୭ ଅଭିଯୁକ୍ତ ଅଟକ; ସେମି ଅଟୋମେଟିକ୍ ପିସ୍ତଲ ଜବତ
ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ରାଜଧାନୀରେ ପୁଣି ଗୁଳିକାଣ୍ଡ ଘଟିଛି । ଶିଶୁପାଳଗଡ ଗୁଳିକାଣ୍ଡର ମାତ୍ର କେଇଘଣ୍ଟା ପରେ ଲକ୍ଷ୍ମୀସାଗର ଥାନା ବମିଖାଲ କଟକ ରୋଡରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିପଡ଼ିଆ ବସ୍ତିର ସୋନୁ ନାୟକ (୨୨) । ଘଟଣାସ୍ଥଳରେ ଗୁଳିକାଣ୍ଡ ସହ ବୋମାମାଡ଼ ମଧ୍ୟ ହୋଇଛି । ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ସୋନୁଙ୍କ ମୁଣ୍ଡରେ ହିଁ ଗୁଳି ବାଜିଛି । ପରିବାର ଲୋକଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ପୋଲିସ ଟିମ୍ ଘଟଣାସ୍ଥଳରୁ ଖୋକା ଓ ଫୁଟିଥିବା ବୋମାର କିଛି ଅଂଶ ଜବତ କରିଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ୭ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଘଟଣାରେ ବ୍ୟବହୃତ ଏକ ସେମି ଅଟୋମେଟିକ୍ ପିସ୍ତଲ ଜବତ କରାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ହଳଦିଆପଡ଼ିଆ ବସ୍ତିର ଶଙ୍କର ନାୟକଙ୍କ ପତ୍ନୀ ଶାନ୍ତି ନାୟକ (୩୫) ଶନିବାର ଲକ୍ଷ୍ମୀସାଗର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ଗତ ୬ ଓ ୭ ତାରିଖ ମଧ୍ୟବର୍ତ୍ତୀ ରାତି ପ୍ରାୟ ୩ଟା ସମୟରେ ତାଙ୍କ ପୁଅ ସୋନୁ ନାୟକ ସାଙ୍ଗମାନଙ୍କ ସହ ରସୁଲଗଡ଼ ପେଟ୍ରୋଲ ପମ୍ପରୁ ଫେରୁଥିବା ବେଳେ ଝାରପଡ଼ା ଓଭରବ୍ରିଜ୍ ନିକଟ ରିଲାଏନ୍ସ ଫ୍ରେସ୍ ସମ୍ମୁଖରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏଥିରେ ସୋନୁ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ପୁଲିସ ତାଙ୍କ ଏତଲାକୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହା ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ଜାଣିବାକୁ ପାଇଛି ।
ପୁଲିସର ତଦନ୍ତ ଅନୁଯାୟୀ, ମୃତ ସୋନୁ ନାୟକ ଓ ତାଙ୍କ ସାଙ୍ଗମାନଙ୍କର ଝାରପଡ଼ା ଅଞ୍ଚଳର ଅନ୍ୟ ଏକ ଗୋଷ୍ଠୀ ସହ କୌଣସି କାରଣକୁ ନେଇ ତୀବ୍ର ବଚସା ହୋଇଥିଲା । ଏହାପରେ ସୋନୁଙ୍କ ସମେତ ଅନ୍ୟ ୮ ଜଣ ଝାରପଡ଼ା ଓଭରବ୍ରିଜ୍ ନିକଟରେ ଥିବା ଅଭିଯୁକ୍ତଙ୍କ ଘର ପାଖକୁ ଯାଇ ବୋମାମାଡ଼ କରିଥିଲେ । ଏହି ସମୟରେ ଅନ୍ୟପକ୍ଷରୁ ବନ୍ଧୁକରୁ ଗୁଳି ଚାଳନା କରାଯାଇଥିଲା । ଗୁଳି ସୋନୁଙ୍କ ଦେହରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ପୁଲିସ ୭ଜଣଙ୍କୁ ଅଟକ ରଖିଛି । ସେମାନେ ହେଲେ ଝାରପଡ଼ା ଦୋଳମଣ୍ଡପ ସାହିର ରଞ୍ଜନ ବେହେରାଙ୍କ ପୁଅ ସତ୍ୟଜିତ ବେହେରା (୧୮), ରାଧିକା କମ୍ପେ୍ଲକ୍ସ ପଛପଟର କୁନା ରତନ (୧୮), ମହାଦେବ ନଗର ଲାଇନ୍ ନଂ ୫ର ଶମ୍ଭୁ ବେହେରାଙ୍କ ପୁଅ ମନୋଜ ବେହେରା (୧୮), ମହାଦେବ ନଗରର ଦାଣ୍ଡୁଆ କୁମ୍ଭାରଙ୍କ ପୁଅ ଦିବ୍ୟ କୁମ୍ଭାର (୧୯), ଜେନା ସାହିର ଗଣେଶ ହାତୀଙ୍କ ପୁଅ ଶୁଭ ଓରଫ ବିଶ୍ୱଜିତ ହାତୀ (୧୯), ଝାରପଡ଼ାର ଗଦାଧର ଜେନାଙ୍କ ପୁଅ ଲିପୁନ ଜେନା ଓରଫ ଜଗତଜୀବନ ଜେନା (୩୨) ଏବଂ ଜଣେ ୧୭ ବର୍ଷୀୟ ନାବାଳକ ।
ଅଭିଯୁକ୍ତ କୁନା ରତନଙ୍କ ଠାରୁ ଏହି ଅପରାଧରେ ବ୍ୟବହୃତ ଏକ ସେମି ଅଟୋମେଟିକ୍ ପିସ୍ତଲ ଜବତ କରାଯାଇଛି । ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଗୁଳି ଚାଳନାର ପ୍ରକୃତ କାରଣ କ’ଣ, ସେନେଇ ପୁଲିସର ତଦନ୍ତ ଜାରି ରହିଛି ।
ମୃତ ସୋନୁ ନାୟକଙ୍କ ବାପା ଶଙ୍କର ନାୟକ କହିଛନ୍ତି, ମୋ ପୁଅ ରସୁଲଗଡ଼ ତେଲ ପକାଇବାକୁ ଯାଉଥିଲା । ୩ଟା ୩୦ବେଳେ ମୋ ପାଖକୁ କଲ ଯାଇଥିଲା ଯେ, ମୋ ପୁଅକୁ ଗୁଳିମାଡ଼ କରାଯାଇଛି । ମୋ ପୁଅର ଜୀବନ ଗଲା । ତାଙ୍କ ଭିତରେ କଣ ହେଇଛି ମୁଁ କହିପାରିବି ନାହିଁ । ପୋଲିସ ଜାଣିକି ମଧ୍ୟ କିଛି କରୁନାହିଁ । ଦାଦାଗିରି ଦେଖାଇ ଏମିତି କରୁଛନ୍ତି । ମୋ ପୁଅକୁ ଯେଉଁମାନେ ହତ୍ୟା କରିଛନ୍ତି, ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଉ ।\’

