Gender Ratio: ପୁଅଙ୍କ ତୁଳନାରେ ଝିଅଙ୍କ ଜନ୍ମହାର କମ୍‌! ଲିଙ୍ଗାନୁପାତ ୯୧୮, ଆକ୍ସନ୍‌ ମୋଡ୍‌ରେ କେନ୍ଦ୍ର

Reporterspen

Gender Ratio: ନୂଆଦିଲ୍ଲୀ: ଦେଶରେ କନ୍ୟା ସନ୍ତାନଙ୍କ ଜନ୍ମହାର ବୃଦ୍ଧି ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ଜରିଆରେ ହେଉଥିବା ଭେଦଭାବ ରୋକିବାକୁ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ତଦାରଖ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ସୁପରଭାଇଜରି ବୋର୍ଡ (CSB)ର ୩୨ତମ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୯୯୪ ମସିହାର PC&PNDT ଆଇନର କାର୍ଯ୍ୟକାରିତା ସମୀକ୍ଷା କରାଯାଇଥିଲା।

ବୈଠକରେ ଉପସ୍ଥାପିତ SRS-୨୦୨୪ ରିପୋର୍ଟ ଅନୁଯାୟୀ, ଦେଶରେ ଜନ୍ମ ସମୟରେ ଲିଙ୍ଗାନୁପାତ ୯୧୮ରେ ପହଞ୍ଚିଛି। ଅର୍ଥାତ୍ ପ୍ରତି ୧୦୦୦ ପୁଅ ଜନ୍ମ ହେଉଥିବା ବେଳେ ୯୧୮ ଜଣ ଝିଅ ଜନ୍ମ ହେଉଛନ୍ତି। ତେବେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅନୁପାତରେ ଉନ୍ନତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ନିୟମ ଉଲ୍ଲଂଘନ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ବଦଳୁଥିବା ଜ୍ଞାନକୌଶଳ ସହ ଆଇନର କାର୍ଯ୍ୟକାରିତା ପଦ୍ଧତିରେ ମଧ୍ୟ ଆବଶ୍ୟକ ପରିବର୍ତ୍ତନ ହେବା ଦରକାର। ଅଲଟ୍ରାସାଉଣ୍ଡ ଓ ଅନ୍ୟ ଚିକିତ୍ସା ପ୍ରଯୁକ୍ତିର ବ୍ୟବହାର କେବଳ ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ହେବା ଉଚିତ। ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା କିମ୍ବା ଲିଙ୍ଗଭିତ୍ତିକ ଭେଦଭାବ ପାଇଁ ଏହାର ବ୍ୟବହାର ଗ୍ରହଣୀୟ ନୁହେଁ।

ସମସ୍ତ ପଞ୍ଜୀକୃତ ଅଲଟ୍ରାସାଉଣ୍ଡ କେନ୍ଦ୍ର ଓ ଏହା ସହ ଜଡ଼ିତ ଅନ୍ୟ ସଂସ୍ଥାଗୁଡ଼ିକର ନିୟମିତ ଯାଞ୍ଚ କରିବାକୁ ସେ ରାଜ୍ୟଗୁଡ଼ିକୁ କହିଛନ୍ତି। କେଉଁଠି ଆଇନର ଉଲ୍ଲଂଘନ ହେଉଥିବା ଜଣାପଡ଼ିଲେ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଡିଜିଟାଲ୍‌ ବ୍ୟବସ୍ଥାରେ ବଢ଼ିବ ନଜରଦାରି

ଆଇନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ବୈଠକରେ ଡିଜିଟାଲ୍‌ ବ୍ୟବସ୍ଥାର ଉନ୍ନତ ବ୍ୟବହାର, ଅଧିକାରୀଙ୍କୁ ପ୍ରଶିକ୍ଷଣ, ଡାକ୍ତରୀ ବୃତ୍ତିଧାରୀଙ୍କ ସହ ଆଲୋଚନା ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଆଇନ କାର୍ଯ୍ୟକାରୀ କରିବା ସମୟରେ ଦେଖାଦେଉଥିବା ସମସ୍ୟା ଓ ଏହାର ସମାଧାନ ନେଇ ମଧ୍ୟ ଆଲୋଚନା ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି, ଏହି ଆଇନକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ। ଏହା ସହ ଡାକ୍ତରୀ ବୃତ୍ତିଧାରୀ ଓ ଅନ୍ୟ ସମ୍ପୃକ୍ତ ବର୍ଗଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରିବାକୁ ପଡ଼ିବ।

ଝିଅଙ୍କ ପ୍ରତି ମାନସିକତା ବଦଳାଇବା ଜରୁରୀ

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ମହିଳାଙ୍କ ବିକାଶ ସହ ଏବେ ମହିଳାଙ୍କ ନେତୃତ୍ୱରେ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସମାଜରେ ପୁଅ ଓ ଝିଅଙ୍କୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ଲିଙ୍ଗାନୁପାତରେ ଉନ୍ନତି ଆଣିବାକୁ ଶିକ୍ଷା ଓ ସାମାଜିକ ମାନସିକତାରେ ପରିବର୍ତ୍ତନ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।

ସେହିପରି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଝିଅଙ୍କ ପ୍ରତି ଭେଦଭାବ ଦୂର କରିବା ପାଇଁ ନିରନ୍ତର ସଚେତନତା ଏବଂ ସାମାଜିକ ଭାଗିଦାରୀ ଆବଶ୍ୟକ ବୋଲି ସେ କହିଥିଲେ।


Reporterspen