ଅଭିଷେକ ଶର୍ମାଙ୍କ ଦମଦାର ଶତକ, ୪୭ ରନ୍‌ରେ ଜିତିଲା ହାଇଦ୍ରାବାଦ

Reporterspen

ହାଇଦ୍ରାବାଦ, ୨୧।୦୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୩୧ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଦମ୍‌ ଦେଖାଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ମଙ୍ଗଳବାର ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ହାଇଦ୍ରାବାଦ୍‌ ଚମକପ୍ରଦ ପ୍ରଦର୍ଶନ କରି ନିଜର ପ୍ରଶଂସକମାନଙ୍କର ହୃଦୟ ଜିତିଛି। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୯୫ ରନ୍‌ କରିଛି। ହାଇଦ୍ରାବାଦ୍‌ ଏହି ମ୍ୟାଚ୍‌କୁ ୪୭ ରନ୍‌ରେ ବିଜୟ ହାସଲ କରିଛି। ଏହି ବିଜୟ ସହିତ ହାଇଦ୍ରାବାଦ ପଏଣ୍ଟ ଟେବୁଲରେ ରାଜସ୍ଥାନ ରୟାଲ୍ସକୁ ଅତିକ୍ରମ କରି ତୃତୀୟ ସ୍ଥାନ ଦଖଲ କରିଛି। ପଏଣ୍ଟ ଟେବୁଲରେ ଏବେ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ସ୍ଥାନରେ ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛି।

ଅକ୍ଷର ପଟେଲଙ୍କ ନେତୃତ୍ୱରେ ୨୪୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରିଥିଲା। ପାଥୁମ ନିଶଙ୍କା ଏବଂ କେଏଲ୍‌ ରାହୁଲ ଦିଲ୍ଲୀ ପାଇଁ ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୧ ରନ୍‌ର ଭାଗଦାରୀ କରିଥିଲେ। ହାଇଦ୍ରାବାଦର ପ୍ରଥମ ଶିକାର ହୋଇଥିଲେ ନିଶଙ୍କା। ସେ ୬ଟି ବଲ୍‌ ଖେଳି ଗୋଟିଏ ଛକା ବଳରେ ୮ ରନ୍‌ ସଂଗ୍ରହ କରିଥିଲେ। ଦିଲ୍ଲୀକୁ ଦ୍ୱିତୀୟ ଝଟକା କେଏଲ୍‌ ରାହୁଲଙ୍କ ଆଉଟ୍‌ ଭାବେ ଲାଗିଥିଲା। କେଏଲ୍‌ ରାହୁଲ ୨୩ଟି ବଲ୍‌ ଖେଳି ଗୋଟିଏ ଚୌକା ଏବଂ ୩ଟି ଛକା ମାଧ୍ୟମରେ ୩୭ ରନ୍‌ ସଂଗ୍ରହ କରିଥିଲେ।

ଦିଲ୍ଲୀ ସ୍କୋର ୧୦୭ ରନ୍‌ରେ ତିନିଟି ମୂଲ୍ୟବାନ ୱିକେଟ୍‌ ହରାଇଥିଲା। କେଏଲ୍‌ ରାହୁଲ, ନୀତିଶ ରାଣା ଏବଂ ଡେଭିଡ ମିଲର ଆଉଟ୍‌ ହୋଇଥିଲେ। ଡେଭିଡ ମିଲର ଶୂନ୍ୟ ରନ୍‌ରେ ଆଉଟ୍‌ ହୋଇଥିଲେ। ନୀତିଶ ରାଣା ୩୦ଟି ବଲ୍‌ ଖେଳି ୭ଟି ଚୌକା ଏବଂ ୩ଟି ଛକା ବଳରେ ୫୭ ରନ୍‌ ସଂଗ୍ରହ କରିଥିଲେ।

ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆୟୋଜକ ହାଇଦ୍ରାବାଦ ବ୍ୟାଟିଂ କରିଥିଲା। ଈଶାନ କିଶନଙ୍କ ନେତୃତ୍ୱରେ ହାଇଦ୍ରାଦାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକଟେ ହରାଇ ୨୪୨ ରନ୍‌ ସଂଗ୍ରହ କରିଥିଲା। ହାଇଦ୍ରାବାଦରେ ଆଜି ଛକା ଏବଂ ଚୌକାର ବର୍ଷା ଦେଖିବାକୁ ମିଳିଥିଲା। କେବଳ ପ୍ରଥମ ଇନିଂସରେ ହାଇଦ୍ରାବାଦ ପକ୍ଷରୁ ୧୭ଟି ଚୌକା ଏବଂ ୧୬ଟି ଛକା ଦେଖିଛଥିଲେ ଦର୍ଶକ। ଯୁବ ବ୍ୟାଟର ଅଭିଷେକ ଶର୍ମା ୪୭ଟି ବଲ୍‌ରେ ଶତକ ହାସଲ କରିଥିଲେ। ସେ ମୋଟ୍‌ ୬୮ଟି ବଲ୍‌ ଖେଳିଥିଲା ବେଳେ ୧୦ଟି ଚୌକା ଏବଂ ୧୦ଟି ଛକା ସହିତ ଅପରାଜିତ ୧୩୫ ରନ୍‌ ସଂଗ୍ରହ କରିଥିଲେ। ହେନ୍‌ରିକ୍‌ କ୍ଲାସେଁ ଅପରାଜିତ ରହି ୩୭ ରନ୍‌ ସଂଗ୍ରହ କରିଥିଲେ। ସେ ୧୩ଟି ବଲ୍‌ ଖେଳି ୩ଟି ଚୌକା ଏବଂ ୩ଟି ଛକା ମାରିଥିଲେ।

ହାଇଦ୍ରାବାଦର ଇନିଂସ ଆରମ୍ଭ କରିଥିଲେ ଅଭିଷେକ ଶର୍ମା ଏବଂ ଟ୍ରାଭିସ ହେଡ୍‌। ଉଭୟ ବ୍ୟାଟର ପ୍ରଥମ ୱିକେଟ ପାଇଁ ୯୭ ରନ୍‌ର ଭାଗିଦାରୀ କରିପାରିଥିଲେ। ଦିଲ୍ଲୀର ପ୍ରଥମ ଶିକାର ହୋଇଥିଲେ ହେଡ୍‌। କିନ୍ତୁ ପଡିଆରୁ ବିଦାୟ ନେବା ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ୩୭ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍‌ ଖେଳି ୨ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ହାଇଦ୍ରାବାଦ ଦ୍ୱିତୀୟ ୱିକେଟ୍‌ରେ ୭୯ ରନ୍‌ ସଂଗ୍ରହ କରିଥିଲା। ଏହି ରନ୍‌ ଅଭିଷେକ ଶର୍ମା ଏବଂ ଈଶାନ କିଶନ କରିଥିଲେ। ଈଶାନ କିଶନ ଆଉଟ୍‌ ହେବା ପୂର୍ବରୁ ୧୩ଟି ବଲ୍‌ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ବଳରେ ୨୫ ରନ୍‌ ସଂଗ୍ରହ କରିଥିଲେ।

ଟି-୨୦ ବିଶ୍ୱକପ୍‌ ପରେ ଉଠିଥିଲା ପ୍ରଶ୍ନ
ଆଇପିଏଲ୍‌ ପୂର୍ବରୁ ଅନୁଷ୍ଠିତ ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଅଭିଷେକ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଫଳସ୍ୱରୂପ, ପ୍ରଶଂସକମାନେ ଭାବିଥିଲେ ଯେ ସେ ଆଇପିଏଲ୍‌ ସମୟରେ ମଧ୍ୟ ସମାନ ଖରାପ ଫର୍ମରୁ ପୀଡିତ ରହିବେ କି ନାହିଁ। ତଥାପି, ସମଗ୍ର ସିଜିନ୍‌ରେ ନିରନ୍ତର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ, ସେ ସମସ୍ତଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି।

ଅରେଞ୍ଜ କ୍ୟାପ୍‌ ଦାବିଦାର
ଅଭିଷେକ ନାମରେ ଏକ ଶତକ ସହିତ, ଅଭିଷେକ ଏବେ ଅରେଞ୍ଜ କ୍ୟାପ୍‌ ଧାରଣ କରିଛନ୍ତି। ସେ ସିଜିନ୍‌ରେ ୩୦୦ ରନ ସ୍କୋର ଅତିକ୍ରମ କରି ଏହି ମାଇଲଖୁଣ୍ଟରେ ପହଞ୍ଚିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି।

ସବୁଠାରୁ ଧୀର ଅର୍ଦ୍ଧଶତକ ରେକର୍ଡ
ସୂଚନାଯୋଗ୍ୟ ଯେ ଅଭିଷେକ ୨୫ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଯଦିଓ ଏହା ପୃଷ୍ଟରେ ଏକ ଦ୍ରୁତ ଅର୍ଦ୍ଧଶତକ ପରି ମନେହୁଏ, ତାଙ୍କ ପାଇଁ – ବିଶେଷକରି ହାଇଦ୍ରାବାଦରେ – ଏହା ଟି-୨୦ କ୍ରିକେଟ୍‌ରେ ତାଙ୍କର ସବୁଠାରୁ ଧୀର ଅର୍ଦ୍ଧଶତକ ଭାବରେ ଠିଆ ହୋଇଛି।

ହାଇଦ୍ରାବାଦ ତିନୋଟି ମ୍ୟାଚ୍‌ ଜିତିଛି
ଦିଲ୍ଲୀ ବିପକ୍ଷରେ, ହାଇଦ୍ରାବାଦ ସିଜିନ୍‌ର ସପ୍ତମ ଲିଗ୍‌ ମ୍ୟାଚ୍‌ ଖେଳୁଛି। ଏହା ପୂର୍ବରୁ ଖେଳାଯାଇଥିବା ଛଅଟି ମ୍ୟାଚ୍‌ ମଧ୍ୟରୁ ହାଇଦ୍ରାବାଦ ତିନୋଟିରେ ବିଜୟ ହାସଲ କରିଛି। ବାକି ତିନୋଟି ମ୍ୟାଚ୍‌ ରେ ହାଇଦ୍ରାବାଦକୁ ପରାଜୟର ସାମ୍ନା କରିବାକୁ ପଡିଛି।


Reporterspen