ଭୁବନେଶ୍ୱର, (ରିପୋଟର୍ସ ପେନ୍) : କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଭୁବନେଶ୍ୱର ହୋଇଥିଲା । ଏହି ସମୟରେ ମୟୂରଭଞ୍ଜରୁ ଭୁବନେଶ୍ୱର ଫେରୁଥିଲେ ମୁଖ୍ୟମନ୍ତ୍ରୀ । । ବର୍ଷା ଓ ପବନ ପାଇଁ ଭୁବନେଶ୍ୱରରେ ଲ୍ୟାଣ୍ଡିଂ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଫଳରେ ପୁରୀ ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡରେ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ତ୍ତମାନ ପୁରୀ ସର୍କିଟ ହାଉସରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି । ପୁରୀରୁ କାରରେ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ଫେରିବେ ବୋଲି ଜଣାପଡିଛି ।
ସୋମବାର ଅପରାହ୍ନରେ ଟ୍ୱିନସିଟିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । ନିମିଷକ ମଧ୍ୟରେ ଆକାଶ କଳାହାଣ୍ଡିଆ ହୋଇ ଘୋଟି ଆସିଥିଲା । ବର୍ଷା, ପବନ ସହ ବଜ୍ରପାତ ହୋଇଥିଲା । ଏପରିକି କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିଲା । ଟ୍ୱିନସିଟିର କେତେକ ସ୍ଥାନରେ ବର୍ଷା ପାଣି ଜମି ରାସ୍ତା ଜଳାର୍ଣ୍ଣବ ହୋଇଥିଲା । ତେବେ ସୋମବାର ସକାଳେ ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଅପରାହ୍ନରେ କାଳବୈଶାଖୀରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

