ ଶତ ଚେଷ୍ଟା ସତ୍ୱେ ବିଜେଡିର ୧୪ ବିଧାୟକ, ବିଜେପିର ୮ ବିଧାୟକ, କଂଗ୍ରେସର ୨, ଜେଏମ୍‌ଏମର ଜଣେ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ଭୋଟ୍‌ ପାଇ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ। ଆଉ ୨୬ ବିଧାୟକ ଥାଇ ବି କଂଗ୍ରେସ ପ୍ରାର୍ଥୀ ମୋରିସ୍‌ କୁଜୁର ହାରିଥିଲେ।

୨୦୧୦ରେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନରେ ଆଉ ଏକ ରୋଚକ ଲଢେଇ ଦେଖିବାକୁ ମିଳିଥିଲା। ଏଥିରେ କଂଗ୍ରେସ ଓ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ବ୍ୟବସାୟୀ ତାରାରଞ୍ଜନ ପଟ୍ଟନାୟକଙ୍କୁ ହରାଇ ନିର୍ବାଚିତ ବିଜେଡିର ତୃତୀୟ ପ୍ରାର୍ଥୀ ବୈଷ୍ଣବ ପରିଡ଼ା ହୋଇଥିଲେ। ବିଜେଡିର ଅନ୍ୟ ଦୁଇ ପ୍ରାର୍ଥୀ ପ୍ୟାରୀମୋହନ ମହାପାତ୍ର ଓ ଶଶିଭୂଷଣ ବେହେରାଙ୍କୁ ଜିତାଇବା ପାଇଁ ଦଳ ପାଖରେ ଆବଶ୍ୟକ ଭୋଟ୍‌ ଥିବା ବେଳେ ବୈଷ୍ଣବଙ୍କ ପାଇଁ ନିଅଣ୍ଟ ଥିଲା ସଂଖ୍ୟା। ସେପଟେ କଂଗ୍ରେସର ୨୭, ବିଜେପିର ୬ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଜିତିବା ପାଇଁ ସ୍ୱାଧୀନ ପ୍ରାର୍ଥୀ ତାରାରଞ୍ଜନ ପଟ୍ଟନାୟକ ଆଶା ବାନ୍ଧି ବସିଥିଲେ। କିନ୍ତୁ ପ୍ୟାରୀଙ୍କ ଗୋଟି ଚାଳନା ଆଗରେ ଧୂଳି ଚାଟିଥିଲେ ତାରା। ଦଳୀୟ ହ୍ୱିପ ସତ୍ୱେ ବିଜେପି ବିଧାୟକ ଭୀମସେନ ଚୌଧୁରୀ ଭୋଟ୍‌ ଦେବାକୁ ଆସିନଥିବା ବେଳେ କଂଗ୍ରେସର ଦୁଇ ବିଧାୟକ ଗ୍ରେଗୋରୀ ମିଞ୍ଜ ଓ ଶିବାଜୀ ମାଝି ମଧ୍ୟ ଅନୁପସ୍ଥିତ ରହିଥିଲେ। ଫଳରେ ତାରା ରଞ୍ଜନଙ୍କ ରାଜ୍ୟସଭା ଯିବା ଆଶା ମୋଉଳି ଯାଇଥିଲା। ଏହି ନିର୍ବାଚନରେ ଘୋଡ଼ା ବେପାର କରିଥିବା ନେଇ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲା। ବିଜେଡିର ଦୁଇ ତତକାଳୀନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଅତନୁ ସବ୍ୟସାୟୀ ନାୟକ ବିଜେପି ଓ କଂଗ୍ରେସର ୩ ବିଧାୟକଙ୍କ ସହ ମିଡିଲମ୍ୟାନ ଜରିଆରେ ଡିଲ କରୁଥିବାର ଅଡିଓ ବାର୍ତ୍ତାଳାପ ସାମ୍ନାକୁ ଆସିଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ କିଛି ଦିନ ତମ୍ବିତୋଫାନ ହୋଇଥିଲା।

୨୦୧୪ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା ଏକ ରୋଚକ ମୁକାବିଲା। ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ। ଏହି ନିର୍ବାଚନରେ ବିଜେଡି ସମର୍ଥନରେ ସ୍ୱାଧାନ ପ୍ରାର୍ଥୀ ହୋଇଥିଲେ ବିଶିଷ୍ଟ ପଥର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ତାଙ୍କର ମୁକାବିଲା ହୋଇଥିଲା କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ୱାଳଙ୍କ ସହ। ତେବେ ବିଜେଡି ବିଧାୟକଙ୍କ ଧୋକା ଯୋଗୁଁ ନିର୍ବାଚନ ହାରିଥିଲେ ରଘୁନାଥ ମହାପାତ୍ର। ଜିତିବା ପାଇଁ ୩୦ ପ୍ରଥମ ପସନ୍ଦର ଭୋଟ୍‌ ଦରକାର ହେଉଥିବା ବେଳେ ବିଜେଡିର ୩ ପ୍ରାର୍ଥୀ ଏ.ୟୁ ସିଂହଦେଓ, କଳ୍ପତରୁ ଦାସ ଓ ସରୋଜିନୀ ହେମ୍ବ୍ରମଙ୍କ ବିଜୟ ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ଥିଲା। ବିଜେଡିର ୧୦୮ ସଦସ୍ୟରୁ ୩ ପ୍ରାର୍ଥୀଙ୍କ ପାଇଁ ୯୦ ଭୋଟ୍‌ ଯିବା ପରେ ବଳକା ୧୮ ଭୋଟ୍‌ ରଘୁନାଥଙ୍କୁ ମିଳିବା କଥା।

କିନ୍ତୁ ରଘୁନାଥଙ୍କ ସପକ୍ଷରେ ବିଜେଡିର ମାତ୍ର ୧୧ ଜଣ ସଦସ୍ୟ ହିିଁ ପ୍ରଥମ ପସନ୍ଦ ଭୋଟ୍‌ ଦେଇଥିଲା। କାରଣ ବିଜେଡିର ୩ ପ୍ରାର୍ଥୀଙ୍କ ସପକ୍ଷରେ ଆବଶ୍ୟକଠାରୁ ଅଧିକ ପ୍ରଥମ ପସନ୍ଦ ଭୋଟ୍‌ ପଡ଼ିଥିଲା। ଏ.ୟୁଙ୍କୁ ୩୩, କଳ୍ପତରୁଙ୍କୁ ୩୨ ଓ ସରୋଜିନୀଙ୍କୁ ମିଳିଥିଲା ୩୧ଟି ପ୍ରଥମ ପସନ୍ଦର ଭୋଟ୍‌। ବିଜେଡିର ଗୋଟିଏ ଭୋଟ୍‌ ନାକଚ ହୋଇଯାଇଥିଲା। ଯେଉଁଥିପାଇଁ ରଘୁନାଥଙ୍କୁ ମାତ୍ର ୨୦ଟି ପ୍ରଥମ ପସନ୍ଦ ଭୋଟ୍‌ ମିଳିଥିଲା ସେଥିରେ ବିଜେଡିର ୧୧, ବିଜେପିର ୫, ୩ ସ୍ୱାଧୀନ ବିଧାୟକ ଓ ସିପିଆଇର ଗୋଟିଏ ଭୋଟ୍‌ ଥିଲା। ବିଜେପି ବିଧାୟକ ମନୋଜ ପ୍ରଧାନ ଅନୁପସ୍ଥିତ ରହିଥିଲେ। ଅନ୍ୟ ପକ୍ଷରେ ରଞ୍ଜୀବ ବିଶ୍ୱାଳଙ୍କ ସପକ୍ଷରେ କଂଗ୍ରେସର ୨୭ ପ୍ରଥମ ପସନ୍ଦ ଭୋଟ୍‌ ସହ ସ୍ୱାଧୀନ ବିଧାୟକ ଜର୍ଜ ତିର୍କୀ ଓ ନିଲମ୍ବିତ ବିଜେପି ବିଧାୟକ ଭୀମସେନ ଚୌଧୁରୀଙ୍କ ଭୋଟ୍‌ ଯାଇଥିଲା। ୨୯ ପ୍ରଥମ ପସନ୍ଦ ଭୋଟ୍‌ ସହ ବାଜିମାରି ନେଇଥିଲେ ରଞ୍ଜୀବ ବିଶ୍ୱାଳ। ଏବେ ପୁଣି ଥରେ ୁ ଦିଲ୍ଲୀପ ରାୟ ଯଦି ୨୦୦୨ ପରି କଂଗ୍ରେସ ଓ ବିଜେଡିରେ କ୍ରସ୍‌ ଭୋଟିଂ କରାଇବାରେ ସମର୍ଥ ହୋଇଥିଲେ। ଯାହା ନବୀନଙ୍କୁ ପୁଣି ଥରେ ଶକ୍ତ ଧକ୍କା ଦେଇଛି।


Reporterspen