ନୂଆଦିଲ୍ଲୀ – ଦିଲ୍ଲୀ ଏନସିଆର ସମେତ ଭାରତର ଅନେକ ଭାଗରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ଜିୟୋଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ମୁତାବିକ , ଏହାର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶରେ ଭୂପୃଷ୍ଠ ଠାରୁ ୨୧୫ କିଲୋମିଟରର ଗଭୀରତାରେ ଥିବା କୁହାଯାଉଛି। ରିକ୍ଟର ସେକ୍ସରେ ଏହାର ତୀବ୍ରତା ୬.୨ ମପା ଯାଇଛି। ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ, ଘର ଓ ଅଫସିରେ ବସିଥିବା ଲୋକେ ଭୟରେ ବାହାରକୁ ଦୌଡ଼ିଥିଲେ। ହେଲେ ଏଥିରେ ଧନଜୀବନ ନଷ୍ଟ ହେବାର ଖବର ଆସି ନାହିଁ।
ଶନିବାର ସନ୍ଧ୍ୟା ୭ଟା ୪ ମିନିଟ ପରେ ଆସି ଥିବା ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ଖୁବ୍ ଗଭୀରରେ ଥିଲା। ଏଥିଯୋଗୁଁ ଏହାର ଝଟକା ଅନେକ ଦେଶର ଅନୁଭୂତ ହୋଇଛି। ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଭାରତ , ଚୀନ , ତାଜାକିସ୍ତାନ , ଉଜବେକିସ୍ତାନ , କିର୍ଗିସ୍ତାନ ଓ ତୁର୍କମେନିସ୍ତାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏପଟେ ଭାରତରେ ଦିଲ୍ଲୀ ବ୍ୟତୀତ ଜମ୍ମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି।

