ମନୁଷ୍ୟକୃତ ଜଙ୍ଗଲ ନିଆଁ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ପ୍ରକୃତିର ଅନନ୍ୟ ବରଦାନ ହେଉଛି ଆମର ସବୁଜ ବନାନୀ। ଏହା ଆମ ଜୀବନ ଓ ଜୀବିକାର ଆଧାର ଅଟେ । ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମନୁଷ୍ୟକୃତ ଜଙ୍ଗଲ ନିଆଁ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁସ୍ଥ ପରିବେଶ ତଥା ମନୁଷ୍ୟ ଜୀବନରେ ବଣ ଜଙ୍ଗଲର ମହତ୍ତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆମେ ଏହି ବିଶ୍ୱ ବନ ଦିବସ ପାଳନ କରୁଛୁ। ଜଙ୍ଗଲ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ଉତ୍ତମ ବନ ପରିଚାଳନା ପଦ୍ଧତି, ବ୍ୟାପକ ବୃକ୍ଷରୋପଣ ଓ ଜନସଚେତନତା ଜରିଆରେ ଆଜି ଓଡିଶା ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟିରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠ ଲାଭ କରିଛି। ଗତ ଦୁଇ ବର୍ଷ ମଧ୍ୟରେ କେବଳ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣ ବୃଦ୍ଧି ଘଟିଛି। ବର୍ତ୍ତମାନ ରାଜ୍ୟର ସମୁଦାୟ ଭୂମି କ୍ଷେତ୍ରର ୩୭.୬୩ ପ୍ରତିଶତ ଅର୍ଥାତ ୫୮,୫୯୭ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣରେ ପରିପୂର୍ଣ୍ଣ।

ଚଳିତ ବର୍ଷ ବିଶ୍ୱ ବନ ଦିବସ ପାଳନର ବିଷୟବସ୍ତୁ ‘ଜଙ୍ଗଲ ଓ ଅର୍ଥନୀତି’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଙ୍ଗଲ କେବଳ ପରିବେଶ ପାଇଁ ନୁହେଁ, ବରଂ ଆମ ରାଜ୍ୟ ତଥା ଦେଶର ବିକାଶ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଙ୍ଗଲ ସୁରକ୍ଷା ସହିତ ଆମେ ଜଙ୍ଗଲକୁ ଜୀବିକା ଅର୍ଜନର ପ୍ରମୁଖ ମାଧ୍ୟମ ଭାବେ ପରିଣତ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରି ସଫଳ ହୋଇଛୁ। ଜଙ୍ଗଲ ନିଆଁ ରୋକିବା ଏବଂ ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ମନୁଷ୍ୟକୃତ ଜଙ୍ଗଲ ନିଆଁ ପାଇଁ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭାଗ ପକ୍ଷରୁ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ଜଙ୍ଗଲ ସୁରକ୍ଷା ସମ୍ବନ୍ଧିତ ପୁସ୍ତକ ଉନ୍‌ମୋଚନ ଏବଂ ଉତ୍ତମ ପ୍ରଦର୍ଶନକାରୀ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀମାନଙ୍କୁ ସମ୍ମାନିତ କରିଥିଲେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ବିଶ୍ୱ ବନ ଦିବସ ପାଳନର ମହତ୍ତ୍ୱ ବିଷୟରେ ଆଲୋକପାତ କରି କହିଥିଲେ ଯେ,ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ଜୀବନ ଜୀବିକାକୁ ଆଗକୁ ନେବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଏ କାର୍ଯ୍ୟକୁ ବିଭାଗ ପକ୍ଷରୁ ଆହୁରି କ୍ରିୟାଶୀଳ କରାଯାଇଛି। ସେମାନଙ୍କ ପାଇଁ କେବଳ ଜଙ୍ଗଲ ଉପରେ ନିର୍ଭର ନକରି ଅନ୍ୟାନ୍ୟ ଜୀବନଜୀବିକା ଉପାର୍ଜନ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରାଯାଉଛି।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ପର୍ଯ୍ୟଟନ କ୍ଷେତ୍ରର ନିଯୁକ୍ତିରେ ଜଙ୍ଗଲ ବିଭାଗର ବହୁତ ବଡ ଭୂମିକା ରହିବ। କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଡ. କେ ମୁରଗେଶନ ଧନ୍ୟବାଦ ଦେଇଥିଲେ।


Reporterspen