ରାଜ୍ୟବ୍ୟାପୀ ଅଗ୍ନିଶମ ସୁରକ୍ଷା ଯାଞ୍ଚ କଡ଼ାକଡ଼ି: ୮ ଦିନରେ ମୋଟ ୯୬୪ଟି ପ୍ରତିଷ୍ଠାନ ଅଡିଟ୍

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ରାଜ୍ୟରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିଭିନ୍ନ ବ୍ୟାବସାୟିକ ଓ ସରକାରୀ-ବେସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ ଯାଞ୍ଚ କରିବା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଆରମ୍ଭ ହୋଇଥିବା “ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା” ଅଭିଯାନ ପୂର୍ଣ୍ଣ ପ୍ରାଣରେ ଜାରି ରହିଛି। ଗତ ସେପ୍ଟେମ୍ବର ୧୫, ୨୦୨୬ ରୁ ସେପ୍ଟେମ୍ବର ୨୨, ୨୦୨୬ ମଧ୍ୟରେ ରାଜ୍ୟର ଅଗ୍ନିଶମ ସେବାର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ମୋଟ ୯୬୪ଟି ସଂସ୍ଥାନ/ପ୍ରତିଷ୍ଠାନରେ ଅଗ୍ନିଶମ ନିରାପତ୍ତାର ବିସ୍ତୃତ ଯାଞ୍ଚ କରାଯାଇଛି ।

ଯାଞ୍ଚ ତଥ୍ୟ ଅନୁସାରେ ମଧ୍ୟ ଅଞ୍ଚଳ (କଟକ) ରେ ସବାଧିକ ୪୨୧ଟି ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ବେଳେ ଦକ୍ଷିଣ ଅଞ୍ଚଳ (ବ୍ରହ୍ମପୁର) ରେ ୨୯୮ଟି, ଉତ୍ତର ଅଞ୍ଚଳ (ସମ୍ବଲପୁର) ରେ ୨୪୧ଟି ଏବଂ ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁଙ୍କ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୪ଟି ପ୍ରତିଷ୍ଠାନର ଅଡିଟ୍ କରାଯାଇଛି। ଏହି ଆଠ ଦିନିଆ ଅଭିଯାନ ମଧ୍ୟରେ ସେପ୍ଟେମ୍ବର ୧୫ ତାରିଖରେ ୧୧୯ଟି, ୧୬ ତାରିଖରେ ୯୦ଟି, ୧୭ ତାରିଖରେ ୯୦ଟି, ୧୮ ତାରିଖରେ ୧୫୫ଟି, ୧୯ ତାରିଖରେ ୧୩୪ଟି, ୨୦ ତାରିଖରେ ୯୧ଟି, ୨୧ ତାରିଖରେ ୧୫୯ଟି ଏବଂ ୨୨ ତାରିଖରେ ୧୨୬ଟି ସଂସ୍ଥାନ ଯାଞ୍ଚ କରାଯାଇଛି।

ଏହି ଅଭିଯାନ ଅଧୀନରେ ବିଭିନ୍ନ ବର୍ଗର ପ୍ରତିଷ୍ଠାନଗୁଡ଼ିକୁ କଡ଼ାକଡ଼ି ଭାବେ ଅଡିଟ୍ କରାଯାଇଛି। ସମୁଦାୟ ୯୬୪ଟି ପ୍ରତିଷ୍ଠାନ ମଧ୍ୟରେ ୨୯୫ଟି ବିପଜ୍ଜନକ ଓ ଜ୍ୱଳନଶୀଳ ସଂସ୍ଥା (ପେଟ୍ରୋଲ୍ ପମ୍ପ, LPG ଗୋଦାମ, ଗ୍ୟାସ୍ ଏଜେନ୍ସି), ୨୪୩ଟି ଆବାସିକ ଓ ହୋଟେଲ (ହୋଟେଲ, ଲଜ୍, ଗେଷ୍ଟ ହାଉସ୍), ୧୫୨ଟି ବ୍ୟାବସାୟିକ ପ୍ରତିଷ୍ଠାନ (ସପିଂ ମଲ୍, ଶୋ’ରୁମ୍), ୯୦ଟି ଶିକ୍ଷାନୁଷ୍ଠାନ (ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ), ୮୪ଟି ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ (ହସ୍ପିଟାଲ୍, କ୍ଲିନିକ୍, ନର୍ସିଂ ହୋମ୍), ୪୨ଟି ଶିଳ୍ପ ଓ ଗୋଦାମ, ୨୧ଟି ସଭାଗୃହ/ମଣ୍ଡପ/ସିନେମା ହଲ୍, ୨୦ଟି ବ୍ୟବସାୟିକ କାର୍ଯ୍ୟାଳୟ ଭବନ ଏବଂ ୨୦ଟି ଅନ୍ୟାନ୍ୟ ମିଶ୍ରିତ ସଂସ୍ଥାନ ସାମିଲ ରହିଛି।

ଯାଞ୍ଚ ସମୟରେ ବିଶେଷ କରି ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର (FSC) ଅଛି କି ନାହିଁ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଆବଶ୍ୟକୀୟ ଅଗ୍ନିଶମ ଉପକରଣଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି କି ନାହିଁ , ପ୍ରତ୍ୟେକ ପ୍ରସ୍ଥାନ ଦ୍ୱାରା ଗୁଡ଼ିକ ଖୋଲା ଅଛି କି ନାହିଁ ଏହା ସହିତ ଅଗ୍ନିକାଣ୍ଡ ସମୟରେ କିପରି ସୁରକ୍ଷିତ ଭାବେ ବାହାରିବେ ଏବଂ ସଠିକ ଭାବରେ କିପରି ନିଆଁ ଲିଭା ଯନ୍ତ୍ର ବ୍ୟବହାର କରିବେ, ସେ ନେଇ କର୍ମଚାରୀମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି, ଯାହାଦ୍ୱାରା ଜରୁରୀ ପରିସ୍ଥିତିରେ ସେମାନେ ନିଜେ ପ୍ରାଥମିକ ସୁରକ୍ଷା ପଦକ୍ଷେପ ନେଇପାରିବେ ଏନେଇ ଆବଶ୍ୟକୀୟ ଯାଞ୍ଚ କରାଯାଉଛି । ଯାଞ୍ଚ ସମୟରେ ଯେଉଁସବୁ ପ୍ରତିଷ୍ଠାନରେ ଅଗ୍ନିଶମ ନିରାପତ୍ତା ନିୟମାବଳୀର ଉଲ୍ଲଂଘନ କିମ୍ବା ଆବଶ୍ୟକୀୟ ସୁରକ୍ଷା ଉପକରଣର ଅଭାବ ଦେଖିବାକୁ ମିଳୁଛି, ସେହି ସଂସ୍ଥାଗୁଡ଼ିକୁ ତୁରନ୍ତ ତ୍ରୁଟି ସୁଧାରିବା ପାଇଁ ଆଇନଗତ ‘କାରଣ ଦର୍ଶାଅ ନୋଟିସ୍’ (Compliance Notice) ଜାରି କରାଯାଉଛି। ଏହି ନୋଟିସ୍‌ରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଉଛି।

ସାଧାରଣ ଜନସାଧାରଣଙ୍କ ମୂଲ୍ୟବାନ ଜୀବନ ଓ ଧନସମ୍ପତ୍ତିକୁ ଅଗ୍ନିକାଣ୍ଡ ଭଳି ବିପଦରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। “ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା” ଗଠନର ସଂକଳ୍ପକୁ ପୂରଣ କରିବା ପାଇଁ ଓଡ଼ିଶା ଅଗ୍ନିଶମ ସେବା ପକ୍ଷରୁ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆଗାମୀ ଦିନରେ ସାରା ରାଜ୍ୟରେ ଆହୁରି ଅଧିକ କଡ଼ାକଡ଼ି ଓ ବ୍ୟାପକ ଭାବେ ଜାରି ରହିବ।


Reporterspen