ନୂଆଦିଲ୍ଲୀ,୨୫/୦୩: ପରମେଶ୍ୱରଙ୍କ ଯୋଜନାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମିଷ୍ଟର ଫିନିସର ରିଙ୍କୁ ସିଂହଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ଆଗାମୀ ଆଇପିଏଲ ସିଜନ ପାଇଁ ରିଙ୍କୁ ସିଂହ କୋଲକାତା ନାଇଟ ରାଇଡର୍ସ ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଗତ ବର୍ଷ ଭଳି ଅଜିଙ୍କ୍ୟ ରାହାଣେ ଏଥର ମଧ୍ୟ ଦଳର ନେତୃତ୍ୱ ନେବେ।
ଦୀର୍ଘ ଦିନ ପରେ ରିଙ୍କୁ ପରିଶ୍ରମର ମୂଲ୍ୟ ପାଇଛନ୍ତି। ନାଇଟ ରାଇଡର୍ସ ଦଳର ପରିଚାଳନା ନିର୍ଦ୍ଦେଶକ ଭେଙ୍କି ମୈସୂର ରିଙ୍କୁଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲେ। ଗତ ସିଜନରେ ଭେଙ୍କଟେଶ ଆୟର ଉପ ଅଧିନାୟକ ରହିଥିଲେ। ମାତ୍ର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଏଥର ନାଇଟ୍ ରାଇଡର୍ସ ବିଦାୟ ରାସ୍ତା ଦେଖାଇଥିଲା। ମିନି ନିଲାମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୭କୋଟି ଟଙ୍କା ମୂଲ୍ୟରେ ଭେଙ୍କଟେଶଙ୍କୁ କିଣିଥିଲା । ରିଙ୍କୁ ୨୦୧୮ରୁ ନାଇଟ୍ ରାଇଡର୍ସ ଦଳର ସଦସ୍ୟ ରହିଛନ୍ତି।
ରିଙ୍କୁ ସିଂହଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ, ମାର୍ଚ୍ଚ ୨୯ରେ ଆଇପିଏଲ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ କୋଲକାତା । ଏହି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ରିଙ୍କୁ ସିଂହ ପ୍ରଥମ ମ୍ୟାଚରେ ଏକ ବଡ଼ ଆରମ୍ଭ କରିବା ବୋଲି ଆଶା ରଖିଛନନ୍ତି ଫ୍ୟାନ୍ସ । ରିଙ୍କୁ ବହୁ ଦିନ ଧରି କେକେଆର ଦଳର ଅଂଶ ଅଛନ୍ତି । ୨୦୧୮ରୁ କୋଲକାତା ସହିତ ଅଛନ୍ତି । ୫୯ଟି ଆଇପିଏଲ ମ୍ୟାଚ ଖେଳି ୧୦୯୯ ରନ୍ କରିଛନ୍ତି, ଯେଉଁଥିରେ ୪ଟି ଅର୍ଦ୍ଧଶତକ ରହିଛି।
ତାଙ୍କର ହାରାହାରି ୩୦.୫୨ ଏବଂ ଷ୍ଟ୍ରାଇକ୍ ରେଟ୍ ୧୪୫.୧୭ ରହିଛି । ସଦ୍ୟ ସମାପ୍ତ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ଟିମ୍ ଇଣ୍ଡିଆର ସଦସ୍ୟ ଥିରେ ରିଙ୍କୁ ସିଂହ । ନିକଟରେ ତାଙ୍କ ବାପାଙ୍କୁ ହରାଇଥିଲେ । ହେଲେ ଦେଶ ପାଇଁ କର୍ତ୍ତବ୍ୟ ଭୁଲି ନଥିଲେ । ବାପାଙ୍କୁ ହରାଇବା ଦୁଃଖରେ ବି ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇ ବାପାଙ୍କ ସ୍ୱପ୍ନ ପୂରଣ କରିଥିଲେ ।

