ଶିକ୍ଷାର୍ଥୀଙ୍କ ମୋବାଇଲ୍ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶକ୍ତିଶ୍ରୀ ଭଳି ଏକ ଯୋଜନା ହାତକୁ ନିଆଯାଇଛି । ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ବିଭାଗ ପକ୍ଷରୁ ‘ଶକ୍ତିଶ୍ରୀ’ ମୋବାଇଲ ଆପ୍ ପ୍ରସ୍ତୁତ ହୋଇଛି । ଏହି ଆପ୍କୁ ଶିକ୍ଷାର୍ଥୀମାନେ ମୋବାଇଲ୍ରେ ଡାଉନ୍ଲୋଡ୍ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏସମ୍ପର୍କରେ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି ।
ଏହି ଆପ୍ରେ ମାଧ୍ୟମରେ ବିଶେଷ କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ । ଏଥିରେ ଏସ୍ଓଏସ୍ ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍ ଇନ୍, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି । ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ କିପରି ମୁକାବିଲା କରି ହେବ ତାକୁ ନେଇ ତାଲିମ ମଧ୍ୟ ଦିଆଯିବ । ଏଥିସହ ଛାତ୍ରୀ କିମ୍ବା ଛାତ୍ରମାନେ ଅସୁରକ୍ଷିତ ମଣୁଥିଲେ କିମ୍ବା କୌଣସି ସ୍ଥାନରେ ବିପଦରେ ପଡ଼ିଲେ ସଙ୍ଗେ ସଙ୍ଗେ ଲାଇଭ୍ ଲେକେସନ୍ ପଠାଇ ପାରିବାର ସୁବିଧା ମଧ୍ୟ ରହିଛି । ଜରୁରୀକାଳୀନ ଫୋନ୍ ସୁବିଧା ମଧ୍ୟ ରହିଛି । ପ୍ରତିଦିନ କିପରି ନିଜର ଦକ୍ଷତା ବୃଦ୍ଧି ହୋଇପାରିବ ଏହି ଆପ୍ରେ ମଧ୍ୟ ପ୍ରଶିକ୍ଷଣ ମିଳିପାରିବ ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ କୁହାଯାଇଛି, ଯେଉଁ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପଢ଼ୁଛନ୍ତି ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ପଢ଼ୁଥିବା ସମସ୍ତ ଛାତ୍ରୀଙ୍କ ମୋବାଇଲ ଫୋନ୍ରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଯେପରି ଏହି ଆପ୍ ଇନ୍ଷ୍ଟଲ ହେବ ଆଉ ତାର ଉପଯୋଗ କରିବେ ତାକୁ ସୁନିଶ୍ଚିତ କରାଅ ବୋଲି ନିର୍ଦ୍ଦେଶ ଦେଇଛି ବିଭାଗ । ଏହାକୁ ଗୁରୁତ୍ୱର ସହ ନେବାକୁ କୁହାଯାଇଛି । ଏହା ବାବଦରେ ନୋଟିସ୍ ପ୍ରକାଶ କରିବାକୁ ନିର୍ଦ୍ଦେଶ ହୋଇଛି । ଏଥିସହ ଦିଗ୍ଦର୍ଶନ କାର୍ଯ୍ୟକ୍ରମ, କ୍ଲାସରୁମ୍ କମ୍ୟୁନିକେସନ୍, ହ୍ୱାଟସ୍ଆପ୍ ଗ୍ରୁପ ଆଦିରେ ଏହାର ପ୍ରଚାର ପ୍ରସାର କରାଇବାକୁ କୁହାଯାଇଛି ।
ଏହି ଆପ୍ଲିକେସନ୍ ଡାଉନ୍ଲୋଡ୍ କରିବା ପରେ ପଞ୍ଜୀକରଣ କରିବାକୁ ତଥ୍ୟ ମାଗିବ । ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ସାମ୍ସ ଆଇଡି, କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପଞ୍ଜୀକରଣ ନମ୍ବର, ଲିଙ୍ଗ, ସାମ୍ସରେ ପଞ୍ଜିକୃତ ମୋବାଇଲ ନମ୍ବର ଦେବା ସହ ଦୁଇଟି ଜରୁରୀକାଳୀନ ମୋବାଇଲ ନମ୍ବର ପ୍ରଦାନ କରିବେ । ଏହି ଆପ୍ ୨୪ ଘଣ୍ଟିଆ ସେବା ପ୍ରଦାନ କରିବ । ଏହାକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପ୍ରେ ତଥ୍ୟ ପ୍ରଦାନ କରିପାରିବେ । ଏହାକୁ ଉଚ୍ଚଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭାଗ ଯାଏ ସମସ୍ତଙ୍କ ପାଖରେ ଏହି ଅଭିଯୋଗ ପହଞ୍ଚିପାରିବ । ଏହାର ତ୍ୱରିତ୍ୱ ସମାଧାନ ହେବ । ବିଶେଷ କରି ଜରୁରୀକାଳୀନ ଅପସନ୍ରେ କ୍ଲିକ୍ କଲେ ଏହା ସଙ୍ଗେ ସଙ୍ଗେ ଅଧିକାରୀଙ୍କୁ ସତର୍କ କରିବ ।
ସୂଚନାଯୋଗ୍ୟ, ଗତବର୍ଷ ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ ସରକାର ତତ୍ପରତା ପ୍ରକାଶ କରିଥିଲେ । ଶକ୍ତିଶ୍ରୀ ଭଳି କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ। ଏଥିସହ ଶକ୍ତିଶ୍ରୀ ମୋବାଇଲ୍ ଆପ୍ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଆପ୍କୁ ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିତ କରିଛନ୍ତି । ତେବେ ଏହି ଆପ୍ର ବ୍ୟବହାର ବୃଦ୍ଧି କରିବାକୁ ବିଭାଗ ପକ୍ଷରୁ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ତାଗିଦ୍ କରାଯିବା ଲାଗି ଚିଠି ଲେଖାଯାଇଛି ।

