ଖଡ଼ଗପୁର-ଝାରସୁଗୁଡ଼ା (ବାଗଡିହି) ଚତୁର୍ଥ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Reporterspen

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ୫ ରାଜ୍ୟର ୧୪ଟି ଜିଲ୍ଲା ଦେଇ ଯାଇଥିବା ୩ଟି ରେଳ ଲାଇନ୍‌ ପ୍ରଶସ୍ତିକରଣ ପ୍ରକଳ୍ପକୁ ଅନୁମୋଦନ କରିଛି । ଏସବୁ ପ୍ରକଳ୍ପ ନିର୍ମାଣ ଲାଗି ମୋଟ୍‌ ୧୦,୭୮୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ସବୁ ପ୍ରକଳ୍ପ ହେଲା ଓଡ଼ିଶାର ଖଡ଼ଗପୁର-ଝାରସୁଗୁଡ଼ା (ବାଗଡିହି) ଚତୁର୍ଥ ଲାଇନ୍‌ । କଟନୀ-ପେଣ୍ଡ୍ରା ରୋଡ୍‌ ଚତୁର୍ଥ ଲାଇନ୍‌, ବିଳାସପୁର (ଉସଲାପୁର)-ପେଣ୍ଡ୍ରା ରୋଡ୍‌ ତୃତୀୟ ଲାଇନ୍‌ ।

ବର୍ଦ୍ଧିତ ଲାଇନ୍‌ କ୍ଷମତା ଗମନାଗମନରେ ଉଲ୍ଲେଖନୀୟ ସୁଧାର ଆଣିବ । ଫଳରେ ଭାରତୀୟ ରେଳବାଇର ପରିଚାଳନା ଦକ୍ଷତା ଏବଂ ସେବା ବିଶ୍ୱସନୀୟତାରେ ଉନ୍ନତି ହେବ । ଏହି ବହୁ ଟ୍ରାକିଂ ପ୍ରକଳ୍ପଗୁଡ଼ିକ ରେଳ ଚଳାଚଳକୁ ସୁବ୍ୟବସ୍ଥିତ କରିବା ସହିତ ଭିଡ଼ ହ୍ରାସ
କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତ ଦୃଷ୍ଟିକୋଣ ଅନୁରୂପ ଏସବୁ ପ୍ରକଳ୍ପର ଡିଜାଇନ୍‌ କରାଯାଇଛି । ଏଗୁଡ଼ିକର ଉଦ୍ଦେଶ୍ୟ ହେଉଛି, ବ୍ୟାପକ କ୍ଷେତ୍ରୀୟ ବିକାଶ ମାଧ୍ୟମରେ ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା, ଯଦ୍ଦ୍ୱାରା ସେମାନଙ୍କର ରୋଜଗାର/ ସ୍ୱରୋଜଗାର ସୁଯୋଗ ବଢ଼ିବ ।

ଏସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର୍‌ ପ୍ଲାନ୍‌ ଅନୁରୂପ ପ୍ରସ୍ତୁତ କରାଯାଇଛି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏକୀକୃତ ଯୋଜନା ଏବଂ ଅଂଶୀଦାରଙ୍କ ସହ ବିଚାରବିମର୍ଶ ମାଧ୍ୟମରେ ବହୁମୁଖୀ ଯୋଗାଯୋଗ ଓ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା । ଏସବୁ ପ୍ରକଳ୍ପ ଦ୍ୱାରା ଜନସାଧାରଣ, ବସ୍ତୁ ଏବଂ ସେବାର ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ ହେବ ।

ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୧୪ଟି ଜିଲ୍ଲାକୁ ନେଇ ଏହି ତିନୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱର୍କରେ ୬୫୬ କିଲୋମିଟର ବୃଦ୍ଧି ଆଣିବ । ପ୍ରସ୍ତାବିତ ବହୁ ଟ୍ରାକିଂ ପ୍ରକଳ୍ପ ଦ୍ୱାରା ପାଖାପାଖି ୫୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୪,୭୯୦ଟି ଗାଁକୁ ଉନ୍ନତ ଯୋଗାଯୋଗ ସମ୍ଭବ ହୋଇପାରିବ ।

କ୍ଷମତା ବୃଦ୍ଧି ଦ୍ୱାରା ଦେଶର ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ରେଳ ସଂଯୋଗରେ ସୁଧାର ଆସିବ । ଏଥିରେ ତାରାତାରିଣୀ ମନ୍ଦିର, ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର (ଝାରସୁଗୁଡ଼ା ନିକଟବର୍ତ୍ତୀ ଏକ ପ୍ରାଚୀନ ମନ୍ଦିର), ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ, ବିରାଟେଶ୍ୱର ମନ୍ଦିର, ଅମରକଣ୍ଟକ ମନ୍ଦିର, ଜ୍ୱାଳେଶ୍ୱର ଧାମ, ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟ, ଖୁଟାଘାଟ ନଦୀବନ୍ଧ, ମଲ୍ହାର ପ୍ରତ୍ନତାତ୍ତ୍ୱିକ ସ୍ଥଳୀ, ରତନପୁର ମହାମାୟା ମନ୍ଦିର ଆଦି ସାମିଲ ରହିଛି ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ସିମେଣ୍ଟ, ଲୁହା ଏବଂ ଇସ୍ପାତ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଦ୍ୱାରା ବାର୍ଷିକ ୨୭ ନିୟୁତ ଟନ୍ (ଏମଟିପିଏ) ଅତିରିକ୍ତ ମାଲ ପରିବହନ କ୍ଷମତା ମିଳିବ । ରେଳବାଇ ଏକ ପରିବେଶ ଅନୁକୂଳ ଏବଂ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ହୋଇଥିବାରୁ ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏହା ସହିତ, ଏହା ତୈଳ ଆମଦାନୀ (ପ୍ରାୟ ୧୨ କୋଟି ଲିଟର) ଏବଂ ଅଙ୍ଗାରକାମ୍ଳ ନିର୍ଗମନ (ପ୍ରାୟ ୬୨ କୋଟି କିଲୋଗ୍ରାମ) ହ୍ରାସ କରିବ, ଯାହା ୨ କୋଟି ୪୮ ଲକ୍ଷ ଗଛ ଲଗାଇବା ସହିତ ସମାନ ।


Reporterspen