ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ରାଜଧାନୀରେ ପୁଣି ଲୁଟେରା ଆତଙ୍କ ଦେଖିବାକୁ ମିଳିଛି । ଦୁଇ ମୁଖାପିନ୍ଧା ଲୁଟେରା ଜଣେ ମହିଳାଙ୍କ ହାତରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଛନ୍ତି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଦେବରାଜ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ନିକଟରେ ଆଜି (ଗୁରୁବାର) ଏହି ଘଟଣା ଘଟିଛି । ସ୍ପଷ୍ଟ ଦିବାଲୋକରେ ଘର ଦୁଆର ମୁହଁରୁ ଦୁଇ ଦୁର୍ବୃତ୍ତ ବାସନ୍ତି କରଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଥିଲେ ।
ଏନେଇ ଏତଲା କ୍ରମେ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାକୁ ରାଜଧାନୀରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଟିମ୍ ଏହି ଘଟଣାରେ ତଦନ୍ତକୁ ବ୍ୟାପକ କରିଛି । ତେବେ ଲୁଟେରାଦ୍ୱୟ ବ୍ୟାଙ୍କ ପାଖରୁ ପିଛା କରି ଏହି କାଣ୍ଡ ଘଟାଇଛନ୍ତି ବୋଲି ଜଣାପଡିଛି ।
ଲୁଟର ଶିକାର ବାସନ୍ତିଙ୍କ କହିବା ଅନୁଯାୟୀ, ଘରର ଜରୁରୀ କାମ ଥିବାରୁ ଟଙ୍କା ଆବଶ୍ୟକ ଥିଲା । ସେଥିପାଇଁ ସେ ଦିନ ପ୍ରାୟ ସାଢେ ୧୨ଟା ବେଳେ ବମିଖାଲ ଆଇସିଆଇସିଆଇ ବ୍ୟାଙ୍କରୁ ସେ ୨ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ଧରି ସ୍ୱାମୀଙ୍କ ସହ ସେ ସ୍କୁଟିରେ ଘରକୁ ଫେରୁଥିଲେ । ଘର ଦୁଆର ମୁହଁରେ ପହଞ୍ଚିଥିବା ବେଳେ ଜଣେ ଦୁର୍ବୃତ୍ତ ପାଖକୁ ଆସି ହଠାତ୍ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇଥିଲା । ନିକଟରେ ବାଇକ ରଖି ଅନ୍ୟ ଜଣେ ଦୁର୍ବୃତ୍ତ ମଧ୍ୟ ଠିଆ ହୋଇଥିଲା । ଲୁଟ୍ ପରେ ତୁରନ୍ତ ଦୁର୍ବୃତ୍ତ ଦ୍ୱୟ ବାଇକ ନେଇ ଫେରାର ହୋଇଯାଇଥିଲେ । ତେବେ ଘର ପାଖରେ ଲୁଟେରାଙ୍କ ଏଭଳି କାଣ୍ଡକୁ ନେଇ ସେ ଚିନ୍ତାବ୍ୟକ୍ତ କରିଛନ୍ତି । ଏପରିକି ସେ ଟଙ୍କା ହରାଇ ମାନସିକ ଭାବେ ଭାଙ୍ଗି ପଡିଛନ୍ତି ।
ପୋଲିସ କହିଛି, ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଯାଞ୍ଚ ଚାଲିଛି । ଖୁବଶୀଘ୍ର ଲୁଟେରାଦ୍ୱୟ ଧରାପଡ଼ିବେ । ମାତ୍ର ସ୍ଥାନୀୟ ଲୋକେ ଏହାକୁ ପୋଲିସର ବିଫଳତା ବୋଲି କହିଛନ୍ତି । ନିୟମିତ ପୋଲିସ ପାଟ୍ରୋଲିଂ କିମ୍ବା ଅପରାଧୀଙ୍କ ଉପରେ ପୋଲିସର ନଜର ନଥିବାରୁ ଏଭଳି ଘଟଣା ପ୍ରାୟ ଘଟୁଛି । ପୋଲିସ ସବୁବେଳେ ନିଜ ସ୍ୱାର୍ଥ ଥିବା କାମକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଅଣଦେଖା କରୁଛି । ଏଦିଗରେ ଡିସିପି ଦୃଷ୍ଟିର ଆବଶ୍ୟକତା ରହିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

