ଆଇପିଏଲରେ ଗ୍ଲାମରସ୍‌ ମାଲିକାଣୀ

Reporterspen

ନୂଆଦିଲ୍ଲୀ, ୦୫।୦୪: କ୍ରିକେଟ୍‌ର ମହାପର୍ବ ଆଇପିଏଲ୍‌ କେବଳ ବ୍ୟାଟର୍‌ଙ୍କ ଛକା-ଚୌକା ଓ ବୋଲରଙ୍କ ଘାତକ ୟର୍କର୍‌ ପାଇଁ ଚର୍ଚ୍ଚାରେ ରହେନାହିଁ। ବରଂ ପଡ଼ିଆ ବାହାରେ ବି ଏହା ଏକ ଭିନ୍ନ କାରଣରୁ ଧ୍ୟାନ ଆକର୍ଷଣ କରିଆସିଛି, ତାହା ହେଉଛି ଫ୍ରାଞ୍ଚାଇଜିମାନଙ୍କ ଗ୍ଲାମରସ୍‌ ମାଲିକାଣୀ। ଆଇପିଏଲ୍‌ରେ ସେମାନେ କେବଳ ନିଜର ସୌନ୍ଦର୍ଯ୍ୟ ପାଇଁ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରୁନାହାନ୍ତି ବରଂ ନିଜର ଚତୁର ବ୍ୟବସାୟ ବୁଦ୍ଧି ଓ ପରିଚାଳନା ଦକ୍ଷତା ପାଇଁ ପରିଚିତ ହେଉଛନ୍ତି।

ନିକଟରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ନେତୃତ୍ୱାଧୀନ ଏକ ନିବେଶକ ଗୋଷ୍ଠୀ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ କିଣିବା ପରେ ପୂର୍ବତନ ଖେଳାଳି ତଥା କୁମାରମଙ୍ଗଳମ୍‌ ବିର୍ଲାଙ୍କ ପୁଅ ଆର୍ଯ୍ୟମନ ବିର୍ଲା ଏହାର ନୂଆ ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ତାଙ୍କ ଅପେକ୍ଷା ଚର୍ଚ୍ଚାର କେନ୍ଦ୍ରରେ ଥିଲେ ତାଙ୍କ ଭଉଣୀ ଅନନ୍ୟା ବିର୍ଲା। ସୋସିଆଲ୍‌ ମିଡିଆରେ ସେ ଟ୍ରେଣ୍ଡ୍‌ କରିବା ସହ ତାଙ୍କୁ ଆର୍‌ସିବିର ନୂଆ ଚେହେରା ବୋଲି କୁହାଗଲା। ବିଗତ କିଛି ବର୍ଷ ହେଲା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରରେ ରହିଆସିଛନ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କାବ୍ୟା ମାରାନ୍‌। ମ୍ୟାଚ୍‌ ଚାଲିଥିବାବେଳେ କ୍ୟାମେରାମ୍ୟାନ ଅଧିକାଂଶ ସମୟ ତାଙ୍କ ଉପରେ ଫୋକସ୍‌ କରି ତାଙ୍କ ପ୍ରତିକ୍ରିୟା, ଭାବନାକୁ କଏଦ୍‌ କରିଥାଏ। ଗତ ମାସରେ ସେ ବ୍ରିଟିଶ୍‌ ଟି-୨୦ ଲିଗ୍‌ ଦି ହଣ୍ଡ୍ରେଡ୍‌ ଲାଗି ପାକିସ୍ତାନୀ ଖେଳାଳି ଅବ୍ରାର୍‌ ଅହମ୍ମଦଙ୍କୁ ଖରିଦ କରି ଭାରତୀୟଙ୍କ ରୋଷର ଶିକାର ହୋଇଥିଲେ।

୨୦୦୮ରେ ଆଇପିଏଲ୍‌ ଆରମ୍ଭ ହେବା ଦିନଠାରୁ ଏହାର ଏକ ଗ୍ଲାମରସ୍‌ ଚେହେରା ରହିଆସିଛି। ମୂଳରୁ ହିଁ ଏହା ସହିତ ବଲିଉଡ୍‌ ତାରକା ସଂଶ୍ଲିଷ୍ଟ ହେବା ଏହାର ଗ୍ଲାମରସ୍‌ କୋଣକୁ ବଢାଇଦେଇଥିଲା। ଗୋଟିଏ ପଟେ ଶାହରୁଖ ଖାଁ ଓ ଜୁହି ଚାୱଲା ‘କେକେଆର୍‌’ର ଚେହେରା ଥିବାବେଳେ ଅନ୍ୟପଟେ ପ୍ରୀତି ଜିଣ୍ଟା ‘କିଙ୍ଗସ ଇଲେଭେନ ପଞ୍ଜାବ’ର ଏବଂ ଶିଳ୍ପା ସେଟ୍ଟୀ ରାଜସ୍ଥାନ ରୟାଲ୍ସର ଚେହେରା ଥିଲେ। ତେବେ ପୂର୍ବତନ ଫ୍ରାଞ୍ଚାଇଜି ଡେକାନ ଚାର୍ଜର୍ସର ମାଲିକାଣୀ ଗାୟତ୍ରୀ ରେଡ୍ଡୀ ଜଣେ ସିନେମା ସେଲିବ୍ରିଟି ନ ହୋଇଥିଲେ ବି ନିଜ ସୌନ୍ଦର୍ଯ୍ୟ ପାଇଁ ସେ ପ୍ରଶଂସକ ଓ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଥିଲେ।


Reporterspen