ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରାଜଧାନୀ ଭୁବନେଶ୍ୱରର ପୁରୁଣା ଏୟାରପୋର୍ଟ ରୋଡ୍ ରେ ଥିବା ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା ସୃଷ୍ଟି ହେଉଥିବାରୁ ଓଡ଼ିଶା ହାଇକୋର୍ଟ ପ୍ରଶାସନର ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA &PG) ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଥିଲା। ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଛି। କମିଶନରେଟ୍ ପୁଲିସ ବା ଡିସିପି ଟ୍ରାଫିକଙ୍କ ମତାମତ ମଗାଯାଇଛି। ସୁରକ୍ଷା ବ୍ୟାରିକେଡ୍ ହଟାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ଷ୍ଟ୍ରକଚରର ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି।
ସୂଚନାନୁଯାୟୀ, ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଭୀମପୁର ମୌଜାରେ ବ୍ୟାରିକେଡ୍ କରାଯାଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଥିଲେ। ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ଉକ୍ତ ରାସ୍ତାକୁ ଅବରୋଧମୁକ୍ତ କରାଯାଉ ଏବଂ ଯେଉଁ ଅନଧିକୃତ ବ୍ୟାରିକେଡ୍ କରାଯାଇଛି, ତାହାକୁ ହଟାଯାଉ। ଏହି ମାମଲାରେ ମୁଖ୍ୟ ସଚିବ, GA&PG ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମ୍ସି କମିଶନରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା। ଗତ ଫେବୃୟାରୀ ୩ ତାରିଖରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ସରକାରୀ ଅଧିକାରୀମାନଙ୍କ ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଗତ କେତେକ ମାସ ଧରି କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ତିନି ସପ୍ତାହ ମଧ୍ୟରେ ଫିଲ୍ଡ ଭେରିଫିକେସନ୍ କରି ଅନଧିକୃତ ଅତିକ୍ରମଣ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ଆଡିସନାଲ୍ ଷ୍ଟାଣ୍ଡିଂ କାଉନସିଲଙ୍କ ତରଫରୁ GA&PG ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି କରାଯାଇଥିଲା। ଏହା ପରେ GA&PG ବିଭାଗ, ଭୁବନେଶ୍ଵର ମହାନଗର ନିଗମ, ପୂର୍ତ୍ତ ବିଭାଗ, ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ, ତହସିଲିଦାର ଓ ଟ୍ରାଫିକ୍ ପୁଲିସଙ୍କ ମିଳିତ ଟିମ୍ ଦ୍ୱାରା ୨୦୨୬ ଫେବୃଆରୀ ୧୨ରେ ଜଏଣ୍ଟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ରିପୋର୍ଟରେ ଦର୍ଶାଯାଇଛି ଯେ, ନବୀନ ନିବାସ ସାମ୍ନାରେ ଥିବା ପ୍ଲଟ୍ ନମ୍ବର ୧୦୭୧ର ପ୍ରାୟ ୦.୨୨୯ ଏକର ଜମିକୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୁହା ବ୍ୟାରିକେଡ୍ ଦ୍ୱାରା ଘେରାଯାଇଛି। ସେହିପରି ପ୍ଲଟ୍ ନମ୍ବର ୧୦୩୫ର ଆଉ ୦.୩୩୦ ଏକର ଜମି ମଧ୍ୟ ଏହି ବ୍ୟାରିକେଡ୍ ଭିତରେ ରହିଛି।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଉକ୍ତ ଅଞ୍ଚଳର ବାକି ଅଂଶ ସାଧାରଣ ରାସ୍ତା ଭାବେ ବ୍ୟବହୃତ ହେଉଛି। ଏହା ସହ ଏକ ୧୦୦ ଫୁଟ୍ ଚଉଡ଼ା ବିକଳ୍ପ ରାସ୍ତା ନିର୍ମାଣ କରାଯାଇଥିବା ମଧ୍ୟ ଯାଞ୍ଚରେ ଉଲ୍ଲେଖ ହୋଇଛି। ଏହି ରାସ୍ତା ଏୟାରପୋର୍ଟ ସ୍କୋୟାରରୁ ପୁନାମା ଗେଟ୍ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିଆରି କରାଯାଇଥିଲା। ସରକାରୀ ରେକର୍ଡ ଅନୁସାରେ, ପୂର୍ବରୁ BPI ଏୟାରପୋର୍ଟ ଅଥରିଟିରୁ କିଛି ଜମି ଅଧିଗ୍ରହଣ କରାଯାଇ ଏହି ଡାଇଭର୍ସନ୍ ରୋଡ୍ ନିର୍ମାଣ ହୋଇଥିଲା। ପରେ ବଦଳରେ ଅନ୍ୟ ସରକାରୀ ଜମି ଏୟାରପୋର୍ଟ ଅଥରିଟିକୁ ଦିଆଯାଇଥିବା ତଥ୍ୟ ମଧ୍ୟ ଦଲିଲରେ ରହିଛି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଥିଲା। କମିଶନରେଟ୍ ପୁଲିସ ଓ ଡିସିପି ଟ୍ରାଫିକଙ୍କ ସହ ଆଲୋଚନା କରି ବ୍ୟାରିକେଡ୍ ସ୍ଥାନାନ୍ତର କିମ୍ବା ହଟାଇବା ନେଇ ମତାମତ ମଗାଯାଇଛି।

