ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ବାରିପଦା ଠାରୁ ୧୯୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମବଙ୍ଗ ଦେଇ ଝାଡଖଣ୍ଡ ମୁହାଁ ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଉତ୍ତର ଓଡିଶାରେ ମୂଷଳ ଧାରାରେ ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । ଏହି ଦୁଇ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍, ଲୋ ଭିଜିବିଲିଟି ରହିବ । ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଓଗଊ ଭୁବନେଶ୍ୱର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତି । ଏହାଛଡା ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ୧୩ ଏବଂ ୧୪ ଅଗଷ୍ଟ ଦୁଇ ଦିନ ଓଡ଼ିଶା ଉପକୂଳରେ ପବନର ବେଗ ୪୫ ରୁ ୫୫ କିଲୋମିଟର ରହିବା ସହ ୬୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ । ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ଦୁଇ ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ।
ସେପଟେ ଜଳକା, ସାଳନ୍ଦୀ ଓ ବୈତରଣୀ ପାଇଁ ସତର୍କ ରହିବାକୁ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । କାରଣ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି । ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରି ନାହିଁ । ବନ୍ୟା ସ୍ଥିତି ଯଦିଓ ଦେଖାଯିବ ନାହିଁ ତଥାପି ଜଳବନ୍ଦୀ ସମସ୍ୟା ଲାଗି ରହିବ । ତିହିଡ଼ି, ଚାନ୍ଦବାଲି, ବାଲେଶ୍ୱର ସଦର, ବସ୍ତା, ଦଶରଥପୁରରେ ଜଳବନ୍ଦୀ ସ୍ଥିତି ଲାଗି ରହିବ । ଲଘୁଚାପ ବର୍ଷା ପାଇଁ ଏଭଳି ସ୍ଥିତି ଉପୁଯିବ ।
ସୂଚନାନୁଯାୟୀ, ୧୭ଟି ସ୍ଥାନରେ ୧୦୦ ମିମି ରୁ ଅଧିକ ବର୍ଷା ହୋଇଛି । ବୁଢାବଳଙ୍ଗରେ ବଡ଼ ବନ୍ୟା ନାହିଁ । ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ, ମହାନଦୀରେ ସେମିତି ବନ୍ୟା ସ୍ଥିତି ନାହିଁ । ହୀରାକୁଦ ୬୧୪ ଫୁଟ ଲେବେଲକୁ ଖସି ଆସିଛି । ସକାଳେ ୪ଟି ଗେଟ ବନ୍ଦ କରାଯାଇଛି । ୨ଟି ଗେଟ ଖୋଲା ରହିଛି । କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ ହୋଇଛି ।

