ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀ ଭୁବନେଶ୍ୱର ଓ ଉପକଣ୍ଠରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଚୋରି, ଲୁଟ୍, ରାହାଜାନୀ ଓ ହତ୍ୟାକାଣ୍ଡ ଭଳି ଘଟଣା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଏକ ପ୍ରକାର ଭୂଷୁଡି ପଡିଥିବା ବେଳେ ଅନଭିଜ୍ଞ ଅଫିସରଙ୍କ ଯୋଗୁଁ ଅପରାଧର ମାତ୍ରା ବଢୁଥିବା ନେଇ ଅନେକ ଥର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ପୋଲିସ ଘଟଣାକୁ ଗୁରୁତ୍ୱହୀନ ମନେ କରିଥିଲା । ଏବେ ବାଲିଅନ୍ତା ଜଘନ୍ୟ ହତ୍ୟାକାଣ୍ଡ ପରେ ପୋଲିସ ସାରା ଦେଶରେ ବଦନାମ ହେବା ପରେ ଏବେ ଚେତା ପଶିଛି ।
ବାଲିଅନ୍ତା ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜି ଅପରାଧର ସମୀକ୍ଷା କରିବା ସହ ବ୍ଲକିଂ ଓ ଚେକିଂ ପାଇଁ ଅଘୋଷିତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏବେ ରାଜଧାନୀ ଓ ଉପକଣ୍ଠରେ ରାତ୍ରୀବାଳୀନ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି । ବିଶେଷ କରି ଏୟାରପୋର୍ଟ, କ୍ୟାପିଟାଲ, ଭରତପୁର, ବଡଗଡ଼, ମୈତ୍ରୀ ବିହାର, ଖାରବେଳନଗର, ତମାଣ୍ଡୋ, ନନ୍ଦନକାନନ ଥାନା ଅଂଚଳରେ ପୋଲିସ ବ୍ଲକିଂ ଓ ଚେକଂକୁ ଜୋରଦାର କରିଛି । ରାସ୍ତା ବ୍ଲକି କରି ପୋଲିସ ପ୍ରତ୍ୟେକ ଗାଡିକୁ ଅଟକାଇ ଯାଞ୍ଚ କରୁଛି । ଗାଡିର କାଗଜପତ୍ର ଠାରୁ ଆରମ୍ଭ କରି ମଦ୍ୟପାନ ପର୍ଯ୍ୟନ୍ତ ସବୁ ଟିକନିଖ ଯାଞ୍ଚ କରୁଛି । ଏପରିକି ପୋଲିସ କମିଶନର ଓ ଡିସିପି ନିଜେ ସହରସାରା ବୁଲି ବ୍ଲକିଂର ତଦାରଖ କରୁଛନ୍ତି ।
ଯାଞ୍ଚ ବେଳେ ମଦ୍ୟପ ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରିବା ସହ ପୋଲିସ ମାମଲା ରୁଜୁ କରୁଛି । ସେହିପରି କାଗଜପତ୍ର ନଥିବା ଗାଡିକୁ ମଧ୍ୟ ପୋଲିସ ସିଜ କରି ତଦନ୍ତ କରୁଛି । ହେଲେ ଚେକିଂ ବେଳେ କୌଣସି ବଡ ଅପରାଧୀ ଧରାପଡୁନାହାନ୍ତି । ପୋଲିସର ରାତ୍ରୀକାଳିନ ବ୍ଲକିଂ ଓ ଚେକିଂକୁ ସାଧାରଣରେ ପ୍ରସଂଶା କରାଯାଉଛି । ହେଲେ କେବଳ ରାତିରେ ବ୍ଲକିଂ ଓ ଚେକିଂ କରି ଦିନରେ ପୋଲିସ ନିନ୍ଦ୍ୱର୍ନ୍ଦରେ ବସିପଡିବାକୁ ଲୋକେ ନାପସନ୍ଦ କରିଛନ୍ତି ।
ଲୋକଙ୍କ କହିବାକଥା, ଆଗରୁ ପୋଲିସ ପାଟ୍ରୋଲିଂକୁ କମିଶନରେଟ ପୋଲିସ ଗୁରୁତ୍ୱ ଦେଉଥିଲା । କେହି ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କଲେ ପିସିଆର ତୁରନ୍ତ ଘଟଣାସ୍ଥଳରେ ପହଂଚୁଥିଲା । ଏପରି ରାତି ହେଉ ଅବା ଦିନ ପିସିଆର ପାଟ୍ରୋଲିଂ ହେବା ଯୋଗୁଁ ଛୋଟମୋଟ ଅପରାଧର ମାତ୍ରା ହ୍ରାସ ପାଉଥିଲା । ଏପରିକି ବିଟ ପାଟ୍ରୋଲିଂ ମଧ୍ୟ ଅପରାଧ ରୋକିବାରେ ସହାୟକ ହେଉଥିଲା । ଏବେ କିନ୍ତୁ, ସେଭଳି କିଛି ହେଉନାହିଁ । ପିସିଆର ଭ୍ୟାନ କେଉଁଠି ବୁଲୁଛି ଓ କେଉଁଆଡେ ଯାଉଛି, ଦେଖିବା ସ୍ୱପ୍ନ ହୋଇଯାଉଛି । ଫୋନ କଲେ ମଧ୍ୟ ପିସିଆର ଠିକ ସମୟରେ ପହଂଚି ପାରୁନାହିଁ । ତେଣୁ ପୋଲିସ ବ୍ଲକିଂ ସହ ପାଟ୍ରୋଲିଂକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ପୋଲିସ ତା କାମ ଠିକ ଭାବେ କରୁଛି । କାର୍ଯ୍ୟଭାର ଯୋଗୁଁ ସବୁ ଜାଗାରେ ପୋଲିସ ପହଞ୍ଚିବା ସମ୍ଭବପର ହେଉନାହିଁ । ବ୍ଲକିଂ-ଚେକିଂ ଯୋଗୁଁ ଅନେକ ମାତ୍ରାରେ ଅପରାଧକୁ ରୋକାଯାଇପାରିବ ।

