ବୈଭବଙ୍କ ବିସ୍ଫୋରକ ଶତକ ବେକାର, ହାଇଦ୍ରାବାଦ ବିଜୟୀ

Reporterspen

ରାଜସ୍ଥାନକୁ ୫ ୱିକେଟ୍‌ରେ ପରାସ୍ତ କଲା ଏଚଆରଏସ୍‌

ଜୟପୁର, ୨୫ ।୦୪: ଆଇପିଏଲ୍ ୨୦୨୬ର ୩୬ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ୫ ୱିକେଟ୍‌ରେ ପରାସ୍ତ କରିଛି । ଏଥି ସହିତ ହାଇଦ୍ରାବାଦ ଚଳିତ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି । ଏହା ପୂର୍ବରୁ ହାଇଦ୍ରାବାଦ ଗତ ୨୧ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪୭ ରନ୍‌, ଚେନ୍ନାଇ ସୁପର କିଙ୍ଗ୍‌ସକୁ ଏପ୍ରିଲ ୧୮ ତାରିଖରେ ୧୦ ରନ୍ ଏବଂ ଏପ୍ରିଲ ୧୩ ତାରିଖରେ ରାଜସ୍ଥାନକୁ ଅନ୍ୟ ଏକ ମ୍ୟାଚ୍‌ରେ ୫୭ ରନ୍‌ରେ ପରାସ୍ତ କରିଥିଲା ।

ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ହାଇଦ୍ରାବାଦ ୨୨୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା । ଦଳକୁ ମାତ୍ର ୭ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା । ଟ୍ରାଭିସ ହେଡ୍ ୫ଟି ବଲ୍ ଖେଳି ଗୋଟିଏ ଛକା ସହାୟତାରେ ୭ ରନ୍ ସଂଗ୍ରହ କରିଥିଲେ । ତାଙ୍କର ସାଥୀ ଖେଳାଳି ଅଭିଷେକ ଶର୍ମା ଏବଂ ଈଶାନ କିଶନ ଦ୍ୱିତୀୟ ୱିକେଟ୍ ପାଇଁ ୧୩୨ ରନ୍ ସଂଗ୍ରହ କରିଥିଲେ । ଅଭିଷେକ ୨୯ ବଲ୍ ଖେଳି ୧୧ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଈଶାନ କିଶନ ୭୪ ରନ୍ ସଂଗ୍ରହ କରିଥିଲେ । ସେ ୩୧ଟି ବଲ୍ ଖେଳି ୧୧ଟି ଚୌକା ଏବଂ ୩ଟି ଛକା ମାରିଥିଲେ । ହେନରିକ୍ କ୍ଲାସେଁ ୨୪ଟି ବଲ୍ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୯ ରନ୍ ସଂଗ୍ରହ କରିଥିଲେ । ନିତିଶ କୁମାର ରେଡ୍ଡୀ ୧୮ଟି ବଲ୍ ଖେଳି ୨ଟି ଚୌକା ଏବଂ ୩ଟି ଛକା ବଳରେ ୩୬ ରନ୍ ସଂଗ୍ରହ କରିଥିଲେ ।
ଟସ୍ ଜିଣି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନ ପାଇଁ ଯଶସ୍ୱୀ ଜୟସ୍ୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୪୦ ରନ୍‌ର ଭାଗିଦାରୀ କରିଥିଲେ । ଏଥିରେ ଜୟସ୍ୱାଲ ୧୦ ରନ୍ କରିଥିଲେ । ସେ ୮ଟି ବଲ୍ ଖେଳି ୨ଟି ଚୌକା ମାରିଥିଲେ ।

ହାଇଦ୍ରାବାଦର ଦ୍ୱିତୀୟ ଶିକାର ହୋଇଥିଲେ ରାଜସ୍ଥାନର ବ୍ୟାଟର ଧ୍ରୁବ ଜୁରେଲ । କିନ୍ତୁ ଏହା ପୂର୍ବରୁ ସେ ବୈଭବଙ୍କ ସହିତ ୧୧୨ ରନ୍‌ର ଭାଗିଦାରୀ କରିଥିଲେ । ଏଥିରୁ ସେ ବ୍ୟକ୍ତିଗତ ଭାବେ ୫୨ ରନ୍ କରିଥିଲେ, ଯେଉଁଥିରେ ୮ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା । ତୃତୀୟ ୱିକେଟ ହରାଇଲା ବେଳକୁ ରାଜସ୍ଥାନର ସ୍କୋର ୧୭୦ ରନ୍‌ରେ ପହଞ୍ଚି ଥିଲା । ଏହି ସମୟରେ ବୈଭବ ସୂର୍ଯ୍ୟବଂଶୀ ଆଉଟ୍ ହୋଇଥିଲେ । ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ସେ ୩୭ଟି ବଲ୍ ଖେଳି ୫ଟି ଚୌକା ଏବଂ ୧୨ଟ ଛକା ବଳରେ ୧୦୩ ରନ୍ ସଂଗ୍ରହ କରିଥିଲେ । ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୨୮ ରନ୍ ସଂଗ୍ରହ କରିଥିଲା ।

ହାଇଦ୍ରାବାଦର ଚତୁର୍ଥ ଶିକାର ହୋଇଥିଲେ ରିୟାନ ପରାଗ । ସେ ମାତ୍ର ୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଦେନୋଭାନ ଫେରିଇରା ୩୩ ରନ କରିଥିଲେ, ଯେଉଁଥିରେ ସେ ୩ଟି ଚୌକା ଏବଂ ୩ଟି ଛକା ମାରିଥିଲେ । ସିମରନ ହେଟମେୟର ୧୧ ରନ୍‌, ରବୀନ୍ଦ୍ର ଜାଦେଜା ଅପରାଜିତ ୪ ରନ୍ ଏବଂ ଜୋଫ୍ରା ଆର୍ଚ୍ଚର ଅପରାଜିତ ୨ ରନ୍ କରିଥିଲେ । ହାଇଦ୍ରାବାଦ ପାଇଁ ଈଶାନ ମାଲିଙ୍ଗା ସର୍ବାଧିକ ୨ଟି ୱିକେଟ ନେଇଥିଲେ । ପ୍ରଫୁଲ୍ଲ ହିଙ୍ଗେ, ପେଟ କମିନ୍ସ, ସାକିବ ହୁସେନ ଏବଂ ନିତିଶ କୁମାର ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।


Reporterspen