୧୦୬ ନୋ-ବଲ୍‌ ପକାଇ ପାକିସ୍ତାନର ବିଶ୍ୱ ରେକର୍ଡ!

Reporterspen

ନୋ-ବଲ୍‌ ବୋଲିଂରେ ନମ୍ବର-୧ ପାକିସ୍ତାନ, ଦ୍ୱିତୀୟ ସ୍ଥାନରେ ବାଂଲାଦେଶ

ଭୁବନେଶ୍ୱର,: କ୍ରିକେଟ୍‌ ପଡ଼ିଆରେ ପାକିସ୍ତାନ ପୁଣି ଏକ ଲଜ୍ଜାଜନକ ରେକର୍ଡ କରିଛି। ନୋ-ବଲ୍‌ ବୋଲିଂ କରିବାରେ ଏବେ ନମ୍ବର-୧ ହୋଇଛି ପାକିସ୍ତାନ। ଚଳିତ ବର୍ଷ ମାତ୍ର ୯ଟି ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନୀ ବୋଲରମାନେ ୧୦୬ଟି ନୋ-ବଲ୍‌ ପକାଇଛନ୍ତି। ଏହା ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ନୋ-ବଲ୍‌ ପକାଇବାର ଲଜ୍ଜାଜନକ ବିଶ୍ୱ ରେକର୍ଡ ପାକିସ୍ତାନ ନାଁରେ ହୋଇଛି।

ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନୀ ବୋଲରଙ୍କ ପକ୍ଷରୁ ଅନେକ ନୋ-ବଲ୍‌ ଦେଖିବାକୁ ମିଳିଛି। ତେବେ ଏହା କେବଳ ଏହି ମ୍ୟାଚ୍‌ରେ ସୀମିତ ନୁହେଁ। ଚଳିତ ବର୍ଷର ଟେଷ୍ଟ କ୍ରିକେଟ୍‌ରେ ନୋ-ବଲ୍‌ ପକାଇବା କ୍ଷେତ୍ରରେ ପାକିସ୍ତାନ ସବୁ ଦଳକୁ ପଛରେ ପକାଇ ଦେଇଛି।

ଏହି ତାଲିକାରେ ବାଂଲାଦେଶ ୫୪ଟି ନୋ-ବଲ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅର୍ଥାତ୍‌ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନୋ-ବଲ୍‌ ସଂଖ୍ୟାରେ ପ୍ରାୟ ଦୁଇଗୁଣର ଫରକ ରହିଛି। ଏହା ପାକିସ୍ତାନୀ ବୋଲରଙ୍କ ଶୃଙ୍ଖଳା ଓ ବୋଲିଂ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି।

ପ୍ରଥମ ଇନିଂସରେ ପାକିସ୍ତାନର ଦମଦାର ବୋଲିଂ

ନୋ-ବଲ୍‌ ପକାଇବାରେ ରେକର୍ଡ କରିଥିଲେ ମଧ୍ୟ ପ୍ରଥମ ଇନିଂସରେ ପାକିସ୍ତାନୀ ବୋଲରଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଘରୋଇ ଦଳର ବୋଲରଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟରମାନେ ତିଷ୍ଠି ପାରିନଥିଲେ। ଶ୍ରୀଲଙ୍କା ମାତ୍ର ୯୮ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

ପାକିସ୍ତାନ ପକ୍ଷରୁ ମହମ୍ମଦ ଆବାସ, ରଜାଉଲ୍ଲା ଓ ଆମେର ଜମାଲ ୩ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ସାକିବ ଖାନ୍‌ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ।

ଏହାର ଜବାବରେ ପାକିସ୍ତାନ ନିଜର ପ୍ରଥମ ଇନିଂସରେ ୩୨୫ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଫଳରେ ଶ୍ରୀଲଙ୍କାଠାରୁ ୨୨୭ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ୱିକେଟ୍‌କିପର ବ୍ୟାଟର ଗାଜି ଘୋରି ସର୍ବାଧିକ ୫୪ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୪ଟି ଚୌକା ରହିଥିଲା। ଓପନର ଆଜାନ ଆୱେସ ୪୭ ଓ ତୈୟବ ଆରିଫ୍‌ ୪୬ ରନ୍‌ କରିଥିଲେ। ଉଭୟ ୬ଟି ଲେଖାଏଁ ଚୌକା ମାରିଥିଲେ।

ପ୍ରଥମ ଟେଷ୍ଟ ଡ୍ର, ଦ୍ୱିତୀୟ ମ୍ୟାଚ୍‌ ଉପରେ ନଜର

ଦୁଇଟି ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡ୍ର ରହିଥିଲା। ତେଣୁ ଦ୍ୱିତୀୟ ଟେଷ୍ଟ ଜିତୁଥିବା ଦଳ ସିରିଜ୍‌ ହାତେଇବ। ଏବେ ସମସ୍ତଙ୍କ ନଜର ରାୱଲପିଣ୍ଡି ଟେଷ୍ଟର ଫଳାଫଳ ଉପରେ ରହିଛି।

ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ପାକିସ୍ତାନ ୨-୧ରେ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ୪ ୱିକେଟ୍‌ ଓ ଦ୍ୱିତୀୟ ମ୍ୟାଚ୍‌ରେ ୮୨ ରନ୍‌ରେ ପାକିସ୍ତାନ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଜିତିଥିଲା।


Reporterspen