ନୂଆଦିଲ୍ଲୀ: ଉଗ୍ର ହୋଇଛି କାଳବୈଶାଖୀ । ଝଡ଼ ତୋଫାନରେ ଚାଲିଗଲା ୨୦ ଜୀବନ । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଦୁଃଖଦ ଖବର । କେଉଁଠି କୋଠା ଭୁଶୁଡ଼ିଛି ତ ଆଉ କେଉଁଠି ଗଛ ମାଡ଼ି ବସିଛି । ଯେଉଁଥିରେ ୨୦ ଜଣ ପ୍ରାଣ ହରାଇଥିବାର ଖବର ଆସିଛି । ଭଦୋହିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଘର ଉପରେ ଇଲେକ୍ଟ୍ରି ପୋଲ୍ ପଡ଼ିଥିବାବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । କାରଣ ଅନେକ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସେପଟେ ଅନ୍ୟ ଏକ ସ୍ଥାନରେ କୋଠା ଭୁଶୁଡ଼ି ପଡ଼ିଥିଲା । ଭଙ୍ଗା କୋଠାତଳୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକ ସ୍ଥାନରେ ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶେଷ ଖବର ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ ଅନେକ ଲୋକ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏତେ ଜୋରରେ ପବନ ହୋଇଥିଲା କି, ସବୁକିଛି ନିମିଷକ ମଧ୍ୟରେ ଛାରଖାର ହୋଇଯାଇଥିଲା ।

