ହାରିବା ମ୍ୟାଚ୍‌ ଜିତିଲା ଭାରତ! ଫାଇନାଲ୍‌ରେ ପାକିସ୍ତାନକୁ ୧ ୱିକେଟ୍‌ରେ ହରାଇ ଏସିଆ କପ୍‌ ଚାମ୍ପିୟନ୍

Reporterspen

ଭୁବନେଶ୍ୱର, : ହାରୁଥିବା ମ୍ୟାଚ୍‌କୁ ଜିତି ନେଲା ଭାରତ। ଶେଷ ବଲ୍‌ରେ ଚୌକା ମାରି ପାକିସ୍ତାନ ହାତରୁ ବିଜୟ ଛଡ଼ାଇ ଆଣିଲେ ମୋହିତ ଉଲୱା। ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ ଫାଇନାଲ୍‌ରେ ପାକିସ୍ତାନକୁ ୧ ୱିକେଟ୍‌ରେ ହରାଇ ଚାମ୍ପିୟନ୍ ହୋଇଛି ଭାରତ। ଶେଷ ବଲ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ରୋମାଞ୍ଚକର ମୁକାବିଲାରେ ମୋହିତ ଉଲୱା ବିଜୟର ହିରୋ ସାଜିଥିଲେ। ମାତ୍ର ୨୬ଟି ବଲ୍‌ରୁ ଅପରାଜିତ ୪୯ ରନ୍‌ କରି ସେ ଭାରତକୁ ବିଜୟ ଭେଟି ଦେଇଥିଲେ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୩୭ ରନ୍‌ କରିଥିଲା। ଫଳରେ ଭାରତ ଆଗରେ ୩୩୮ ରନ୍‌ର ବିଶାଳ ଲକ୍ଷ୍ୟ ରହିଥିଲା। ଜବାବରେ ଭାରତର ଆରମ୍ଭ ଭଲ ରହିଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟର୍‌ଙ୍କ ବିଫଳତା ଯୋଗୁଁ ଦଳ ସଙ୍କଟରେ ପଡ଼ିଥିଲା। ୨୫୨ ରନ୍‌ରେ ଭାରତ ଅଷ୍ଟମ ୱିକେଟ୍‌ ହରାଇଥିଲା। ଏହି ସମୟରେ ବିଜୟ ପାଇଁ ଆଉ ୮୬ ରନ୍‌ ଆବଶ୍ୟକ ଥିବା ବେଳେ ହାତରେ ଥିଲା ମାତ୍ର ୨ଟି ୱିକେଟ୍‌। ଏଭଳି ସ୍ଥିତିରେ ପାକିସ୍ତାନର ବିଜୟ ପ୍ରାୟ ନିଶ୍ଚିତ ମନେ ହେଉଥିଲା।

କିନ୍ତୁ ମନଲ ଚୌହାନ ଓ ମୋହିତ ଉଲୱା ହାର ମାନି ନଥିଲେ। ଉଭୟ ନବମ ୱିକେଟ୍‌ ପାଇଁ ୫୭ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ି ଭାରତର ବିଜୟ ଆଶା ଉଜ୍ଜୀବିତ କରିଥିଲେ। ଏହି ଭାଗୀଦାରି ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା। ତେବେ ମନଲ ଚୌହାନ ୪୭ ରନ୍‌ କରି ଆଉଟ୍‌ ହେବା ପରେ ପୁଣି ଥରେ ଭାରତୀୟ ଶିବିରରେ ନିରାଶା ଖେଳିଯାଇଥିଲା। ଗୋଟିଏ ୱିକେଟ୍‌ ବାକି ଥିବା ବେଳେ ବିଜୟ ପାଇଁ ଆହୁରି ୨୯ ରନ୍‌ ଦରକାର ଥିଲା।

ଶେଷ ଓଭରରେ ଦରକାର ଥିଲା ୮ ରନ୍‌

ମ୍ୟାଚ୍‌ର ୪୯ତମ ଓଭରରେ ମୋହିତ ଉଲୱାଙ୍କ ବ୍ୟାଟ୍‌ରୁ ବାହାରିଥିଲା ରନ୍‌ର ବର୍ଷା। ପାକିସ୍ତାନ ବୋଲର ମହମ୍ମଦ ସାୟମ୍‌ଙ୍କ ଓଭରରେ ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଏହି ଓଭରରୁ ଭାରତକୁ ମିଳିଥିଲା ୧୭ ରନ୍‌। ଫଳରେ ଶେଷ ୬ଟି ବଲ୍‌ରେ ବିଜୟ ପାଇଁ ମାତ୍ର ୮ ରନ୍‌ ଆବଶ୍ୟକ ଥିଲା।

ପାକିସ୍ତାନ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ଅହମ୍ମଦ ହୁସେନ। ପ୍ରଥମ ବଲ୍‌ ଡଟ୍‌ ରହିଥିଲା। ଦ୍ୱିତୀୟ ବଲ୍‌ ୱାଇଡ୍‌ ହେବାରୁ ଭାରତକୁ ଗୋଟିଏ ରନ୍‌ ମିଳିଥିଲା। ଏହାପରେ ପରବର୍ତ୍ତୀ ୪ଟି ବଲ୍‌ରେ ଗୋଟିଏ ଲେଖାଏଁ ରନ୍‌ ଆସିଥିଲା। ଏବେ ଶେଷ ବଲ୍‌ରେ ଭାରତକୁ ଜିତିବା ପାଇଁ ୩ ରନ୍‌ ଆବଶ୍ୟକ ଥିଲା। ମ୍ୟାଚ୍‌ ଟାଇ କରିବା ପାଇଁ ମଧ୍ୟ ୨ ରନ୍‌ ଦରକାର ଥିଲା। ଏଭଳି ଚାପପୂର୍ଣ୍ଣ ପରିସ୍ଥିତିରେ ମୋହିତ ଏକ ଚମତ୍କାର ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ।

ଆର୍ଯ୍ୟବୀର ଓ ରୈଚନ୍ଦାନୀଙ୍କ ଭଲ ଆରମ୍ଭ

୩୩୮ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଓପନର ଆର୍ଯ୍ୟବୀର ସେହୱାଗ ଓ ଲକ୍ଷ୍ୟା ରୈଚନ୍ଦାନୀ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୯୫ ରନ୍‌ ଯୋଡ଼ିଥିଲେ। ଆର୍ଯ୍ୟବୀର ୫୮ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ଭାରତୀୟ ଅଧିନାୟକ ୮୦ ରନ୍‌ର ଦମ୍‌ଦାର ଇନିଂସ ଖେଳିଥିଲେ। ତେବେ ମଧ୍ୟକ୍ରମ ବ୍ୟାଟର୍‌ଙ୍କ ବିଫଳତା ଯୋଗୁଁ ଦଳ ଚାପରେ ପଡ଼ିଥିଲା। ଶେଷରେ ମୋହିତଙ୍କ ଲଢ଼ୁଆ ଇନିଂସ ଭାରତକୁ ଚାମ୍ପିୟନ୍ କରିଥିଲା।

ଉସମାନ ଖାନ୍‌ଙ୍କ ଶତକ, ପାକିସ୍ତାନର ବିଶାଳ ସ୍କୋର

ଏହା ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପକ୍ଷରୁ ଓପନର ଉସମାନ ଖାନ୍‌ ଚମତ୍କାର ଶତକ ହାସଲ କରିଥିଲେ। ସେ ୧୧୧ଟି ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ୧୦୭ ରନ୍‌ କରିଥିଲେ। ଦ୍ୱିତୀୟ ୱିକେଟ୍‌ ପାଇଁ ଅବଦୁଲ କାଦିରଙ୍କ ସହ ୧୩୫ ରନ୍‌ର ଭାଗୀଦାରି ଗଢ଼ିଥିଲେ। କାଦିର ମଧ୍ୟ ମାତ୍ର ୫୪ଟି ବଲ୍‌ରୁ ୮ଟି ଛକା ଓ ୩ଟି ଚୌକା ସହ ୮୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।

ସେହିପରି ପାକିସ୍ତାନ ଅଧିନାୟକ ଫରହାନ୍ ୟୁସୁଫ୍‌ ୬୦ଟି ବଲ୍‌ରୁ ୬୩ ରନ୍‌ କରିଥିଲେ। ଫଳରେ ପାକିସ୍ତାନ ୩୩୭ ରନ୍‌ର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା।

ଭାରତ ପକ୍ଷରୁ ପରେଶ ପଟେଲ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ। ସେ ୧୦ ଓଭର ବୋଲିଂ କରି ୬୮ ରନ୍‌ ବ୍ୟୟ କରିଥିଲେ। ବିଜୟ ସୁଭାଷ ୫ ଓଭରରେ ୪୦ ରନ୍‌ ଦେଇ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଶେଷରେ ମୋହିତ ଉଲୱାଙ୍କ ଅବିଶ୍ୱସନୀୟ ବ୍ୟାଟିଂ ଭାରତକୁ ଏକ ସ୍ମରଣୀୟ ବିଜୟ ଦେଇଛି। ପାକିସ୍ତାନ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣି ଭାରତୀୟ ଯୁବ ଦଳ ପୁଣି ଥରେ ନିଜର ଦକ୍ଷତା ପ୍ରମାଣିତ କରିଛି।


Reporterspen