ମୁମ୍ବାଇ: ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ବଡ଼ ପରିବର୍ତ୍ତନ। ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ସାଥ୍ ଛାଡ଼ି ପଞ୍ଜାବ କିଙ୍ଗ୍ସରେ ଯୋଗ ଦେଇଛନ୍ତି। ଟ୍ରେଡ୍ ଡିଲ୍ ଜରିଆରେ ହାର୍ଦ୍ଦିକ ପଞ୍ଜାବ ଦଳକୁ ଯାଇଥିବାବେଳେ ପଞ୍ଜାବର ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିଛନ୍ତି। ହାର୍ଦ୍ଦିକଙ୍କ ବିଦାୟ ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆଗାମୀ ସିଜିନ୍ରେ ମୁମ୍ବାଇ ଦଳର ନେତୃତ୍ୱ କିଏ ନେବେ?
୨୦୨୪, ୨୦୨୫ ଓ ୨୦୨୬ ଆଇପିଏଲ୍ ସିଜିନ୍ରେ ହାର୍ଦ୍ଦିକ ମୁମ୍ବାଇର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ପୂର୍ବରୁ ଦଳର ନେତୃତ୍ୱ ନେଉଥିଲେ ରୋହିତ ଶର୍ମା। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ୍ ଟ୍ରଫି ଜିତିଥିଲା। ଏବେ ହାର୍ଦ୍ଦିକଙ୍କ ଦଳ ଛାଡ଼ିବା ପରେ ଅଧିନାୟକ ପଦ ପାଇଁ ୪ ଜଣ ଖେଳାଳିଙ୍କ ନାମ ଚର୍ଚ୍ଚାକୁ ଆସୁଛି।
୧. ରୋହିତ ଶର୍ମା
ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ପାଇଁ ସବୁଠାରୁ ଆଗରେ ରହିଛି ରୋହିତ ଶର୍ମାଙ୍କ ନାମ। ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ୍ ଚାମ୍ପିୟନ ହୋଇଛି। ଦୀର୍ଘ ଦିନର ଅଧିନାୟକତ୍ୱ ଅଭିଜ୍ଞତା ରୋହିତଙ୍କୁ ଏହି ଦୌଡ଼ରେ ଆଗରେ ରଖିଛି। ହାର୍ଦ୍ଦିକଙ୍କ ଟ୍ରେଡ୍ ଖବର ସାମ୍ନାକୁ ଆସିବା ପରେ ରୋହିତ ପୁଣି ଥରେ ଦଳର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।
୨. ତିଳକ ବର୍ମା
ଯୁବ ଭାରତୀୟ ବ୍ୟାଟର୍ ତିଳକ ବର୍ମା ମଧ୍ୟ ଅଧିନାୟକ ପଦ ପାଇଁ ଜଣେ ଦାବିଦାର। ୨୦୨୨ରେ ଆଇପିଏଲ୍ ଡେବ୍ୟୁ କରିଥିବା ତିଳକ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ଅଛନ୍ତି। ସେ ଦଳର ଜଣେ ପ୍ରମୁଖ ଖେଳାଳି ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ତେଣୁ ଫ୍ରାଞ୍ଚାଇଜ୍ ତାଙ୍କୁ ଭବିଷ୍ୟତର ଅଧିନାୟକ ଭାବେ ବିଚାର କରିପାରେ।
୩. ସୂର୍ଯ୍ୟକୁମାର ଯାଦବ
ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ରେ ଭାରତର ନେତୃତ୍ୱ ନେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ତାଙ୍କ ନେତୃତ୍ୱରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ୍ ଜିତିଥିଲା। ଏହି ଅଭିଜ୍ଞତା ତାଙ୍କୁ ମୁମ୍ବାଇର ଅଧିନାୟକ ପଦ ପାଇଁ ଜଣେ ଦୃଢ଼ ଦାବିଦାର କରିଛି।
୪. ଯଶପ୍ରୀତ ବୁମ୍ରା
ଭାରତର ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ନାମ ମଧ୍ୟ ଅଧିନାୟକ ପଦ ପାଇଁ ଚର୍ଚ୍ଚାରେ ରହିଛି। ୨୦୧୩ରେ ଆଇପିଏଲ୍ ଡେବ୍ୟୁ କରିଥିବା ବୁମ୍ରା ଦୀର୍ଘ ଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ରହିଆସିଛନ୍ତି। ଦଳର ଜଣେ ଅଭିଜ୍ଞ ଓ ପ୍ରମୁଖ ଖେଳାଳି ଭାବେ ତାଙ୍କର ଭଲ ପରିଚୟ ରହିଛି। ତେଣୁ ଫ୍ରାଞ୍ଚାଇଜ୍ ତାଙ୍କୁ ମଧ୍ୟ ନେତୃତ୍ୱ ଦାୟିତ୍ୱ ଦେବା କଥା ବିଚାର କରିପାରେ।
ତେବେ ଏହି ୪ ଖେଳାଳିଙ୍କ ମଧ୍ୟରୁ କାହା ଉପରେ ମୁମ୍ବାଇ ଇଣ୍ଡିଆନ୍ସ ଭରସା କରିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଆଗାମୀ ଆଇପିଏଲ୍ ସିଜିନ୍ ପୂର୍ବରୁ ଫ୍ରାଞ୍ଚାଇଜ୍ର ନିଷ୍ପତ୍ତି ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିଛି।

