ଭୁବନେଶ୍ୱର, (ରିପୋଟର୍ସ ପେନ୍) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ବଡ଼ ପଦକ୍ଷେପ ନେଇଛି । ଏହି ମାମଲାରେ ଝଉଋଜଞର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଗତକାଲିଠାରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମନୋଜ ପାଢ଼ୀଙ୍କୁ ଦୀର୍ଘ ସମୟ ଧରି ଜେରା କରୁଥିଲେ । ତଦନ୍ତ ସମୟରେ ସଂଗୃହୀତ ତଥ୍ୟ ଓ ପ୍ରମାଣକୁ ଆଧାର କରି ଶେଷରେ ତାଙ୍କୁ ଗିରଫ କରାଯାଇଛି । ଏହାପୂର୍ବରୁ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ନେଇ ବିବାଦ ସୃଷ୍ଟି ହେବା ପରେ ରାଜ୍ୟ ସରକାର ମନୋଜ ପାଢ଼ୀଙ୍କୁ ନିଲମ୍ବନ କରିଥିଲେ । ଏହାପରେ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବିଭିନ୍ନ ପ୍ରକାରର ଭାଷାଗତ, ତଥ୍ୟଗତ ଓ ସମ୍ପାଦନାଗତ ତ୍ରୁଟି ନେଇ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଶିକ୍ଷାବିତ୍, ଅଭିଭାବକ ଏବଂ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ ଉଠିଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।
ତଦନ୍ତ ଏବେ ମଧ୍ୟ ଚାଲିଥିବା ବେଳେ, ଏହି ମାମଲାରେ ଆଗାମୀ ଦିନରେ ଆହୁରି କିଛି ଅଧିକାରୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ସାମ୍ନାକୁ ଆସିପାରେ ବୋଲି ଆଲୋଚନା ହେଉଛି । ତେବେ ଏହା ସମ୍ପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆନୁଷ୍ଠାନିକ ଭାବେ ଅଧିକ ସୂଚନା ପ୍ରକାଶ ପାଇନାହିଁ ।

