ଛୁଟିଦିନରେ ଅଫିସ କାମ କଲେ ମୁଖ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅର୍ଥାତ୍ ଚତୁର୍ଥ ଶନିବାର ଛୁଟି ଦିନରେ ଖାରବେଳ ଭବନରେ ଅଫିସ କାର୍ଯ୍ୟ କରିବା ସହ ଉଚ୍ଚ ପଦାଧିକାରୀମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଥିବାବେଳେ ସରକାରଙ୍କ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ଵୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଏବଂ ଭବିଷ୍ୟତ କାର୍ଯ୍ୟ ପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକରେ ପୋଲିସ ପ୍ରଶାସନକୁ କେତେକ ବାସ୍ତବବାଦୀ ପରାମର୍ଶ ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ପୋଲିସ ମହାନିର୍ଦ୍ଦେଶକ ୱାଈ. ବି. ଖୁରାନିଆଙ୍କ ସହିତ ସେହି ନିର୍ଦ୍ଦେଶ ଗୁଡ଼ିକର ଅନୁପାଳନ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ । ତେଣୁ ପୋଲିସ ପ୍ରଶାସନ ଦକ୍ଷତା ଓ ସତର୍କତାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଉପସ୍ଥିତ ଥିଲେ ।


Reporterspen