ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଘନଘନ ଅପରାଧ ଘଟାଇ କମିଶନରେଟ ପୋଲିସକୁ ପାଣି ପିଆଇବା ପରେ ଏବେ ବଡବାବୁଙ୍କ ଚେତା ପଶିଛି । ଏକ ପ୍ରେସ ରିଲିସ ମାଧ୍ୟମରେ ଏଣିକି ସୁରକ୍ଷା କଡାକଡି ଓ ପାଟ୍ରୋଲିଂ ଜୋରଦାର କରିବାକୁ କହିଛି । ତେବେ ପୋଲିସର ଏହି ବାହାସ୍ପୋଟ କଥା କେତେ କାମ ଦେଉଛି, ତାହା ସମୟ ହିଁ କହିବ ।
ପୋଲିସ କହିଛି, ରାଜଧାନୀ ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସହରର ବିଭିନ୍ନ ପ୍ରମୁଖ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ ଜୋରଦାର କରାଯାଇଥିବା ବେଳେ ସମ୍ବେଦନଶୀଳ ଅଞ୍ଚଳ ଉପରେ ରଖାଯାଉଛି କଡ଼ା ନଜର ।
ସହରର ପ୍ରମୁଖ ରାସ୍ତା ଓ ଅଞ୍ଚଳଗୁଡ଼ିକରେ ଗାଡ଼ି ଯୋଗେ ପାଟ୍ରୋଲିଂ ବଢ଼ାଯାଇଛି । ସେହିପରି ବସ୍ତି ଅଞ୍ଚଳ ଏବଂ ଅପରାଧପ୍ରବଣ ସ୍ଥାନଗୁଡ଼ିକରେ ପୋଲିସର ପଦଯାତ୍ରା ପାଟ୍ରୋଲିଂକୁ ଅଧିକ ସୁଦୃଢ଼ କରାଯାଇଛି । ସହରର ବିଭିନ୍ନ ରଣନୀତିକ ସ୍ଥାନରେ ନାକା ଚେକିଂ ମଧ୍ୟ କଡ଼ାକଡ଼ି କରାଯାଉଛି ।
ଏହି ସ୍ୱତନ୍ତ୍ର ସୁରକ୍ଷା ଅଭିଯାନରେ ସମସ୍ତ ଥାନାର ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି । ସହରରେ ପୋଲିସର ଉପସ୍ଥିତି ବଢ଼ାଇବା, ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ଏବଂ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ନାଗରିକଙ୍କ ଧନଜୀବନର ସୁରକ୍ଷା ସହ ସହରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ କମିଶନରେଟ୍ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ ରାଜଧାନୀବାସୀଙ୍କୁ ପୋଲିସ କେତେ ସୁରକ୍ଷିତ ରଖିପାରୁଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

