ହାର୍ଦ୍ଦିକଙ୍କ ଆଗମନରେ ପଞ୍ଜାବ କିଙ୍ଗ୍ସ ଅଧିକ ଶକ୍ତିଶାଳୀ! ଦଳକୁ କ’ଣ ଫାଇଦା ହେବ : ରିକି ପଣ୍ଟିଂ

Reporterspen

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଦଳରେ ବଡ଼ ପରିବର୍ତ୍ତନ। ମୁମ୍ବାଇ ଇଣ୍ଡିଆନ୍ସରୁ ଟ୍ରେଡ୍‌ ହୋଇ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି ଭାରତୀୟ ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଅନ୍ୟପଟେ ହାର୍ଦ୍ଦିକଙ୍କ ବଦଳରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି। ହାର୍ଦ୍ଦିକଙ୍କ ଆଗମନ ପଞ୍ଜାବ ଦଳକୁ କେତେ ଫାଇଦା ଦେବ, ସେନେଇ ମୁହଁ ଖୋଲିଛନ୍ତି ଦଳର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ।

ପଣ୍ଟିଂଙ୍କ କହିବା ଅନୁଯାୟୀ, ହାର୍ଦ୍ଦିକଙ୍କ ଆସିବା ପରେ ପଞ୍ଜାବ କିଙ୍ଗ୍ସର ଦଳୀୟ ସନ୍ତୁଳନ ଆହୁରି ମଜଭୁତ ହୋଇଛି। ହାର୍ଦ୍ଦିକ ଜଣେ ଦକ୍ଷ ଅଲରାଉଣ୍ଡର। ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ପାଇଁ ଯୋଗଦାନ ଦେଇପାରିବେ। ବିଶେଷକରି ଟି-୨୦ ଫର୍ମାଟ୍‌ରେ ୪ ଓଭର ବୋଲିଂ କରିବାର କ୍ଷମତା ତାଙ୍କୁ ଅନ୍ୟ ଖେଳାଳିଙ୍କଠାରୁ ସ୍ୱତନ୍ତ୍ର କରିଛି। ଏହାଦ୍ୱାରା ଦଳକୁ ଅତିରିକ୍ତ ବ୍ୟାଟରଙ୍କୁ ଖେଳାଇବାର ସୁଯୋଗ ମିଳିବ।

ଜିଓଷ୍ଟାର୍‌ ସହ ଆଲୋଚନା ବେଳେ ପଣ୍ଟିଂ କହିଛନ୍ତି, ଆଗାମୀ ମେଗା ନିଲାମୀ ପୂର୍ବରୁ ଦଳର ଅଧିକାଂଶ ଖେଳାଳିଙ୍କୁ ଏକାଠି ରଖିବା ତାଙ୍କର ପ୍ରାଥମିକତା ଥିଲା। ସେଥିପାଇଁ ଆଇପିଏଲ୍‌ ୨୦୨୭ ପୂର୍ବରୁ ୬ ଜଣ ଖେଳାଳିଙ୍କୁ ରିଲିଜ୍‌ କରିବା ସହ ୧୯ ଜଣଙ୍କୁ ଦଳରେ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ହାର୍ଦ୍ଦିକଙ୍କ ଯୋଗଦାନ ପରେ ଦଳରେ ଅଲରାଉଣ୍ଡରଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ମାର୍କୋ ୟାନସେନ୍‌, ମାର୍କସ ଷ୍ଟୋଇନିସ୍‌, ଅଜମତୁଲ୍ଲା ଓମରଜାଇ, ସୂର୍ଯ୍ୟାଂଶ ଶେଡଗେ, ଶଶାଙ୍କ ସିଂହ ଓ କୁପର କୋନୋଲିଙ୍କ ଭଳି ଖେଳାଳି ଦଳରେ ରହିଛନ୍ତି। ଏମାନଙ୍କ ମଧ୍ୟରେ କେହି ଦ୍ରୁତ ବୋଲିଂ କରିପାରୁଥିବା ବେଳେ ଆଉ କେହି ସ୍ପିନ୍‌ ବୋଲିଂରେ ଦକ୍ଷ। ଫଳରେ ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ପଞ୍ଜାବର ବିକଳ୍ପ ବଢ଼ିଛି ବୋଲି ପଣ୍ଟିଂ କହିଛନ୍ତି।

ହାର୍ଦ୍ଦିକଙ୍କ ଆଇପିଏଲ୍‌ କ୍ୟାରିୟର

ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ନିଜ ଆଇପିଏଲ୍‌ କ୍ୟାରିୟରରେ ୧୬୨ଟି ମ୍ୟାଚ୍‌ ଖେଳିଛନ୍ତି। ଏହାର ୧୫୦ଟି ଇନିଂସରେ ୨୯୫୫ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୧୦ଟି ଅର୍ଦ୍ଧଶତକ ରହିଥିବା ବେଳେ ସର୍ବାଧିକ ସ୍କୋର ୯୧ ରନ୍‌। ସେହିପରି ୧୧୬ଟି ଇନିଂସରେ ବୋଲିଂ କରି ୮୨ଟି ୱିକେଟ୍‌ ହାସଲ କରିଛନ୍ତି। ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୩୬ ରନ୍‌ ବିନିମୟରେ ୫ ୱିକେଟ୍‌।

ଏବେ ହାର୍ଦ୍ଦିକଙ୍କ ଅଭିଜ୍ଞତା ଓ ଅଲରାଉଣ୍ଡ ପ୍ରଦର୍ଶନ ପଞ୍ଜାବ କିଙ୍ଗ୍ସ ପାଇଁ କେତେ ଫଳପ୍ରଦ ହେଉଛି, ତାହା ଆଇପିଏଲ୍‌ ୨୦୨୭ରେ ଦେଖିବାକୁ ମିଳିବ।


Reporterspen