Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଓଡ଼ିଶା ବିକାଶ ପାଇଁ ସିଙ୍ଗାପୁର ହେବ ‘ଷ୍ଟାଟେଜିକ୍ ପାର୍ଟର’। ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ôଥକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ପ୍ରସ୍ତୁତି ଉପରେ ଅଧିକ ଫୋକସ୍ ଦିଆଯାଇଛି। ସିଙ୍ଗାପୁର ସରକାର ବି ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ। ତେଣୁ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ନୂଆ ସୋପାନରେ ପହଞ୍ଚିବ।
ସିଙ୍ଗାପୁର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟୀତ୍ୱରେ ଥିବା ଉପ ପ୍ରଧାନମନ୍ତ୍ରୀ ଜାନ କିମ୍ ୟଙ୍ଗଙ୍କ ସହ ସାକ୍ଷାତ ଆଲୋଚନା ପରେ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଜାନ କିମ୍ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ଓ ବୋଇତ ବନ୍ଦାଣ ବହୁ ପ୍ରାଚୀନ ଓ ସମୃଦ୍ଧ ବୋଲି କହିଛନ୍ତି। ସିଙ୍ଗାପୁର ସରକାର ଓଡ଼ିଶା ଓ ଭାରତ ସରକାରଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବାକୁ ଅଧିକ ଆଗ୍ରହୀ। ଏବେ ରାସ୍ତା ପ୍ରଶସ୍ତ ହୋଇଛି।
ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କିମଙ୍କୁ ଉତ୍କର୍ଷ ‘ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫’ରେ ଯୋଗଦେବାକୁ ଆମନ୍ତ୍ରଣ କରି କହିଛନ୍ତି ଯେ ପୁଞ୍ଜିନିବେଶ ପାଇଁ ବିଶ୍ୱର ନିବେଶକଙ୍କର ଓଡ଼ିଶା ହେବ ପ୍ରଥମ ପସନ୍ଦର କ୍ଷେତ୍ର। ଏନେଇ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ସିଙ୍ଗାପୁରରେ ବିଶ୍ୱର ବଡ଼ ବଡ଼ କମ୍ପାନୀମାନଙ୍କ ଶୀର୍ଷ ନେତୃତ୍ୱମାନଙ୍କ ସହିତ ସହ ଆମେ ଏଥିପାଇଁ ଆଲୋଚନା କରିଛୁ। ଓଡ଼ିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଉନ୍ନତ ଶିଳ୍ପ ନୀତି ସମ୍ପର୍କରେ ସେମାନଙ୍କୁ ଜଣାଇଛୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ଏଠାରେ ଦକ୍ଷତା ବିକାଶ, ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ôଥକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣରେ ଆଦି କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ କମ୍ପାନୀମାନେ କାମ କରୁଛନ୍ତି। ଆମ ଟିମ୍ ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ ଓ ଆଇଟିଇଇ ସିଙ୍ଗାପୁର ଭଳି କେତେକ ବିଶ୍ୱସ୍ତରୀୟ କମ୍ପାନୀ ପରିଦର୍ଶନ କରିଛି। ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡ଼ିଶାରେ ସେହିଭଳି ବା ତା ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାବୁ ବଦ୍ଧପରିକର ହୋଇଛୁ।
ଏହି ଯାତ୍ରା ଯୋଗୁ ଓଡ଼ିଶାରେ ବିଶେଷକରି ଟେକ୍ସଟାଇଲସ୍, କେମିକାଲ୍ସ, ଗ୍ରୀନ୍ ଏନର୍ଜି, ଲଜିଷ୍ଟିକ୍ସ, ସିପ୍ ବିଲ୍ଡିଙ୍ଗ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଓଡ଼ିଶାରେ ଯୁବକମାନଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସିଙ୍ଗାପୁର ଓ ପଡ଼ୋଶୀ ଆସିଆନ ଦେଶମାନଙ୍କରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀଙ୍କୁ ଭେଟିଛୁ। ସେମାନେ ଓଡ଼ିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ଭାବେ ଆମକୁ ଗୌରବାନ୍ୱିତ କରିଛନ୍ତି। ଓଡ଼ିଶା ଓ ସିଙ୍ଗାପୁରର ସମ୍ପର୍କକୁ ମଜବୁତ୍ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିଳ୍ପ ସମୃଦ୍ଧ ଓଡ଼ିଶା ଗଠନ ନିମନ୍ତେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓଡ଼ିଶା ସରକାର ବଦ୍ଧପରିକର ବୋଲି ଦୃଢ଼ତାର ସହ କହିଛନ୍ତି।
ଉଲ୍ଲେଖନୀୟ ଯେ ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ତ୍ୱରେ ଉଚ୍ଚ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ସିଙ୍ଗାପୁର ଗସ୍ତ କରିଛି। ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ କହିଥିଲେ, ଭାରତ ବାହାରେ ଏହା ହେଉଛି ମୋ ପାଇଁ ପ୍ରଥମ ‘ଇନଭେଷ୍ଟର ମିଟ୍’। ମୋର ପୁରା ବିଶ୍ୱାସ, ଏ ଯାତ୍ରା ନିଶ୍ଚୟ ସଫଳ ହେବ।