ଦୀପାବଳି ରାତିରେ ଫୁଟିଲା ବୋମା, ଖଣ୍ଡା ଚୋଟରେ ଗୋଟିଏ ପରିବାରର ୪ ଆହତ

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସପେନ୍‌) : ପୁଣି ଅଶାନ୍ତ ରାଜଧାନୀ । ଦୀପାବଳି ରାତିରେ ରାଜଧାନୀରେ ଫୁଟିଲା ବୋମା । ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳରେ ଘରେ ପଶି ଖଣ୍ଡାରେ ଆକ୍ରମଣ ସହ ବୋମାମାଡ ହୋଇଛି । ବୋମାମାଡ଼ରେ ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଏୟାରଫିଲ୍ଡ ଥାନା ପୁଲିସ ଦୁଇ ନାବାଳକ ସହ ୩ଜଣଙ୍କୁ ଗିରଫ କରିଛି ।

ପୁଲିସ ସୂଚନା ଅନୁସାରେ, ଅଭିଯୋଗକାରୀ ଶ୍ରୀକୃଷ୍ଣ ମହାରଣାପରିବାର ସହ ପଳାସପଲ୍ଲୀ ଅନ୍ତର୍ଗତ ଲେନ-୧୩ ରେ ରୁହନ୍ତି । ଗତକାଲି ସେ ପରିବାର ସଦସ୍ୟଙ୍କ ସହ ମିଶି ନିଜଘର ସମୁଖସ୍ଥ ରାସ୍ତାରେ ଦୀପାବଳି ପାଳନ କରୁଥିବା ସମୟରେ ଅଭିଯୁକ୍ତ ବିଶାଲ ସାହାଣୀ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଏକ ମୋଟରସାଇକେଲ୍‌ରେ ସେଠାରେ ପହଞ୍ଚି ତାଙ୍କ ସହ ଝଗଡା କରିଥିଲେ । ପରେ ସେମାନେ ତାଙ୍କୁ ଗାଳିଗୁଲଜ ଓ ଧମକ ଦେଇ ସେଠାରୁ ଚାଲିଯାଇଥିଲେ । ଏହାର ପ୍ରାୟ ଅଧଘଣ୍ଟା ପରେ ସମ୍ପୃକ୍ତ ଅଭିଯୁକ୍ତ ସହ କୁକୁଟେଶ୍ୱର ବସ୍ତିର ପ୍ରାୟ ୧୦ଜଣ ସହଯୋଗୀ ବୋମା, ଖଣ୍ଡା ଓ ସାଇକେଲ୍ ଚେନ୍ ଭଳି ମାରଣାସ୍ତ୍ର ଧରି ଅଭିଯୋଗକାରୀ ଓ ତାଙ୍କ ପରିବାରକୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେଠାରେ ପହଞ୍ଚିଥିଲେ ।

ପ୍ରଥମେ ସେମାନେ ଅଭିଯୋଗକାରୀଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ, ଯାହାଫଳରେ କିଛି ଲୋକ ଆହତ ହୋଇଥିଲେ । ଏହି ସମୟରେ ଅଭିଯୋଗକାରୀଙ୍କ ମାଆ ସୌଦାମିନୀ ମହାରଣା ସେମାନଙ୍କୁ ଅଟକାଇବାକୁ ଯିବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ସେ ଆହତ ହୋଇଥିଲେ । ଅଭିଯୋଗକାରୀଙ୍କ ଭାଇ ସିଦ୍ଧେଶ୍ୱର ମହାରଣାଙ୍କ ମୁଣ୍ଡରେ ମଧ୍ୟ ଖଣ୍ଡା ଚୋଟ ଲାଗିବାରୁ ସେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ।

ଏହି ଘଟଣାରେ ଅଭିଯୋଗକାରୀ ଶ୍ରୀକୃଷ୍ଣ ମହାରଣା, ସିଦ୍ଧେଶ୍ୱର ମହାରଣା, ସୌଦାମିନୀ ମହାରଣା, ସତ୍ୟଜିତ ରଥ ଓ ବନିତା ମହାରଣା ଆହତ ହୋଇଥିଲେ । ଏନେଇ ଅଭିଯୋଗକାରୀ ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ।

ମାମଲାର ତଦନ୍ତ କାଳରେ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢଉ କରିବା ସହ ଅଭିଯୁକ୍ତ ବିଶାଲ ସାହାଣୀଙ୍କ ସମେତ ଅନ୍ୟ ଦୁଇ ନାବାଳକଙ୍କୁ କେଦାରପଲ୍ଲୀ ବସ୍ତି ଅଞ୍ଚଳରୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ, ଘଟଣାରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଥିଲେ । ଅଧିକ ପଚରାଉଚରାରୁ, ସମସ୍ତେ ନିଜର ଦୋଷ ସ୍ୱୀକାର କରିଥିଲେ ।


Reporterspen