କେନ୍ଦୁଝରର ଯୁବପୀଢ଼ିଙ୍କୁ ଆଉ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବ ନାହିଁ : ମୁଖ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଆଜି କେନ୍ଦୁଝର ମାଟିରୁ ଏକାଧାରରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏକ ଅଭୂତପୂର୍ବ ଓ ଐତିହାସିକ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଯାଇ ରାଜ୍ୟ ସରକାରଙ୍କ ପ୍ରମୁଖ ଶିକ୍ଷା ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଏହି ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବାବେଳେ ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ସାମିଲ ରହିଛି। ପ୍ରାୟ ୪୦୦୦କୋଟି ଟଙ୍କା ବ୍ୟୟରେ ଏହି ସମସ୍ତ ବିଦ୍ୟାଳୟ ନିର୍ମାଣ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୁଦାୟ ୧୪ କୋଟି ବ୍ୟୟରେ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସର ଉଦଘାଟନ କରିଥିଲେ। ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ବୈଷୟିକ ବାଣିଜ୍ୟିକ ପ୍ରତିଷ୍ଠାନର ମଧ୍ୟ ଆଜି ଶିଳାନ୍ୟାସ ହୋଇଛି । ପ୍ରାୟ ୫.୫୧ ଏକର ଜମି ଓ ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୫ ମହଲା ବିଶିଷ୍ଟ ଟେକ୍-ବିଜନେସ୍ ପାର୍କ୍ ଉତ୍ତର ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆଜିର ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ କେନ୍ଦୁଝରର ଯୁବପିଢ଼ିଙ୍କୁ ଆଉ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବ ନାହିଁ, ବରଂ ନିଜ ମାଟିରେ ହିଁ ନିଯୁକ୍ତି ଓ ପ୍ରଗତିର ଅସୀମ ଦ୍ଵାର ଖୋଲିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏଥିସହିତ ଧରଣୀଧର ମେଡ଼ିକାଲ କଲେଜ ପରିସରରେ DMF ସହଯୋଗରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ‘ପ୍ରିଭେଣ୍ଟିଭ୍ କ୍ୟାନସର୍ ସ୍କ୍ରିନିଂ କେନ୍ଦ୍ର’ ଲୋକାର୍ପିତ ହୋଇଛି, ଯେଉଁଠାରେ ସମସ୍ତ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଶିକ୍ଷାକୁ ବ୍ୟାପକ କରିବା ପାଇଁ ୫୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ କେନ୍ଦୁଝରଠାରେ ଏକ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଘୋଷଣା କରିଥିଲେ। ଏହା ବ୍ୟତୀତ ୧୦କୋଟି ଟଙ୍କାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ୩୨କୋଟି ଟଙ୍କାରେ ମଡୁଲାର୍ ଓଟି କମ୍ପ୍ଲେକ୍ସ, ମଲ୍ଟି-ୟୁଟିଲିଟି ସେଣ୍ଟର, ପୋଲିସ ଆଉଟପୋଷ୍ଟ ଏବଂ ୩୦-ଜଣିଆ ବାରାକ୍ ମଧ୍ୟ ଲୋକାର୍ପିତ ହୋଇଛି।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଟ ୧୨୯୨କୋଟି ଟଙ୍କାର ବ୍ୟୟରେ ୩୩୦ଟି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ପ୍ରାୟ ୪୧୨କୋଟି ଟଙ୍କାର ୧୯୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮୮୦ କୋଟିରୁ ଅଧିକ ମୂଲ୍ୟର ୧୩୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ ଯେ ଓଡ଼ିଶା ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, କିନ୍ତୁ କେନ୍ଦୁଝରବାସୀଙ୍କ ପାଇଁ ସେ ସେଇ ପୁରୁଣା ‘ମୋହନ ଭାଇ’। ନିଜର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଜନ୍ମମାଟିର ସେବା କରିଚାଲିବେ ବୋଲି ଦୃଢ଼ ପ୍ରତିଜ୍ଞା କରିଥିଲେ।

ପ୍ରଥମ ୩ବର୍ଷରେ ୨ ହଜାର ୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଅନୁନ୍ୟ ୫ ଏକର ଜମି ଓ ଗମନାଗମନର ସୁବିଧା ଥିବା ଗ୍ରାମଗୁଡ଼ିକରେ ଏହି ସ୍କୁଲ ସ୍ଥାପିତ ହେଉଛି । ପୂର୍ବରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମସ୍ଥାନ ବାଣପୁରରୁ ୧୧୮ଟି ଏବଂ ଖୋର୍ଦ୍ଧାରୁ ୨୦୪ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି, ଯାହା ମୋଟ ୯୫୨ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଶିକ୍ଷାର ରୂପାନ୍ତରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ୩୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ, କ୍ରୀଡ଼ା ଉପକରଣ ସହିତ “ନିପୁଣ ଓଡ଼ିଶା” ଅଧୀନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାକୁ ପ୍ରୋତ୍ସାହିତ କରାଯିବ। କେନ୍ଦୁଝର ଭଳି ଆଦିବାସୀବହୁଳ ଜିଲ୍ଲାରେ ଏହି ବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାଦାନର କେନ୍ଦ୍ର ନ ହୋଇ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଶିଶୁମାନଙ୍କ ସ୍ୱପ୍ନ ଓ ଭବିଷ୍ୟତ ଗଠନର ମନ୍ଦିର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ଜନସାଧାରଣଙ୍କ ସୁବିଧା ଏବଂ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ‘National Common Mobility କାର୍ଡ (NCMC)’ ବା ମାଗଣା ବସ୍ ସେବା କାର୍ଡର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ପ୍ରଦାନ କରିଛନ୍ତି । ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଟକରେ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ସ୍ମୃତିରଞ୍ଜନ ସାହୁ ଏବଂ ଧାମନଗର ପିଏମଶ୍ରୀ ସହିଦନଗର ହାଇସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ କରଙ୍କ ସହିତକଥା ହୋଇଥିଲେ। ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଉତ୍ସାହିତ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଥିଲା।

ଏହି ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମତବ୍ୟକ୍ତ କରିଥିଲେ ଯେ, ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ମୂଳରୁ ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଥିଲେ, ଆଜି ତାହା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଜରିଆରେ ବାସ୍ତବ ରୂପ ନେଉଛି । ଏହି ବିଶାଳ ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଏବଂ କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ ଵିଶାଲ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।


Reporterspen