ହିଟ୍‌ମ୍ୟାନ୍‌ଙ୍କୁ ପୁଣି ମିଳିଲା ମୁମ୍ବାଇର ମଙ୍ଗ, ଫେରିଲା ପୁରୁଣା ଯୋଡ଼ି!

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଆଇପିଏଲ୍‌ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତନ। ପୁଣିଥରେ ଦଳର ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବେ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଖେଳାଳି ରୋହିତ ଶର୍ମା। ଫ୍ରାଞ୍ଚାଇଜି ପକ୍ଷରୁ ଆଜି ଅପରାହ୍ଣ ୫ଟା ୪୫ ମିନିଟ୍‌ରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି। ଏହି ଖବର ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି।

୨୦୧୩ରେ ପ୍ରଥମଥର ପାଇଁ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳ ୫ ଥର ଆଇପିଏଲ୍‌ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇ ଟ୍ରଫି ଜିତିଥିଲା। ତେବେ ୨୦୨୪ ସିଜିନ୍‌ ପୂର୍ବରୁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଦିଆଯାଇଥିଲା। ଏହାକୁ ନେଇ ସେତେବେଳେ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା।

ହାର୍ଦ୍ଦିକଙ୍କ ନେତୃତ୍ୱରେ ୨୦୨୪ରେ ମୁମ୍ବାଇ ଦଳ ଦଶମ ସ୍ଥାନରେ ରହିଥିଲା। ୨୦୨୫ରେ ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ ମଧ୍ୟ କ୍ୱାଲିଫାୟର-୨ରେ ପରାଜିତ ହୋଇଥିଲା। ଗତ ସିଜିନ୍‌ରେ ମଧ୍ୟ ଦଳର ପ୍ରଦର୍ଶନ ନିରାଶାଜନକ ରହିଥିଲା। ୧୪ଟି ମ୍ୟାଚ୍‌ରୁ ୧୦ଟିରେ ପରାଜୟ ବରଣ କରି ଦଳ ନବମ ସ୍ଥାନରେ ରହିଥିଲା। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁମ୍ବାଇ ଇଣ୍ଡିଆନ୍ସର ରାସ୍ତା ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ପୁଣି ଅଧିନାୟକ ଦାୟିତ୍ୱ ମିଳିବା ପରେ ରୋହିତ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଜୀବନର ଏକ ବଡ଼ ଅଂଶ। ଏହି ଦଳର ନେତୃତ୍ୱ ନେବା ତାଙ୍କ ପାଇଁ ସବୁବେଳେ ଗର୍ବର ବିଷୟ ହୋଇ ରହିଛି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ନୀତା ଅମ୍ବାନୀ କହିଛନ୍ତି, ୨୦୧୧ରେ ରୋହିତଙ୍କୁ ଦଳରେ ସାମିଲ କରିବା ପାଇଁ ବିଡ୍‌ ଲଗାଯାଇଥିଲା। ସେହି ଦିନଠାରୁ ସେ ମୁମ୍ବାଇ ପରିବାରର ଅଂଶ ହୋଇ ରହିଛନ୍ତି। ଜଣେ ଯୁବ ଖେଳାଳିରୁ ଚାମ୍ପିୟନ, ନେତା ଓ ଜଣେ ଉତ୍ତମ ପରିବାର ମଣିଷ ଭାବେ ତାଙ୍କର ବିକାଶ ଦେଖିବା ଆମ ପାଇଁ ଗର୍ବର ବିଷୟ। ମୁମ୍ବାଇ ଇଣ୍ଡିଆନ୍ସର ୨୦ତମ ସିଜିନ୍‌ରେ ପୁଣିଥରେ ରୋହିତଙ୍କୁ ଦଳର ନେତୃତ୍ୱ ନେଉଥିବା ଦେଖିବା ଆମ ପାଇଁ ଏକ ବିଶେଷ ମୁହୂର୍ତ୍ତ ବୋଲି ସେ କହିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ରିଟେନ୍‌ ଖେଳାଳି ତାଲିକା

ଆଇପିଏଲ୍‌ ୨୦୨୭ ପାଇଁ ଡିସେମ୍ବର ୧୬ରେ ଗୋଆଠାରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୧୬ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି। ଟ୍ରେଡ୍‌ ମାଧ୍ୟମରେ ଦଳକୁ ଆସିଥିବା ଅର୍ଶଦୀପ ସିଂହ ମଧ୍ୟ ଏହି ତାଲିକାରେ ଅଛନ୍ତି।

ରିଟେନ୍‌ ଖେଳାଳିମାନେ ହେଲେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମ୍‌ରା, ତିଳକ ବର୍ମା, ନମନ ଧୀର, ଅଶ୍ୱିନୀ କୁମାର, କର୍ବିନ୍‌ ବୋସ୍‌, ମିଚେଲ ସାଣ୍ଟନର, କ୍ୱିଣ୍ଟନ୍‌ ଡି କକ୍‌, ରଘୁ ଶର୍ମା, ରାଜ ଅଙ୍ଗଦ ବାୱା, ରିଆନ୍‌ ରିକେଲଟନ୍‌, ଶାର୍ଦ୍ଦୁଳ ଠାକୁର, ଶେରଫେନ୍‌ ରଦରଫୋର୍ଡ, ୱିଲ୍‌ ଜ୍ୟାକ୍ସ ଓ ଅର୍ଶଦୀପ ସିଂହ।

ପୁଣିଥରେ ରୋହିତଙ୍କ ହାତରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ରହିବା ଦଳର ଆଗାମୀ ସିଜିନ୍‌କୁ ନେଇ ନୂଆ ଆଶା ସୃଷ୍ଟି କରିଛି।


Reporterspen