Odisha News: ବିଏମ୍‌ସି ଅଫିସ ଭିତରେ ଅତିରିକ୍ତ କମିଶନରଙ୍କୁ ମାଡ, ବିଜେଡିର ରାସ୍ତାରୋକ

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ହୋଇଛି । ପାଂଚ ଜଣ ଯୁବକ ତାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳନଗର ଥାନାରେ ଏତଲା ଦିଆଯିବା ପରେ ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୟନ୍ତ ରାଉତ, ରଶ୍ମି ମହାପାତ୍ର ଓ ଦେବାଶିଷ ପ୍ରଧାନ । ଏମାନେ ସମସ୍ତେ ବିଜେପି କର୍ମୀ ବୋଲି କୁହାଯାଉଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି ।

ସୂଚନା ଅନୁସାରେ, ପ୍ରତି ସୋମବାର ପରି ଆଜି ମଧ୍ୟ ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା । କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ଏହି ସମୟରେ ୫ ଜଣ ଯୁବକ ତାରଙ୍କ ଚାମ୍ବରକୁ ଧସେଇ ପଶିଥିଲେ । ବିଜେପି ନେତାଙ୍କୁ କ’ଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ଗୋଟିଏ ୱାର୍ଡର ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ଅତିରିକ୍ତ କମିଶନ ତଦନ୍ତକୁ କରୁଥିଲେ । ତଦନ୍ତ ରିପୋର୍ଟ ଦେଲେ କି? ପରେ ବିଜେପି ନେତାଙ୍କୁ କାହିଁକି ର୍ଦ୍ୟୁବହାର କଲେ ବୋଲି କହି ସଂପୃକ୍ତ ୫ ଜଣ ଯୁବକ ତାଙ୍କୁ ମାଡ ମାରିବା ସହିତ ଜୋର ଜବରଦସ୍ତ ବାହାରକୁ ଘୋଷାରି ନେଇଥିଲେ ।

ଏ ଘଟଣା ପରେ ଅତିରିକ୍ତ କମିଶମର ଥାନାରେ ଏତଲା ଦାୟର କରିଥିଲେ । ଦିନ ଦି ପ୍ରହରେ ପଶି ବିଏମସି କାର୍ଯ୍ୟଳୟରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପରେ ଅନ୍ୟ କର୍ମଚାରୀମାନେ ଅସୁରକ୍ଷିତ ମଣି ଧାରଣାରେ ବସିଥିଲେ । ପରେ ମେୟରଙ୍କ ସମେତ ବିଜେଡି ବିଧାୟକ ଓ କର୍ମୀମାନେ ଆକ୍ରମଣକାରୀଙ୍କୁ ଗିରଫ ସହିତ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ଧାରଣାଦେବା ସହ ରାସ୍ତା ଅବରୋଧ କରିଥିଲେ । ପରେ ବେଶ କିଛି ସମୟ ପାଇଁ ମାଷ୍ଟରକ୍ୟାଂଟିନ-ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ।

ଅନ୍ୟପକ୍ଷରେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି, ଏହି ଘଟଣା ନିନ୍ଦନୀୟ । ସେମାନଙ୍କ ଭିତରୁ ଜଣେ ଦୁଇ ଜଣଙ୍କୁ ମୁଁ ଜାଣିଛି । ସେମାନଙ୍କୁ ଡାକି ଘଟଣା ବିଷୟରେ କଥା ହୋଇଛି ବୋଲି କହିଛନ୍ତି । ଆମର ବିଜେପି ସରକାର ହେଉଛି ଲୋକଙ୍କ ସରକାର । ଅତିରିକ୍ତ କମିଶନର କଣ ଆମର ନୁହଁନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସେମାନେ କହିଛନ୍ତି, ମୋ ପିଲା କହିଲେ ହେବନି, ଆମକୁ ଆଡମିଟ୍ କରିବାକୁ ପଡିବ । କେଉଁ କଥାକୁ ନେଇ ଏ ଘଟଣା ଘଟିଲା ବୋଲି ପଚରାଯିବାରୁ ସେ କହିଛନ୍ତି, ଖା ଭୁଞ୍ଜ୍ ଗିଳିକୁ ନେଇ ଏମିତି ଘଟିଛି ବୋଲି ଜଗନ୍ନାଥ କହିଛନ୍ତି ।


Reporterspen