ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ରାଜ୍ୟର ୧୧ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ। ୩୮୭୭ କୋଟି ଟଙ୍କା ହେବ ନିବେଶ । ୭୫୬୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୪୬ ତମ ବୈଠକରେ ଏହି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପଗୁଡିକ ବାଲେଶ୍ବର, ଦେବଗଡ଼, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ୧୧ ଟି ଜିଲ୍ଲାରେ ହେବ । ଅନୁମୋଦନ ମିଳିଥିବା ପ୍ରକଳ୍ପଗୁଡ଼ିକ ଉନ୍ନତ ଉତ୍ପାଦନ, ସବୁଜ ଶିଳ୍ପ, ଭିତ୍ତିଭୂମି, ସ୍ବାସ୍ଥ୍ୟ ସେବା ଏବଂ ପର୍ଯ୍ୟଟନ ଇକୋ ସିଷ୍ଟମ ସହିତ ଜଡିତ ରହିଛି ।
ରୁନାୟା ଏକ୍ସାର୍ଟ ଆଲୁମିନିୟମ ପାଉଡର ପ୍ରାଇଭେଟ୍ ଲିମିଟେଡ୍ ଏକ ଆଲୁମିନିୟମ୍ ଡାଇନଷ୍ଟ୍ରିମ୍ ଉତ୍ପାଦନ ସ୍ଥାପନ କରିବ। ଏହି ପ୍ରକଳ୍ପ ଝାରସୁଗୁଡ଼ା ଜିଲ୍ଲାରେ ୩୦୦ କୋଟି ଟଙ୍କା ନିବେଶରେ ହେବ। ଯାହା ୫୦୦ ନିଯୁକ୍ତି ସୃଷ୍ଟି କରିବ । ସେହିପରି ଧାତବ ଇକା ସିଷ୍ଟମର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ସ୍କାନ ଷ୍ଟିଭ୍ ଲିମିଟେଡ୍, ଜୟ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲି. ଏବଂ ଏସ୍ ଏସ୍ ଆଲୁଫଏକ୍ସ ଲିମିଟେଡ୍ ଇସ୍ପାତ, ଲୌହ ଏବଂ ଫେରୋ-ଆଲୟ ଉତ୍ପାଦନ କ୍ଷମତା ବୃଦ୍ଧି କରିବେ। ଯାହା ଓଡ଼ିଶାକୁ ଭାରତର ପ୍ରମୁଖ ଧାତୁ ଉତ୍ପାଦନ କେନ୍ଦ୍ର ଭାବେ ସୁଦୃଢ କରିବା ସହିତ ଶିଳ୍ପ ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ବପୂର୍ଣ ଯୋଗଦାନ ଦେବ । ଏହି ପ୍ରକଳ୍ପ ସୁନ୍ଦରଗଡ଼ ଜିଲ୍ଲାରେ ୫୦୩.୬୮ କୋଟି ଟଙ୍କା ନିବେଶ କରିବ। ଯାହା ୫୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖିଛି । ସୋଲାର ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଲିମିଟେଡ୍ ଝାରସୁଗୁଡାରେ ଏକ ବିସ୍ଫୋରକ ଉତ୍ପାଦନ ସ୍ଥାପନ କରିବ । ଏହି ପ୍ରକଳ୍ପ ଦ୍ବାରା ଦେବଗଡ ଜିଲ୍ଲାରେ ୨୧୦.୧୦ କୋଟି ଟଙ୍କା ନିବେଶ ସହ ୯୧୦ ନିଯୁକ୍ତି ଲକ୍ଷ୍ୟ ରହିଛି । ଏନଭାୟର ଇଲେକ୍ଟ୍ରୋଡାଇନ୍ ଲିମିଟେଡ୍ ଖୋର୍ଦ୍ଧାରେ ୧୩୬.୮୭ କୋଟି ଟଙ୍କା ନିବେଶରେ ୩୨୬ ନିଯୁକ୍ତି ଲକ୍ଷ୍ୟ ରଖି ଏକ ଇଏସଡିଏମ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।
ସେହିପରି ହାର୍ମନ୍ ଫିନୋକେମ୍ ଲିମିଟେଡ୍ ଗୋପାଳପୁର, ଗଞ୍ଜାମରେ ୫୩୦ କୋଟି ନିବେଶରେ ଏକ ଔଷଧ ଉତ୍ପାଦନକାରୀ ୟୁନିଟ ସ୍ଥାପନ କରିବ । ଏଥିରେ ୯୦୦ ନିଯୁକ୍ତି ସୃଷ୍ଟି ହେବ। ଆମ୍ବିଟେକ୍ ହେଲଥ କେୟାର୍ ପ୍ରାଇଭେଟ୍ ଲିମିଟେଡ ଖୋର୍ଦ୍ଧାରେ ୫୧ କୋଟି ଟଙ୍କା ନିବେଶରେ ଏକ ଚିକିତ୍ସା ଉପକରଣ ଉତ୍ପାଦନ ପ୍ରକଳ୍ପ କରିବ । ଏଥିରେ ୩୬୯ ନିଯୁକ୍ତି ସୃଷ୍ଟି ହେବ। ଖୋର୍ଦ୍ଧାଠାରେ ସାଉଥ ବ୍ଲକ୍ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍ ପ୍ଲାଷ୍ଟିକ୍ ଏବଂ ଧାତୁ ଉତ୍ପାଦନର ପୁନଃଚକ୍ରଣ ପ୍ରକଳ୍ପ ସ୍ଥାପନ କରିବ। ୧୧୧. ୬୪ କୋଟି ଟଙ୍କା ନିବେଶ କରିବା ସହ ୧୨୦ ନିଯୁକ୍ତି ସୃଷ୍ଟି ହେବ । ତାମିଲନାଡୁ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଲସ୍ ମାଇନିଂ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ଝାରସୁଗୁଡା ଜିଲ୍ଲାରେ ଯଥାକ୍ରମେ ୧୧୩.୪୦ କୋଟି ଏବଂ ୫୨ କୋଟି ଟଙ୍କା ନିବେଶରେ ପ୍ରକଳ୍ପ ନିର୍ମାଣ କରିବେ। ବାଲେଶ୍ବର ସିପ୍ ୟାର୍ଡ ଏବଂ ଇନ୍ଫା ପ୍ରା. ଲିମିଟେଡ୍ ବାଲେଶ୍ବରରେ କାହାଜ ନିର୍ମାଣ ଓ ମରାମତି ଏବଂ ଯାନ୍ତ୍ରିକ ଭାସମାନ ଲେସେଲ୍ସ ନିର୍ମାଣ କରିବ। । ଏହି ପ୍ରକଳ୍ପରେ ୧୫୦ କୋଟି ନିବେଶ କରିବ। ଏହା ଦ୍ବାରା ୬୦୦ ନିଯୁକ୍ତି ଲକ୍ଷ୍ୟ ରହିଛି ।
ଖୋଲିବ ଆଉ ୬ ଷ୍ଟାର ହୋଟେଲ
ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ସମ୍ବଲପୁରରେ ଜାସ୍ କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍, ଖୋର୍ଦ୍ଧାରେ ରଥ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍, କେନ୍ଦୁଝରରେ କେନ୍ଦୁଝର ଲିଗାଲ୍ ପାରାଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍, ପୁରୀରେ କାୟନ ଭେଞ୍ଚର୍ସ୍ ପ୍ରାଇଭେଟ୍ ଲିମିଟେଡ୍, କୋରାପୁଟରେ ସୂର୍ଯ୍ୟ ଇକୋ ରିସୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପୁରୀରେ ଚତୁର୍ଭୁଜ ହୋଟେଲ୍ ଏବଂ ରିସର୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା ୬ଟି ନୂତନ ଆତିଥ୍ୟ ପ୍ରକଳ୍ପ ମାଧ୍ଯମରେ ବିଭିନ୍ନ ତାରକା ବିଶିଷ୍ଟ ହୋଟେଲ ଏବଂ ରିସୋର୍ଟ ସ୍ଥାପିତ ହେବ । ଏସବୁ ପ୍ରକଳ୍ପରେ ୭୦୦ କୋଟିରୁ ଉର୍ଦ୍ଧ୍ବ ନିବେଶରେ ପ୍ରାୟ ୧୨୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।

