relationships : ଜୀବନରେ ପ୍ରଥମ ପ୍ରେମ ଏମିତି ଏକ ଅନୁଭବ, ଯାହା ମନରେ ଗଭୀର ଛାପ ଛାଡ଼ିଯାଏ। ସମ୍ପର୍କ ଭାଙ୍ଗିଯାଉ କିମ୍ବା ଦୁଇଜଣଙ୍କ ରାସ୍ତା ଅଲଗା ହୋଇଯାଉ, ପ୍ରଥମ ପ୍ରେମ ସହ ଜଡ଼ିତ ସ୍ମୃତିକୁ ଭୁଲିବା ଅନେକଙ୍କ ପାଇଁ ସହଜ ହୋଇନଥାଏ। ଏହା ପଛରେ ଭାବନା ସହିତ ମନୋବିଜ୍ଞାନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ପ୍ରଥମ ପ୍ରେମର ମନୋବିଜ୍ଞାନ କ’ଣ?
୨୦୧୭ ମସିହାର ହାଭାର୍ଡ ମେଡିକାଲ୍ ସ୍କୁଲ୍ର ଏକ ଗବେଷଣା ଅନୁଯାୟୀ, ଜଣେ ବ୍ୟକ୍ତି କାହା ପ୍ରତି ପ୍ରେମ ଅନୁଭବ କରିବା ସମୟରେ ଶରୀରରେ ଅକ୍ସିଟୋସିନ୍ ଭଳି ହର୍ମୋନ୍ର ପ୍ରଭାବ ବଢ଼ିଥାଏ। ଏହା ସହିତ ଡୋପାମିନ୍ ଓ ସେରୋଟୋନିନ୍ ଭଳି ‘ଫିଲ୍-ଗୁଡ୍’ କେମିକାଲ୍ର ମଧ୍ୟ ଭୂମିକା ରହିଥାଏ।
ଏହି ରାସାୟନିକ ପରିବର୍ତ୍ତନ ଯୋଗୁଁ ମନରେ ଖୁସି, ଉତ୍ସାହ ଓ ଆନନ୍ଦର ଅନୁଭବ ସୃଷ୍ଟି ହୁଏ। ପ୍ରଥମଥର ଏଭଳି ଅନୁଭୂତି ହେଉଥିବାରୁ ମସ୍ତିଷ୍କ ଏହାକୁ ଏକ ବିଶେଷ ଓ ସୁଖଦ ଅନୁଭବ ଭାବେ ସଂରକ୍ଷିତ କରିନିଏ। ତେଣୁ ପ୍ରଥମ ପ୍ରେମ ସହ ଜଡ଼ିତ ଘଟଣାଗୁଡ଼ିକ ଦୀର୍ଘ ସମୟ ଧରି ମନେ ରହିପାରେ।
କିଶୋରାବସ୍ଥାରେ ପଡ଼େ ଅଧିକ ଗଭୀର ପ୍ରଭାବ
ମନୋବିଜ୍ଞାନ ଅନୁଯାୟୀ, କିଶୋରାବସ୍ଥାରେ ମଣିଷର ମନ ଓ ଶରୀରରେ ଅନେକ ପରିବର୍ତ୍ତନ ଘଟିଥାଏ। ଏହି ସମୟରେ ଅନୁଭବ କରାଯାଇଥିବା ଭାବନାତ୍ମକ ଘଟଣା ମସ୍ତିଷ୍କରେ ଗଭୀର ଭାବେ ରେକର୍ଡ ହୋଇପାରେ।
କେବଳ ପ୍ରଥମ ପ୍ରେମ ନୁହେଁ, ପ୍ରଥମ ବ୍ରେକଅପ୍ କିମ୍ବା ଏହି ବୟସରେ ଘଟିଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟ ମଣିଷ ମନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବ ପକାଇପାରେ।
ବାରମ୍ବାର ମନେ ପକାଇବାରୁ ସ୍ମୃତି ହୁଏ ଆହୁରି ଦୃଢ଼
ପ୍ରଥମ ପ୍ରେମକୁ ଭୁଲିବା କଷ୍ଟକର ହେବାର ଆଉ ଏକ କାରଣ ହେଉଛି ସେହି ସ୍ମୃତିକୁ ବାରମ୍ବାର ମନେ ପକାଇବା। ପ୍ରଥମ ସାକ୍ଷାତ, ପ୍ରଥମଥର ପ୍ରେମ ପ୍ରକାଶ, ଏକ ବିଶେଷ ଉପହାର କିମ୍ବା ସାଙ୍ଗରେ କାଟିଥିବା ମୁହୂର୍ତ୍ତକୁ ଲୋକେ ବାରମ୍ବାର ମନେ ପକାଇଥାନ୍ତି।
ଏହି ପୁନରାବୃତ୍ତି ଯୋଗୁଁ ସ୍ମୃତି ଧୀରେ ଧୀରେ ଦୁର୍ବଳ ହେବା ବଦଳରେ ଆହୁରି ଦୃଢ଼ ହୋଇପାରେ। ଫଳରେ ବହୁ ବର୍ଷ ପରେ ମଧ୍ୟ ପ୍ରଥମ ପ୍ରେମ ସହ ଜଡ଼ିତ କିଛି ଘଟଣା ମନରେ ସ୍ପଷ୍ଟ ଭାବେ ରହିଯାଏ।
ଭବିଷ୍ୟତ ସମ୍ପର୍କ ଉପରେ ମଧ୍ୟ ପଡ଼ିପାରେ ପ୍ରଭାବ
ପ୍ରଥମ ପ୍ରେମର ଅନୁଭବ ଭବିଷ୍ୟତର ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ। ଯଦି ପ୍ରଥମ ସମ୍ପର୍କ ନକାରାତ୍ମକ କିମ୍ବା ବିଷାକ୍ତ ଅନୁଭବ ଦେଇଥାଏ, ତେବେ ଭବିଷ୍ୟତର ସମ୍ପର୍କରେ ସେହିଭଳି ନକାରାତ୍ମକ ପ୍ୟାଟର୍ନ ପୁଣି ଦେଖାଦେଇପାରେ।
ଅନ୍ୟପକ୍ଷରେ, ପ୍ରଥମ ପ୍ରେମ ଯଦି ସକାରାତ୍ମକ ଅନୁଭବ ଦେଇଥାଏ, ତେବେ ପରବର୍ତ୍ତୀ ଜୀବନରେ ସାଥୀ ଚୟନ କରିବା ସମୟରେ ବ୍ୟକ୍ତି ପ୍ରଥମ ପ୍ରେମରେ ଦେଖିଥିବା ସମାନ ଗୁଣ ଓ ବ୍ୟବହାରକୁ ଖୋଜିପାରନ୍ତି।
ତେଣୁ ପ୍ରଥମ ପ୍ରେମ କେବଳ ଏକ ସମ୍ପର୍କ ନୁହେଁ; ଏହା ମଣିଷର ଭାବନା, ସ୍ମୃତି ଓ ପରବର୍ତ୍ତୀ ସମ୍ପର୍କ ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇପାରୁଥିବା ଏକ ବିଶେଷ ଅନୁଭବ।

