ମହାନଦୀରେ ବଢୁଛି ପାଣି, ହୀରାକୁଦରେ ୧୨ ଗେଟ୍ ଖୋଲିଲା

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ମହାନଦୀରେ ବଢୁଛି ଜଳପ୍ରବାହ । ଏଥିସହିତ ଓଡ଼ିଶାରେ ମଧ୍ୟ ବଢ଼ିଛି ବର୍ଷାର ପ୍ରଭାବ । ବିଭିନ୍ନ ଜିଲ୍ଲାରେ ଭାରି ବର୍ଷା ଯୋଗୁ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଚିନ୍ତା ବଢାଇଛି ମହାନଦୀ । ସ୍ଥିତିକୁ ଦେଖି ହୀରାକୁଦର ୯୮ଟି ଗେଟ୍‌ରୁ ୧୨ଟି ଗେଟ୍ ଖୋଲା ଯାଇଛି । ଡ୍ୟାମ୍‌ରୁ ଜଳ ନିଷ୍କାସନ ହେବା ପରେ ତଳମୁଣ୍ଡରେ ମହାନଦୀର ପ୍ରବାହ ଉପରେ ସମସ୍ତଙ୍କର ନଜର ରହିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ଅଞ୍ଚଳରେ ଭାରି ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀରର ଦୁଡୁକାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁରର ଜମନକିରାରେ ୧୦୮ ମିମି, ଥେମରାରେ ୧୦୬.୨ ମିମି, ବରଗଡ଼ ଅମ୍ବାଭୋନାରେ ୧୦୧ ମିମି ଏବଂ ମାଲକାନଗିରି ମାଥିଲିରେ ୧୦୦ ମିମି ବର୍ଷା ହୋଇଛି ।

ସେହିପରି ନୟାଗଡ଼ ଦଶପଲ୍ଲାରେ ୭୬.୪ ମିମି, ଗଜପତି ଗୋସାଣୀରେ ୭୬ ମିମି, ଦେବଗଡ଼ ବାରକୋଟରେ ୭୫.୪ ମିମି, ମୟୂରଭଞ୍ଜ ସାରସକଣାରେ ୭୫ ମିମି ଏବଂ କଟକ ଟାଙ୍ଗୀ-ଚୌଦ୍ୱାରରେ ୭୨ ମିମି ବର୍ଷା ରେକର୍ଡ ହୋଇଛି । ଅର୍ଥାତ୍ କେବଳ ଗୋଟିଏ ଅଞ୍ଚଳ ନୁହେଁ, ପଶ୍ଚିମରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ସବୁଆଡେ ବର୍ଷାର ପ୍ରକୋପ ଦେଖାଯାଇଛି ।

ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୩.୮୭ ଫୁଟ୍‌ରେ ପହଞ୍ଚିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜଳସ୍ତର ବଢିବାରେ ଲାଗିଛି । ଜଳଭଣ୍ଡାରକୁ ୨ଲକ୍ଷ ୨୦ ହଜାର ୭୭୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୬୪ ହଜାର ୬୦୬ କ୍ୟୁସେକ୍ ଜଳ ଛଡା ଯାଉଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ହୀରାକୁଦର ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ ଉପରେ ରହିଛି ନଜର । ସକାଳ ୯ଟାରେ ଖଇରମାଳରେ ପ୍ରାୟ ୩ ଲକ୍ଷ ୭୦ ହଜାର କ୍ୟୁସେକ୍‌, ବରମୂଳରେ ୩ ଲକ୍ଷ ୨୮ହଜାର ୭୫୦ କ୍ୟୁସେକ୍ ଏବଂ ମୁଣ୍ଡଳୀରେ ୪ ଲକ୍ଷ ୮୦ ହଜାର ୨୭ କ୍ୟୁସେକ୍ ଜଳପ୍ରବାହ ରେକର୍ଡ ହୋଇଛି ବୋଲି ଜଳ ସମ୍ପଦ ବିଭାଗ ସୂଚନା ଦେଇଛି ।

ବର୍ତ୍ତମାନ ସମୟରେ ବଡ଼ ନଦୀଗୁଡ଼ିକର ଅଧିକାଂଶ ଗେଜ୍ ଷ୍ଟେସନରେ ଜଳସ୍ତର ବିପଦ ସଙ୍କେତ ଠାରୁ ତଳେ ରହିଛି । ଖଇରମାଳରେ ମହାନଦୀର ଜଳସ୍ତର ୧୦୪.୧୪ ମିଟର, ଯେଉଁଠାରେ ବିପଦସୀମା ୧୦୯ ମିଟର । ନରାଜରେ ମହାନଦୀର ଜଳସ୍ତର ୨୫.୩୩ ମିଟର ରହିଛି । ଏଠାରେ ବିପଦସଙ୍କ?ତ ୨୬.୪୧ମିଟର । ସେହିପରି ବୈତରଣୀର ଆଖୁଆପଦାଠାରେ ଜଳସ୍ତର ୧୮.୧୨ ମିଟର ରହିଛି । ଏଠାରେ ବିପଦସୀମା ୧୮.୩୩ ମିଟର । ଏଠାରେ ଜଳସ୍ତର ବିପଦସଙ୍କେତଠାରୁ ମାତ୍ର ୦.୨୧ ମିଟର ତଳେ ରହିଛି । ତେଣୁ ବୈତରଣୀର ଏହି ଅଞ୍ଚଳ ଉପରେ ବିଶେଷ ନଜର ରହିଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ,୯ ଅଗଷ୍ଟରେ ବୈତରଣୀ, ଲୋଅର ବ୍ରାହ୍ମଣୀ, ଅପର ବ୍ରାହ୍ମଣୀ ଓ ଅପର ମହାନଦୀ ଅବବାହିକାରେ ୧୧ରୁ ୨୫ ମିମି ବର୍ଷା ହୋଇପାରେ । ୧୦ ଓ ୧୧ ଅଗଷ୍ଟରେ ଅଧିକାଂଶ ଅବବାହିକାରେ ବର୍ଷାର ପରିମାଣ ତୁଳନାମୂଳକ କମ୍ ରହିବାର ପୂର୍ବାନୁମାନ ରହିଛି ।


Reporterspen