୨୨ଜଣ ବୁଣାକାରଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ, ଓଡ଼ିଶାରୁ ୨ ଜଣଙ୍କୁ ମିଳିଲା

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ୨୦୨୫ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଭାରତର ସମୃଦ୍ଧ ଏବଂ ବିବିଧ ହସ୍ତତନ୍ତ ବୟନ ପରମ୍ପରାକୁ ସମ୍ମାନ ପ୍ରଦର୍ଶନ କରୁଥିବା ୪ଟି ସ୍ମାରକୀ ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ରାଷ୍ଟ୍ରପତି ଏହି ଅବସରରେ ଦେଶର ମୋଟ୍ ୨୨ଜଣ ବୁଣାକାରଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣ ବୁଣାକାର ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ପାଇଛନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାର ଦୁଇ ଜଣ ବୁଣାକାର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବରଗଡ଼ ଜିଲ୍ଲାର ଜଣାଶୁଣା ବୁଣାକାର ରାମ ମେହେର ବିଚିତ୍ରପୁରୀ ଖଦୀ ଶାଢ଼ୀ ବୁଣାରେ ଅସାଧାରଣ ଦକ୍ଷତା ନିମନ୍ତେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ପାଇଛନ୍ତି । ଅତାବିରା ଝିଲିମିଣ୍ଡା ଗ୍ରାମର ବାସିନ୍ଦା ମେହରଙ୍କର ବିଚିତ୍ରପୁରୀ ବା ବିଚିଟପର ଶାଢ଼ୀ ବୁଣା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ସେହିପରି ଜଗତସିଂହପୁର ଜିଲ୍ଲା ବାଇଜଙ୍ଗା ସିଙ୍ଗିପୁର ଅଞ୍ଚଳର ବୁଣାକାର ପ୍ରଫୁଲ୍ଲ ସାହୁ ରାଷ୍ଟ୍ରପତିଙ୍କଠାରୁ ଜାତୀୟ ହସ୍ତତନ୍ତ ପୁରସ୍କାର ପାଇଛନ୍ତି । ପାରମ୍ପରିକ ଜଗତସିଂହପୁର ଶାଢ଼ୀ ବୁଣା କ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତା ଏବଂ ଏହି ପାରମ୍ପରିକ ପଦ୍ଧତିର ପ୍ରୋତ୍ସାହନ ନିମନ୍ତେ ଶ୍ରୀ ସାହୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଶହଶହ ବର୍ଷ ଧରି ହସ୍ତତନ୍ତ ଭାରତୀୟ ସଭ୍ୟତାର ବିବର୍ତ୍ତନ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି । ଏହା ଆମ ଦେଶର ଅସାଧାରଣ ବିବିଧତାକୁ ପ୍ରତିଫଳିତ କରେ ଏବଂ ଆମର ଆଞ୍ଚଳିକ ସ୍ୱତନ୍ତ୍ରତାକୁ ସଂରକ୍ଷଣ କରିଆସିଛି । ହସ୍ତତନ୍ତ କ୍ଷେତ୍ର ରୋଜଗାର, ମହିଳା ସଶକ୍ତିକରଣ, କଳା ଓ ସଂସ୍କୃତି ଏବଂ ପ୍ରକୃତି ପ୍ରତି ଭଲ ପାଇବାକୁ ପ୍ରୋତ୍ସାହିତ କରେ । ହସ୍ତତନ୍ତକୁ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଆତ୍ମନିର୍ଭରଶୀଳତା ଭାବନା ସହିତ ମଧ୍ୟ ଯୋଡ଼ାଯାଇଛି ।

ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ସରକାର ୨୦୧୫ ମସିହାରୁ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରିଆସୁଛନ୍ତି । ଜାତୀୟ ହସ୍ତତନ୍ତ ଦିବସରେ ହସ୍ତତନ୍ତ କ୍ଷେତ୍ର ସହ ଜଡିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ଡିଜାଇନକୁ ନେଇ ଅନେକ ପ୍ରତିଭାବାନ ଯୁବ ଉଦ୍ୟୋଗୀ ଏହି କ୍ଷେତ୍ରରେ ପ୍ରବେଶ କରୁଛନ୍ତି । ସରକାରୀ ଯୋଜନା ଏବଂ ପ୍ରତିଷ୍ଠାନ ମାଧ୍ୟମରେ ଯୁବପିଢ଼ିଙ୍କୁ ସକ୍ରିୟ ଭାବରେ ପ୍ରୋତ୍ସାହନ ଦେବା ଉଚିତ ଯାହା ଦ୍ୱାରା ସେମାନଙ୍କର ଉତ୍ସାହ ଏବଂ ଦକ୍ଷତା ଏହି କ୍ଷେତ୍ରର ଦୀର୍ଘକାଳୀନ ତଥା ବହୁମୁଖୀ ସଫଳତା ସୁନିଶ୍ଚିତ କରିପାରିବ। ଯୁବ ଉଦ୍ୟୋଗୀ, ଡିଜାଇନର୍ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ଧାରା, ବ୍ରାଣ୍ଡ ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହିତ ଯୋଡ଼ି ଏହି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିପାରିବେ। ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଏବଂ ବୁଣାକାର ସେବା କେନ୍ଦ୍ରଗୁଡ଼ିକର ତତ୍ତ୍ୱାବଧାନରେ ଡିଜାଇନ୍ ସମ୍ବଳ କେନ୍ଦ୍ରଗୁଡ଼ିକ ଏହି କ୍ଷେତ୍ରରେ ଯୁବପିଢ଼ିଙ୍କୁ ନିୟୋଜିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି ଖୁସିର ସହ ଉଲ୍ଲେଖ କରିଥିଲେ ।

ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ହସ୍ତତନ୍ତ ବୁଣାକାରମାନଙ୍କ ପାଇଁ ଦେଶର ସର୍ବୋଚ୍ଚ ସମ୍ମାନ । ଏହା ଭାରତର ବୟନ ପରମ୍ପରାକୁ ସଂରକ୍ଷଣ ଓ ପ୍ରୋତ୍ସାହିତ କରିବା ଲାଗି ବୁଣାକାରମାନଙ୍କର ଅସାଧାରଣ କାରିଗରୀ, ଜୀବନବ୍ୟାପୀ ସମର୍ପଣ ଏବଂ ନିରନ୍ତର ଅବଦାନକୁ ସ୍ୱୀକୃତି ଦିଏ। ସେହିପରି ହସ୍ତତନ୍ତ ବୁଣାକାର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସମ୍ମାନିତ କରିବା ଲାଗି ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯାଇଥାଏ। ପାରମ୍ପରିକ କୌଶଳ ସଂରକ୍ଷଣ ଏବଂ ଆଧୁନିକ କୌଶଳକୁ ଗ୍ରହଣ କରି ଉତ୍କୃଷ୍ଟ ସୃଜନଶୀଳତା, ଗୁଣବତ୍ତା, ନବସୃଜନ ଏବଂ ଉତ୍କର୍ଷତା ପ୍ରଦର୍ଶନ କରିଥିବା ବୁଣାକାରଙ୍କୁ ଏହି ପୁରସ୍କାର ଦିଆଯାଏ।


Reporterspen