ଭୁବନେଶ୍ୱର: ନାଳରେ ଭାସିଯାଇ ଯୁବକ ନିଖୋଜ

Reporterspen

ଅଗ୍ନିଶମ ଓଡରାଫ୍ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି
୪ରୁ ଊର୍ଦ୍ଧ୍ୱ ଟିମ୍ ଖୋଜାଖୋଜି ପରେ ବି ନିଖୋଜଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ୩ ଦିନ ହେବ ଭୁବନେଶ୍ୱରରେ ବର୍ଷା ଜାରି ରହିଛି । ଜୁଲାଇ ମାସର ପ୍ରଥମ ଦିନରୁ ହିଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜୁଥିବା ନଜରକୁ ଆସିଛି । ହେଲେ ଏଯାଏଁ ଡ୍ରେନ ପରିଚାଳନା କରୁଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ନିଦ ଭାଙ୍ଗି ନାହିଁ । ଯାହାଫଳରେ ମୁକୁଳା ଡ୍‌ରେନରୁ ପ୍ଲାଷ୍ଟିକ୍ ଗୋଟାଇ ଗୁଜୁରାଣ ମେଣ୍ଟାଉଥିବା ପଥରବନ୍ଧ ବସ୍ତିର ୩୫ ବର୍ଷୀୟ ଯୁବକ ଅନିଲ ସିଂହଙ୍କର ଲାଗି ମହଙ୍ଗା ପଡିଛି । ଅନ୍ୟ ଦିନ ଭଳି ଶନିବାର ମଧ୍ୟ ଅନୀଲ ପ୍ଲାଷ୍ଟିକ୍ ବୋତଲ ଗୋଟାଇବାକୁ ଯାଇ ୪ ନମ୍ବର ମୁଖ୍ୟ ନାଳରେ ନିଖୋଜ ହୋଇଛନ୍ତି । ଘଟଣାସ୍ଥଳରେ ସହୀଦନଗର ଥାନା ପୋଲିସ, ଅଗ୍ନିଶମ, ଓଡ୍ରାଫ ଓ ବିଏମସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ହେଲେ ରିପୋର୍ଟ ଲେଖା ହେବା ଯାଏଁ ନିଖୋଜଙ୍କ ପତ୍ତା ମିଳି ନାହିଁ ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ବାଣୀବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟ ଦେଇ ଯାଇଥ୍ଖବା ଡ୍‌ରେନ ନମ୍ବର ୪ରେ ଭାସିଯାଇ ଅନୀଲ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ବାସିନ୍ଦା ହୋଇଥ୍ଖବାବେଳେ ତାଙ୍କ ସନ୍ଧାନ ପାଇବାକୁ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଖୋଜାଖୋଜି ଚଳାଇଛନ୍ତି । ଦିନମାନ ତୁହାକୁ ତୁହା ବର୍ଷା ସତ୍ୱେ ଅନିଲ ପ୍ଲାଷ୍ଟିକ ବୋତଲ ଗୋଟାଇବାକୁ ଉକ୍ତ ଡ୍ରେନକୁ ଯାଇଥିଲେ । ନିକଟରେ ଅନୀଲଙ୍କ ସହଯୋଗୀ ମାସାଙ୍ଗ ଟୁଡୁ ଶୌଚ ହେଉଥିଲେ । ଅପରାହ୍ନ ୧ଟା ୩୦ ମିନିଟରେ ଅନୀଲ ଡ୍ରେନରେ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିବାକୁ ଭିତରେ ପସିଥିବାବେଳେ ଭାସିଯାଇଥିବା ସେ କହିଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ନିଖୋଜ ଅନୀଲ ଭାସିଯିବା ପୂର୍ବରୁ ମଧ୍ୟ ଡ୍ରେନରୁ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରୁଥିଲେ । ଅନୀଲ କିିଛି ପ୍ଲାଷ୍ଟିକ୍ ବୋତଲ ସକାଳୁ ଡ୍ରେନରୁ ସଂଗ୍ରହ କରି ଅଖାରେ ପୁରାଇ ରଖିଥିଲେ । ସକାଳୁ ଲଗାଣ ବର୍ଷା ପରେ ଡ୍ରେନ ପାଣିର ସୁଅ ବଢିଥିଲା । ପରେ ସହରସାରର ଅଳିଆ ମୁଖ୍ୟ ନାଳ ଦେଇ ଆସିଥିଲା । ଯାହାପରେ ପୁର୍ନବାର ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିବାକୁ ଅନୀଲ ଚପଲ ଖୋଲି ଡ୍ରେନକୁ ଯାଇଥଲେ । ସେହି ସମୟରେ ପାଣିର ସ୍ତର ଅଧିକ ଥିଲା ଓ ଖାଲରେ ଅନୀଲଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ଭାସିଯାଇଥିଲେ, ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଏହାପରେ ଥାନାକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ୍ ଟିମ୍ ପହଞ୍ôଚ ଖୋଜାଖୋଜି କରିଥିଲେ ।

ଅନ୍ୟପଟେ ସହରର ଖୋଦ୍ ବିଏମସି କମିଶନର ସହରରେ ନାଳ ସଫେଇ ଏଯାବତ୍ ସରି ନଥିବା ସ୍ୱିକାର କରିଛନ୍ତି । ଯେଉଁଠି ଜୁନ୍ ପହିଲା ସୁଦ୍ଧା ମୁଖ୍ୟ ନାଳର ପ୍ରଥମ ପର୍ଯ୍ୟାୟ ସଫେଇ ସରିବା କଥା ଓ ମୌସୁମୀ ୩ ମାସ କ୍ରମାଗତ ଆଭ୍ୟନ୍ତରୀଣ ନାଳର ସଫେଇ ହେବା କଥା ସେଠି ଜୁନ ମାସ ଯାଇ ଜୁଲାଇ ମାସର ୪ ଦିନ ଯିବା ପରେ ମଧ୍ୟ ଡ୍ରେନର ୮୦% ଅଂଶ ଏଯାବତ୍ ସଫେଇ ହୋଇଥିବା ବିଏମସି କମିଶନର ଚଞ୍ଚଲ ରାଣା କହିଛନ୍ତି । ଏଥର ବି ମୌସୁମୀ ବର୍ଷା ଆରମ୍ଭ ହୋଇଥିବାବେଳେ ଅଶାନୁରୁପ ଡ୍ରେନ କାମ ନସରିବାରୁ ଅସ୍ଥାୟୀ ବ୍ୟବସ୍ଥା ହେବ ବୋଲି କହିଛନ୍ତି ।

ସେପଟେ ଡ୍ରେନରେ ଭାସି ଯୁବକ ନିଖୋଜ ହେବା ଖବର ଶୁଣି ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଏମସି କମିଶନର ଚଞ୍ଚଲ ରାଣା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ବଡ଼ କଥା ହେଉଛି, ଡ୍ରେନରେ ବହୁ ମାତ୍ରାରେ ଅଳିଆ ଆବର୍ଜନା ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା କୁହାଯାଉଛି । ଡ୍ରେନରେ ଥିବା ଅଳିଆରେ ଯୁବକ ଜଣକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଥିବା ବେଳେ ଅଗ୍ନିଶମ ବାହିନୀର ୪ଟି ଟିମ୍ ଓଡ୍ରାଫର ୨ଟି ଟିମ ସହ ସହୀଦ ନଗର ଥାନା ପୋଲିସ୍ ଓ ବିଏମସିର ରାପିଡ୍ ଆକ୍ସନ ଟିମ୍ ଘଟଣାସ୍ଥଳରେ ରହି ନିଖୋଜଙ୍କୁ ଉଦ୍ଧାର କରିବାକୁ ଖୋଳତାଡ ଜାରି ରଖିଛି ।


Reporterspen