ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଦକ୍ଷିଣ ଆଫି୍ରକା ଗସ୍ତରେ ଯାଇ କେପ୍ଟାଉନ୍ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୯ତମ ଅଧିବେଶନରେ ଯୋଗ ଦେଇଛନ୍ତି । ସେଠାକାର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୬ଟି ଦେଶର ବାଚସ୍ପତି, ମନ୍ତ୍ରୀ, ସାଂସଦ, ବିଧାୟକ ଓ ସଚିବଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ଯୋଗଦେଇଛନ୍ତି ।
ଅଧିବେଶନରେ ଉଦ୍ବୋଧନ ଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଭାରତର ଦୃଷ୍ଟିକୋଣ ହେଉଛି ବିକାଶ ଏବଂ ସ୍ଥିରତା ସହ ଏକତ୍ର ଭାବେ ଆଗକୁ ବଢ଼ିବା ଉଚିତ । ବିକାଶ ଏବଂ ଜଳବାୟୁ ସ୍ଥିରତା ପୃଥକ ଭାବରେ ଅନୁସରଣ କରାଯାଇପାରିବ ନାହିଁ । କୃଷି, ଜଳ, ଶକ୍ତି, ସ୍ୱାସ୍ଥ୍ୟ, ସହର, ଭିତ୍ତିଭୂମି, ଜଙ୍ଗଲ, ଉପକୂଳ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଳବାୟୁ ସମସ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଣୁ ରାଜ୍ୟ ଏବଂ ସ୍ଥାନୀୟ ପ୍ରତିଷ୍ଠାନଗୁଡ଼ିକ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ପରିବେଶ ଏବଂ ସମ୍ବଳ ପାଇଁ ଉପଯୁକ୍ତ ସମାଧାନ ନିର୍ଣ୍ଣୟ କରନ୍ତି । ଜଳବାୟୁ ସ୍ଥିରତା ବିକାଶର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥିବାରୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନକୁ ଏକାଠି ସମାଧାନ କରାଯିବା ଉଚିତ । ଏହା ଦ୍ୱାରା ସ୍ୱଚ୍ଛ ଶକ୍ତି, ଶକ୍ତି କ୍ଷେତ୍ରରେ ଦକ୍ଷତା, ଉନ୍ନତ ବର୍ଜ୍ୟ ପରିଚାଳନା, ଉନ୍ନତ ଅର୍ଥନୀତି ପଦ୍ଧତି ଦ୍ୱାରା ଜଳବାୟୁ, ଜନସ୍ୱାସ୍ଥ୍ୟ ଏବଂ ଜୀବନର ଗୁଣବତ୍ତାରେ ଉତ୍କର୍ଷ ହାସଲ କରାଯାଇପାରିବ ।
ଶ୍ରୀମତୀ ପାଢ଼ୀ ଓଡ଼ିଶାରେ ପ୍ରକୃତିକ ବିପର୍ଯ୍ୟୟର ପ୍ରତିକୂଳ ପ୍ରଭାବ ବିଷୟ ଉଲ୍ଲେଖ କରି କହିଲେ ଯେ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା, ଘୂର୍ଣ୍ଣିଝଡ଼, ଆଶ୍ରୟସ୍ଥଳ, ସ୍ଥାନାନ୍ତର ବ୍ୟବସ୍ଥା, ସାଂଗଠନିକ ସମନ୍ୱୟ ଏବଂ ଗୋଷ୍ଠୀ ସଂପୃକ୍ତି ଯୋଗୁଁ ରାଜ୍ୟ ଏହି ପ୍ରତିକୂଳତାକୁ ଅତିକ୍ରମ କରିପାରିଛି । ଜଳବାୟୁ ପରିବର୍ତ୍ତନ କେବଳ ଏକ ପରିବେଶଗତ କିମ୍ବା ବୈଜ୍ଞାନିକ ଆହ୍ୱାନ ନୁହେଁ । ଏଣୁ ରାଜ୍ୟ ସରକାର ଏଥି ପାଇଁ ଆଇନ ପ୍ରଣୟନ ସହ ବଜେଟ୍ ବ୍ୟବସ୍ଥା କରିଛନ୍ତି । ତଦାରଖ ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ଗୋଷ୍ଠୀ ସହଭାଗିତା ଜଳବାୟୁର ସ୍ଥିରତା ପାଇଁ ଅପରିହାର୍ଯ୍ୟ ବୋଲି ବାଚସ୍ପତି କହିଛନ୍ତି ।
ଆମେ ନେଉଥିବା ବିକାଶମୂଳକ ନିଷ୍ପତ୍ତିଗୁଡ଼ିକ ଯେପରି ଆମ ସମାଜକୁ ଆଗାମୀ ଦିନରେ ଅଧିକ ସୁରକ୍ଷିତ ରଖିବ ଏବଂ ଜନସାଧାରଣଙ୍କ ଜୀବନ, ଜୀବିକା, ସମ୍ପ୍ରଦାୟ ଏବଂ ଆଗାମୀ ପିଢ଼ିର ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ସେ ଦିଗରେ ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ।
ଏହି ଚାରିଦିନିଆ ସମ୍ମିଳନୀ ସେପେଫମ୍ବର ୧୪ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟସଭାର ମାନ୍ୟବର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହଙ୍କ ନେତୃତ୍ୱରେ ୧୭ଟି ରାଜ୍ୟର ମାନ୍ୟବର ବାଚସ୍ପତିଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇଛନ୍ତି ।
ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ରାଜ୍ୟଗୋଷ୍ଠୀ ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେବା ସହ ସଂସଦୀୟ ବ୍ୟବସ୍ଥାରେ ଦିବ୍ୟାଙ୍ଗମାନଙ୍କ ଅଂଶଗ୍ରହଣ ଉପରେ ହୋଇଥିବା ଆଲୋଚନାରେ ଭାଗ ନେଇଥିଲେ ।
ସମ୍ମିଳନୀରେ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ମଧ୍ୟ ଯୋଗଦେଇଛନ୍ତି ।

