‘ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ନୂଆ ଯୁଗ ଆରମ୍ଭ’

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଡା.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଅମୂଲ୍ୟ ଉପହାର, ଯାହା ପ୍ରତିଟି ଭାରତବାସୀଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇଥାଏ । ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍‌ଥାନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ କେବଳ ଜଣେ ଅନନ୍ୟ ଶିକ୍ଷାବିତ୍ ନ ଥିଲେ, ବରଂ ଏକ ସମର୍ପିତ ରାଷ୍ଟ୍ରନେତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଥିଲେ । ଆସନ୍ତା କାଲି ହେଉଛି ତାଙ୍କ ଜନ୍ମଦିନ । ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆମ ଦଳର ମହାନ୍ ଆଦର୍ଶ ତଥା ଦେଶର ଏହି ମହାନ୍ ଜନନାୟକଙ୍କ ଚରଣ କମଳରେ ମୁଁ ମୋର କୋଟି କୋଟି ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ମହିଳା ମୋର୍ଚ୍ଚା ତରଫରୁ ଆୟୋଜିତ ଡା.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ସମ୍ମିଳନୀରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୦୧ ମସିହା ଜୁଲାଇ ୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ଡା.ମୁଖାର୍ଜୀ ତାଙ୍କ ପିତା ତଥା ବଙ୍ଗଳାର ପ୍ରସିଦ୍ଧ ଶିକ୍ଷାବିତ୍ ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜର ଶିକ୍ଷାଗତ ଯୋଗ୍ୟତାରେ ସର୍ବୋଚ୍ଚ ସଫଳତା ହାସଲ କରିଥିଲେ । ମାତ୍ର ୩୩ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ ଦାୟିତ୍ୱ ନେଇ ଶିକ୍ଷା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତନ ଆଣିଥିଲେ । ଭାରତୀୟ ଭାଷା, ବିଶେଷ କରି ବଙ୍ଗଳା, ହିନ୍ଦୀ ଓ ଉର୍ଦ୍ଦୁର ବିକାଶ ପାଇଁ ତାଙ୍କର ପଦକ୍ଷେପ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେହିପରି ସ୍ୱାଧୀନତା ଆନ୍‌ଦୋଳନ ଏବଂ ସ୍ୱାଧୀନ ଭାରତର ପ୍ରଥମ ଅନ୍ତରୀଣ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଭାବେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସେ ଦେଶର ଭବିଷ୍ୟତ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଶ୍ୟାମାପ୍ରସାଦ ହିନ୍ଦୁମାନଙ୍କ ସ୍ୱାର୍ଥରକ୍ଷା ପାଇଁ ହିନ୍ଦୁବହୁଳ ବଙ୍ଗପ୍ରଦେଶର ପଶ୍ଚିମଭାଗକୁ ଭାରତରେ ମିଶ୍ରଣ କରିବା ପାଇଁ ପ୍ରବଳ ଜନମତ ପ୍ରସ୍ତୁତ କରି ଏ ଦିଗରେ ସଫଳ ହୋଇଥିଲେ । ବଙ୍ଗପ୍ରଦେଶରେ ବିଶିଷ୍ଟ ଲୋକମାନଙ୍କୁ ନେଇ ଏକ ହିନ୍ଦୁ ସମ୍ମିଳନୀ କରାଯାଇ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା । କଲିକତା ସହର ସହିତ ଅର୍ଦ୍ଧେକ ବଙ୍ଗ ପ୍ରଦେଶ ଭାରତରେ ରହିଥିଲା । ଏହାପଛରେ ଶ୍ୟାମାପ୍ରସାଦଙ୍କ ଅଖଣ୍ଡ ଉଦ୍ୟମ ହିଁ ରହିଥିଲା ।ଶ୍ୟାମାପ୍ରସାଦଙ୍କ ସଂସଦୀୟ କାର୍ଯ୍ୟପ୍ରଣାଳୀ ଏବଂ ସଂସଦୀୟ ବିତର୍କ ତାଙ୍କୁ ଜଣେ ମହାନ ସାଂସଦ ଭାବେ ପ୍ରସିଦ୍ଧି ଲାଭ କରାଇଥିଲା । ଦେଶର ଜଣେ ନିର୍ବିବାଦୀୟ ନେତା ଭାବରେ ହିନ୍ଦୁ ମହାସଭା ଦଳରେ ଥିଲେ ସୁଦ୍ଧା ତାଙ୍କୁ ସ୍ୱାଧୀନ ଭାରତର ପ୍ରଥମ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିଥିଲା । ଶ୍ୟାମାପ୍ରସାଦଙ୍କ ଭଳି ଦୃଢ ନେତୃତ୍ୱର ସମର୍ଥନ ପାଇ ସର୍ଦ୍ଦାର ପଟେଲ ଭାରତରେ ମିଶିବାକୁ ଚାହୁଁନଥିବା ହାଇଦ୍ରାବାଦ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିଲେ ଏବଂ ଶେଷରେ ହାଇଦ୍ରାବାଦ ଭାରତରେ ମିଶିଥିଲା । ଦୁଇବର୍ଷରୁ କମ୍ କାର୍ଯ୍ୟକାଳ ଭିତରେ ଉଦ୍ୟୋଗ ଓ ଯୋଗାଣ ମନ୍ତ୍ରୀ ଭାବେ ଶ୍ୟାମାପ୍ରସାଦ ଦେଶର ନୂତନ ଶିଳ୍ପନୀତି ପ୍ରସ୍ତୁତ କରିବା ସହିତ ଦେଶର ଆର୍‌ôଥକ ନୀତି ଓ ଉଦ୍ୟୋଗ ନୀତିର ଢାଂଚା ପ୍ରସ୍ତୁତ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ମହିଳା ହେଉଛି ସଶକ୍ତ ଭାରତର ମହିଳା । ଦେଶର ବିକାଶରେ ମହିଳାମାନଙ୍କ ଯୋଗଦାନ ବଢିିଛି । ଶିକ୍ଷା ହେଉ ବା ସ୍ୱାସ୍ଥ୍ୟ କିମ୍ୱା ବିଜନେସ୍‌- ସବୁ କ୍ଷେତ୍ରରେ ଆମର ମା’ମାନେ ଦକ୍ଷ ହୋଇ ଦେଶର ଅଭିବୃଦ୍ଧିରେ ନିଜର ଯୋଗଦାନ ରଖୁଛନ୍ତି । ମହିଳାମାନଙ୍କ ପାଇଁ ଓଡିଶାରେ ଆମ ସରକାର ସଶକ୍ତିକରଣ’ର ଏକ ନୂଆ ଯୁଗ ଆରମ୍ଭ କରିଛନ୍ତି । ସୁଭଦ୍ରାରେ ୧ କୋଟି ମହିଳା ସଶକ୍ତ ହେବା ସହିତ ୨୪ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇଛନ୍ତି । ସମୃଦ୍ଧ ଓଡିଶା ଗଠନ ଦିଗରେ ଏହି ଯୋଜନା ଏକ ଦୃଢ ପ୍ଲାଟଫର୍ମ ଭାବରେ ମହିଳାମାନଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବ । ଆମେ ମହିଳାମାନଙ୍କୁ ବଡ ସଂଖ୍ୟାରେ ଶିଳ୍ପ ଓ ବ୍ୟବସାୟ ଆଡକୁ ପ୍ରେରିତ କରୁଛୁ । ନିକଟରେ ଅନ୍ତର୍ଜାତୀୟ ଏମଏସଏମଇ ଦିବସ ଦିନ ଆମେ ଓଡିଶାରେ ନୀତି ଆୟୋଗ ସହାୟତାରେ ମହିଳା ଉଦ୍ୟମିତା ମଂଚ ଖୋଲିଛୁ । ଏହି ପ୍ଲାଟଫର୍ମ ଜରିଆରେ ଆମର ମା’ମାନଙ୍କୁ ଆର୍‌ôଥକ ସହାୟତା, ସ୍କିଲ୍ ଟ୍ରେନିଙ୍ଗ୍‌, ପ୍ରଡକ୍ସନ୍ ସପୋର୍ଟ, ବିଜନେସ୍ ସ୍କିଲ୍ ଟ୍ରେନିଂ, ମାର୍କେଟିଂ ସପୋର୍ଟ ଆଦି ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଆମର ମା’ମାନଙ୍କ ଦକ୍ଷତାର ପୂରା ଉପଯୋଗ କରାଯାଇ ସେମାନଙ୍କୁ ଅଣୁ ଓ କ୍ଷୁଦ୍ର ବ୍ୟବସାୟରେ ଅଗ୍ରଣୀ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଆଦି ଅନେକ ଯୋଜନା କରାଯାଉଛି । ନାରୀ ଶକ୍ତିର ଅଧିକାର ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ପାର୍ଲାମେଂଟରେ ନାରୀଶକ୍ତି ବନ୍ଦନ ଅଧିନିୟମ ଆଣିଛନ୍ତି । ସେ ଆଇନ ଲୋକସଭାରେ ପାସ୍ ନ ହେଲେ ମଧ୍ୟ ଆମର ଲକ୍ଷ୍ୟ ସ୍ଥିର ରହିଛି । ମୋଦୀଜୀଙ୍କ ନେତୃତ୍ୱରେ ନାରୀ ଶକ୍ତିର ସମ୍ମାନ ଓ ଅଧିକାରକୁ ନିଶ୍ଚିତ ଭାବରେ ସୁରକ୍ଷିତ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।

ତେବେ ମୋଦୀଙ୍କ ଦକ୍ଷ ନେତୃତ୍ୱର ପ୍ରଚାର, ପ୍ରସାର କରନ୍ତୁ । ତାଙ୍କର ଭାବନା ସମଗ୍ର ଓଡିଶା ଓ ଭାରତ ପାଇଁ ଦିଗଦର୍ଶନ ସାଜୁ । ତାଙ୍କର ତ୍ୟାଗ, ସାହସ ଓ ଦେଶପ୍ରେମକୁ ପାଥେୟ କରି ରାଜ୍ୟର ମାତୃଶକ୍ତିର ସଶକ୍ତୀକରଣ ଏବଂ ସାମଗ୍ରିକ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ମହିଳା ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ଓ ଯୁବ ସମାଜକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ କରିଛନ୍ତି ।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛାତ୍ରୀ ସମ୍ମିଳନୀରେ ରାଜ୍ୟ ସଂପାଦିକା ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ପ୍ରବିଣା ଭଞ୍ଜଦେଓ, ଶିକ୍ଷାବିତ (ପ୍ରଫେସର) ମଧୁମିତା ଦାସ, ଫିକିର ଚେୟାରମେନ ବ୍ୟୁତପ୍ରଜ୍ଞା ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନେକ ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇଥିଲେ ।


Reporterspen