ମହିଳା ପୋଲିସ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା, ରହସ୍ୟ ଖୋଲିବ ମୋବାଇଲ

Reporterspen

କଟକ (ରିପୋର୍ଟର୍ସପେନ୍‌): କମିଶନରେଟ ପୋଲିସର ଚାଉଳିଆଗଞ୍ଜ ଥାନା ଅଧିକାରିଣୀ ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ଶବ ମିଳିଛି । ଥାନା ଉପର ମହଲରେ ଥିବା ତାଙ୍କ କ୍ୱାର୍ଟର୍ସରୁ ତାଙ୍କ ମୃତ ଦେହ ମିଳିଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏହା ପଛର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି । ତେବେ ତାଙ୍କ ମୋବାଇଲରୁ ହୁଁ ଘଟଣାର ରହସ୍ୟ ଜଣାପଡିବ ବୋଲି ପୋଲିସ ଆଶା ରଖିଛି ।

ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ପାରିବାରିକ ଅସନ୍ତୋଷ ନଥିବା ତାଙ୍କ ସ୍ୱାମୀ ସ୍ପଷ୍ଟ କରିଛନ୍ତି । ଗତକାଲି ରାତି ୧୦ଟା ୨୫ରେ ସେ ସ୍ତ୍ରୀଙ୍କ ସହ କଥା ହୋଇଥିବା କହିଛନ୍ତି । କଥାବାର୍ତ୍ତାରେ ସେମିତି କିଛି ଅସ୍ୱାଭାବିକ ଥିବା ଅନୁଭବ ହୋଇ ନଥିଲା ଏବଂ କୌଣସି ପ୍ରକାର ପାରିବାରିକ ଅସନ୍ତୋଷକୁ ସ୍ୱାମୀ ଖଣ୍ଡନ କରିଛନ୍ତି । ମହିଳା ଥାନାରୁ ସେ ବଦଳି ହେବାକୁ ଚାହୁଁନଥିଲେ ଏବଂ ନନ୍ଦନକାନନ ବଦଳି ବେଳେ ପୋଲିସ କମିଶନରଙ୍କ ସହ କଥା ହୋଇ ମନା କରିଥିଲେ । ପରବର୍ତ୍ତୀ ବଦଳି ପାଇଁ ମନସ୍ଥିର କରି ରହିବାକୁ କୁହାଯାଇଥିଲା । ସେହି କଥା ପାଇଁ ମନା କରି ନପାରି ଚାଉଳିଆଗଞ୍ଜରେ ଜଏନ୍ କରିଥିଲେ । କାଲି ରାତି ୧୧ଟା ୪୬ରେ କଲ୍ କରିବାରୁ ରିସିଭ୍ କରିନଥିଲେ ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ପୋଲିସ କମିଶନର କହିଛନ୍ତି ଯେ, ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ, ବିନା କାରଣରେ କିଛି ହୁଏନି । କୌଣସି ବ୍ୟକ୍ତିଗତ କାରଣ ଥାଇପାରେ ସେସବୁ ଅନୁଧ୍ୟାନ କରାଯିବ । କାଲି ସେ ରାତିରେ ଘରକୁ ଯାଇ ନ ଥିଲେ, ଥାନା କ୍ୱାର୍ଟର୍ସ ଥିଲେ । ତାଙ୍କ ଅର୍ଡଲି ଖାଇବା ନେଇ ଯିବା ପରେ ସେ କଲ୍ ଉଠାଇ ନ ଥିଲେ । ତେଣୁ କାଲି ରାତିରେ ସେ ଖାଇ ନଥିଲେ । ଶାରୀରିକ ଓ ମାନସିକ ଭାବେ ସେ ବହୁତ ଦୃଢ଼ ଥିଲେ । କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି । କମିଶନରେଟ୍ ପୋଲିସରେ ଭଲ କାମ କରୁଥିଲେ, ଏଥିସହ ତାଙ୍କର ପବ୍ଲିକ ଡିଲିଂ ଭଲ ଥିଲା ବୋଲି ସେ କହିଛନ୍ତି ।


Reporterspen