ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭୟଙ୍କର ଝଗଡ଼ା, ହାତାହାତିକୁ ଓହ୍ଲାଇଲେ ଖେଳାଳି; ଭିଡିଓ ଭାଇରାଲ

Reporterspen

ନୂଆଦିଲ୍ଲୀ:  ନେପାଳ ଓ ୟୁଏଇ ମଧ୍ୟରେ ଖେଳାଯାଇଥିବା ଏସିସି ପୁରୁଷ ପ୍ରିମିୟର କପ୍‌ର ଫାଇନାଲ ମ୍ୟାଚ୍‌ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମ୍ୟାଚ୍‌ ମଝିରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ପ୍ରଥମେ ତୀବ୍ର ବଚସା ଏବଂ ପରେ ଧକ୍କାଧକ୍କି ହୋଇଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି।

ଶନିବାର (୧୨ ସେପ୍ଟେମ୍ବର) ଖେଳାଯାଇଥିବା ଏହି ଫାଇନାଲରେ ନେପାଳ ବିଜୟୀ ହୋଇ ଚାମ୍ପିଅନ୍ ହୋଇଥିଲା। କିନ୍ତୁ ନେପାଳର ବିଜୟଠାରୁ ଅଧିକ ମ୍ୟାଚ୍‌ ମଝିରେ ଘଟିଥିବା ଝଗଡ଼ା ଚର୍ଚ୍ଚାର ବିଷୟ ପାଲଟିଛି।

ମ୍ୟାଚ୍‌ର ଦ୍ୱିତୀୟ ଇନିଂସ୍‌ରେ ୟୁଏଇ ବ୍ୟାଟିଂ କରୁଥିବା ବେଳେ ନେପାଳର ୱିକେଟକିପର ଆସିଫ ଶେଖ ଓ ୟୁଏଇ ବ୍ୟାଟର ତନିଷ ସୂରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ସମୟରେ ନେପାଳର ଅନ୍ୟ ଜଣେ ଖେଳାଳି ମଧ୍ୟ କ୍ରିଜ୍‌ ନିକଟକୁ ଆସିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ଅଧିକ ତୀବ୍ର ହୋଇଥିଲା ଏବଂ ଖେଳାଳିମାନେ ପରସ୍ପରକୁ ଧକ୍କା ଦେଇଥିଲେ।

ଘଟଣା ଗମ୍ଭୀର ରୂପ ନେଉଥିବା ଦେଖି ବୋଲିଂ ଏଣ୍ଡରେ ଥିବା ନେପାଳର ସନ୍ଦୀପ ଲାମିଛାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଅମ୍ପାୟାର ମଧ୍ୟ ଘଟଣାସ୍ଥଳକୁ ଆସି ଉଭୟ ଦଳର ଖେଳାଳିଙ୍କୁ ଶାନ୍ତ କରିଥିଲେ। କିଛି ସମୟ ପାଇଁ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଥିଲେ ମଧ୍ୟ ପରେ ଖେଳାଳିମାନେ ଶାନ୍ତ ହୋଇଥିଲେ। ଏପରିକି ପରେ ସନ୍ଦୀପ ଲାମିଛାନେ ୟୁଏଇ ଖେଳାଳିଙ୍କୁ ଆଲିଙ୍ଗନ କରିଥିବା ମଧ୍ୟ ଦେଖାଯାଇଥିଲା। ଏହାପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଇନିଂସ୍‌ର ଷଷ୍ଠ ଓଭର ଆରମ୍ଭ ହେବା ପୂର୍ବରୁ ଏହି ଘଟଣା ଘଟିଥିଲା।

https://x.com/PaulRadley/status/2098660171606077559?s=20

ନେପାଳର ୪୪ ରନ୍‌ରେ ବିଜୟ

ମ୍ୟାଚ୍‌ରେ ନେପାଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୫୦ ଓଭରରେ ୯ଟି ୱିକେଟ୍‌ ହରାଇ ୩୧୩ ରନ୍‌ ସଂଗ୍ରହ କରିଥିଲା। ଓପନର ଆସିଫ ଶେଖ ଦମଦାର ଶତକୀୟ ଇନିଂସ୍‌ ଖେଳିଥିଲେ। ସେ ୧୦୬ ବଲ୍‌ରୁ ୧୦୨ ରନ୍‌ କରିଥିଲେ। ତାଙ୍କ ଇନିଂସ୍‌ରେ ୮ଟି ଚୌକା ଓ ୪ଟି ଛକା ରହିଥିଲା।

ସେହିପରି ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଗୁଲଶନ ଝା ୩୮ ବଲ୍‌ରେ ୫୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ।

୩୧୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୟୁଏଇ ଦଳ ୪୯.୧ ଓଭରରେ ୨୬୯ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଫଳରେ ନେପାଳ ୪୪ ରନ୍‌ରେ ବିଜୟ ହାସଲ କରି ଟାଇଟଲ୍‌ ଜିତିଥିଲା।

ୟୁଏଇ ପକ୍ଷରୁ ପଞ୍ଚମ ନମ୍ବରରେ ଆସିଥିବା ରାହୁଲ ଚୋପ୍ରା ଚମତ୍କାର ଶତକ ହାସଲ କରିଥିଲେ। ସେ ୧୦୫ ବଲ୍‌ରେ ୩ଟି ଚୌକା ଓ ୪ଟି ଛକା ସହ ୧୦୦ ରନ୍‌ କରିଥିଲେ। ତେବେ ତାଙ୍କ ଶତକ ଦଳକୁ ବିଜୟ ଦେଇପାରିନଥିଲା। ନେପାଳ ପକ୍ଷରୁ କରଣ କେସି ସର୍ବାଧିକ ୩ଟି ୱିକେଟ୍‌ ନେଇଥିଲେ।


Reporterspen