ଆଇନଶୃଙ୍ଖଳା ଉପରେ ଉଠିଲା ପ୍ରଶ୍ନ, ଲୋକେ ମଣୁଛନ୍ତି ଅସୁରକ୍ଷିତ
ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଅପରାଧୀଙ୍କ ଗତିବିଧିକୁ ନେଇ ଚର୍ଚ୍ଚାରେ । ଗତକିଛି ଦିନ ମଧ୍ୟରେ ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟା, ଗୁଳିକାଣ୍ଡ, ଖଣ୍ଡାଚୋଟ, ଲୁଟ୍ ଓ ସନ୍ଦେହଜନକ ମୃତ୍ୟୁ ଘଟଣା ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ବିଶେଷକରି ନଭେମ୍ବର ୪ରୁ ୭ତାରିଖ ମଧ୍ୟରେ ଲଗାତାର ସାମ୍ନାକୁ ଆସିଥିବା ହତ୍ୟା, ବୋମାମାଡ ଓ ଗୁଳିକାଣ୍ଡ ଘଟଣା ରାଜଧାନୀର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି ।
ଗତକାଲି ଅର୍ଥାତ ଦୀପାବଳି ରାତିରେ ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳରେ ଘରେ ପଶି ଖଣ୍ଡାରେ ଆକ୍ରମଣ ସହ ବୋମାମାଡ ହୋଇଛି । ପୂର୍ବ ଶତ୍ରୁତାରୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଏହି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ନଭେମ୍ବର ୪ ତାରିଖରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରୁ ୭୬ ବର୍ଷୀୟା ବୃଦ୍ଧା କୁଞ୍ଜଲତା ନନ୍ଦଙ୍କ ମୃତଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇ ଘରୁ ସୁନା ଅଳଙ୍କାର, ନଗଦ ଟଙ୍କା ଓ ସ୍କୁଟର ଲୁଟ୍ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତାଙ୍କ ଦେଖାଶୁଣା କରୁଥିବା କେୟାରଟେକର ବଳଭଦ୍ର ମହାରଣା ଘଟଣା ପରଠାରୁ ଫେରାର ଥିବାରୁ ପୁଲିସ ତାଙ୍କୁ ସନ୍ଦେହ କରି ଖୋଜାଖୋଜି ଆରମ୍ଭ କରିଥିଲା । ହେଲେ ହତ୍ୟାକାଣ୍ଡ ଉପରେ ପରଦା ଉଠିପାରିନି ।
ସେହିଦିନ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣର ଗୁରୁ କେଳୁଚରଣ ପାର୍କ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ପଚାସଢ଼ା ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହର ଅବସ୍ଥା ଦେଖି ପୁଲିସ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ପରିଚୟ ଓ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ବୈଜ୍ଞାନିକ ଦଳର ସହାୟତା ନେଇଛି । ହେଲେ ଏହା ସ୍ୱାଭାବିକ ମୃତ୍ୟୁ, ଆତ୍ମହତ୍ୟା ନାଁ ହତ୍ୟାକାଣ୍ଡ ତାହା ଏବେ ବି ଅସ୍ପଷ୍ଟ ରହିଛି ।
ପରଦିନ ଅର୍ଥାତ୍ ନଭେମ୍ବର ୫ ତାରିଖରେ ଧଉଳି ଥାନା ଅଞ୍ଚଳର ଶିଶୁୁପାଳଗଡ଼ରେ ଗୁଳିକାଣ୍ଡ ଘଟି ୨୫ ବର୍ଷୀୟ ତାପୁ ନାଏକଙ୍କ ମୃତ୍ୟୁ ହୋଇଥିଲା । ଏକ ବେଆଇନ ପିସ୍ତଲ କିଣିବା ପରେ ଏହାକୁ ନେଇ ଚାଲିଥିବା ମଦ୍ୟପାନ ଓ ଭୋଜି ସମୟରେ ଗୁଳି ଫୁଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯିବା ସହ ୭.୬୫ ଏମ୍ଏମ୍ ପିସ୍ତଲ ଓ ଗୁଳି ଜବତ ହୋଇଥିଲା ।
ଏହାର ଦୁଇ ଦିନ ପରେ, ନଭେମ୍ବର ୭ତାରିଖ ଭୋରରେ ରାଜଧାନୀର ଝାରପଡ଼ା ଓଭରବ୍ରିଜ୍ ନିକଟରେ ଆଉ ଏକ ଗୁଳିକାଣ୍ଡ ଘଟିଥିଲା । ଏଥିରେ ସୋନୁ ନାଏକଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ବୋମାମାଡ଼ ହୋଇଥିବା ମଧ୍ୟ ଜଣାପଡ଼ିଥିଲା । ଲକ୍ଷ୍ମୀସାଗର ଥାନାରେ କେସ୍ ନମ୍ବର ୭୮୫/୨୦୨୬ ରୁଜୁ ହେବା ପରେ ପୁଲିସ ଜଣେ ନାବାଳକଙ୍କ ସମେତ ୭ ଜଣଙ୍କୁ ଧରିଥିଲା । ଘଟଣାସ୍ଥଳରୁ ଖାଲି କାର୍ଟ୍ରିଜ୍ ଓ ବୋମାର ଅବଶେଷ ମଧ୍ୟ ଜବତ ହୋଇଥିଲା । ଗୋଷ୍ଠୀ ବିବାଦରୁ ଏଭଳି ଗୁଳିକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି ।
ସେହି ରାତିରେ ତାରିଣୀ ବସ୍ତି ଅଞ୍ଚଳରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା । ପାରିବାରିକ ବିବାଦ ଓ ପରକୀୟା ସନ୍ଦେହକୁ କେନ୍ଦ୍ର କରି ୪୦ ବର୍ଷୀୟ ପଠାଣି ସାହୁଙ୍କୁ ତାଙ୍କ ଭିଣୋଇ ସୁରେଶ ସିଂହ ସିମେଣ୍ଟ ଖଣ୍ଡରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ହତ୍ୟା ପରେ ମୃତଦେହକୁ ରେଳ ଧାରଣା ନିକଟକୁ ନେଇ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ ହୋଇଥିଲା । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କେସ୍ ନମ୍ବର ୫୮୨/୨୦୨୬ ରୁଜୁ କରିଥିଲା ।
ଗତ ୪ ତାରିଖ ରାତିରେ ବୁଦ୍ଧନଗର ଅଂଚଳରେ ଜଣେ ଯୁବକଙ୍କୁ ୭/୮ଜଣ ଫିଲ୍ଲି ଷ୍ଟାଇଲରେ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ । ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ହେଲେ ଅନ୍ୟମାନେ ଏବେ ବି ଫେରାର ରହିଛନ୍ତି ।
ଏପଟେ ଲଗାତାର ଅପରାଧ ଘଟଣା ପରେ ଭୁବନେଶ୍ୱର ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସହରର ସମସ୍ତ ଥାନା ଅଞ୍ଚଳରେ ରାତିସାରା ନାକା ଚେକିଂ ଓ ଗାଡ଼ି ଯାଞ୍ଚ ଅଭିଯାନ ଚାଲିଛି । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପୁଲିସ, ପିସିଆର ଓ ଟ୍ରାଫିକ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି ଅଭିଯାନରେ ମଦ୍ୟପାନ କରି ଗାଡ଼ି ଚଳାଇବା ଓ ବିପଜ୍ଜନକ ଭାବେ ଗାଡ଼ି ଚଳାଇବା ଅଭିଯୋଗରେ ୪୫ଜଣ ଧରାପଡ଼ିଛନ୍ତି । ସେମାନଙ୍କ ୪୫ଟି ଗାଡ଼ି ଜବତ କରାଯାଇଛି । ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ସହ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଛି ।
କମିଶନରେଟ୍ ପୁଲିସର ୨୦୨୬ ପ୍ରଥମ ଛଅ ମାସର ଅପରାଧ ତଥ୍ୟ ମଧ୍ୟ ଏକ ଭିନ୍ନ ଚିତ୍ର ଦେଖାଉଛି । ଏହି ସମୟରେ ଭୁବନେଶ୍ୱରରେ ୯,୯୩୪ଟି ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ର ସମାନ ସମୟରେ ଏହି ସଂଖ୍ୟା ୬,୯୬୮ ଥିଲା । ଅର୍ଥାତ୍ ପ୍ରାୟ ୪୩ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ଏହି ବୃଦ୍ଧିର ମୁଖ୍ୟ କାରଣ ଛୋଟମୋଟ ଅପରାଧ ମାମଲା ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି । ଅନ୍ୟପଟେ ଚୋରି ମାମଲା ବଢ଼ିଥିବା ବେଳେ ଡକାୟତି ଓ ଲୁଟ୍ ମାମଲାରେ ହ୍ରାସ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅପରାଧ ବୃଦ୍ଧିରେ ଲୋକଙ୍କ ଅଭିଯୋଗ ଦାଖଲ ଓ ପୁଲିସର ତ୍ୱରିତ ଏଫ୍ଆଇଆର ପଞ୍ଜୀକରଣ ମଧ୍ୟ ଏକ କାରଣ ହୋଇପାରେ ।
ତେବେ ଗତ ସାତଦିନର ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି । ରାଜଧାନୀରେ ଅବୈଧ ଅସ୍ତ୍ରଶସ୍ତ୍ର କାରବାର, ନିଶା କାରବାର, ପାରିବାରିକ ହିଂସା ଓ ଆର୍ôଥକ ଠକେଇ ଉପରେ ନିୟନ୍ତ୍ରଣ ଆଣିବାକୁ ପୁଲିସର ରଣନୀତି କେତେ ସଫଳ ହେଉଛି? କେବଳ ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ନୁହେଁ, ଅପରାଧ ଘଟିବା ପୂର୍ବରୁ ତାହାକୁ ରୋକିବା ହିଁ ପୁଲିସ ପାଇଁ ବଡ଼ ଆହ୍ୱାନ ।
ସ୍ମାର୍ଟ ସିଟିର ନାଗରିକମାନେ ଏବେ ରାତିରେ ନିର୍ଭୟରେ ଯାତାୟାତ କରିବା ସହ ନିଜ ଘର ଓ ସମ୍ପତ୍ତିର ସୁରକ୍ଷା ଚାହୁଁଛନ୍ତି । ତେଣୁ ନାକା ଚେକିଂ ସହ ଅପରାଧୀଙ୍କ ନେଟୱର୍କ ଭାଙ୍ଗିବା, ଅବୈଧ ବନ୍ଧୁକ ଜବତ, ସିସିଟିଭି ନିରୀକ୍ଷଣ ଓ ନିଶା କାରବାର ଉପରେ କଡ଼ା ନଜର ରଖିବା ଜରୁରୀ । ନଚେତ୍ ସ୍ମାର୍ଟ ସିଟିର ସୁରକ୍ଷାକୁ ନେଇ ଲୋକଙ୍କ ମନରେ ଥିବା ଆଶଙ୍କା ଦୂର ହେବା ସହଜ ନୁହେଁ ।

